କିଡନୀ ରୋଗରେ ପୀଡ଼ିତ ଝିଅକୁ ରକ୍ତ ଦାନ କଲେ ଟିମ ହ୍ୟୁମାନିଟି ସଦସ୍ୟ

0 135

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ରୁକାନବାଡି ଗ୍ରାମର ତରୁଣ ନାୟକଙ୍କ ଝିଅ ତେଜସ୍ୱିନୀ ନାୟକ ବୟସ ମାତ୍ର ୧୪ । ଏକ ବର୍ଷ ତଳୁ ଦେହ ଅସୁସ୍ଥ ହେବାରୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପରେ କିଡନୀ ରୋଗରେ ପୀଡିତ ଥିବା ଜଣାପଡିଥିଲା । ପର ଘରେ ମା ମୂଲ ଖଟୁଥିବା ବେଳେବାପା ଦାଦନ । ଏଭଳି ପରିସ୍ଥିତିରେ ଚିକିତ୍ସା ପାଇଁ ୩ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଆବଶ୍ୟକ ବୋଲି କହିବା ପରେ ଏବଂ ରାଜ୍ୟର ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ କାମ ନକରିବା ଯୋଗୁଁ ଝିଅକୁ ମେଡିକାଲରୁ ଘରକୁ ନେଇ ଆସିଥିଲେ । ତେବେ ହଠାତ ଗତକାଲି ଶରୀର ଅସୁସ୍ଥତା କାରଣରୁ ତେଜସ୍ୱିନୀଙ୍କ ମା ଝିଅକୁ ଫୁଲବାଣୀ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଡାକ୍ତର ଝିଅ ପାଇଁ ବି-ପଜିଟିଭ ରକ୍ତ ଆବଶ୍ୟକ ବୋଲି ପରିବାର ଲୋକଙ୍କୁ କହିଥିଲେ । ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତ ଥିବା ସତ୍ତେ୍ୱ ପରିବାରର କେହି ଜଣେ ରକ୍ତ ଦେଲେ ପ୍ରତି ବଦଳରେ ରକ୍ତ ମିଳିବ ବୋଲି ରକ୍ତ ଭଣ୍ଡାର କର୍ମଚାରୀ କହିଥିବା ତେଜସ୍ୱିନୀଙ୍କ ମା କହିଥିଲେ । ଏନେଇ ସେ ଦାରିଙ୍ଗବାଡ଼ି ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକ ରାକେଶ କୁମାର ସାହୁଙ୍କ ସହିତ ଯୋଗାଯୋଗ କରିଥିଲେ । ଅସୁବିଧା ସମ୍ପର୍କରେ ଜାଣିବା ପରେ ସାମ୍ବାଦିକ ଜଣକ କନ୍ଧମାଳ ଜିଲ୍ଲାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ ହ୍ୟୁମାନିଟି ର ସଦସ୍ୟ ତଥା ରାଜ୍ୟ ତଥା ରାଜ୍ୟ ବାହାରେ ପୁରସ୍କୃତ ହୋଇଥିବା ଭି. ଲୋକନାଥ ରାଜୁଙ୍କୁ ଜଣାଇବାରୁ ଟିମ ହ୍ୟୁମାନିଟି ତରଫରୁ ସଂଗଠନର ସଦସ୍ୟ ଅନୁପ ବିକ୍ରମ ପାତ୍ର ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତ ଦାନ କରି ଗୁରୁତର ଥିବା ଝିଅ ପାଇଁ ଗୋଟିଏ ୟୁନିଟ ରକ୍ତ ଦେବାପରେ ତେଜସ୍ୱିନୀଙ୍କୁ ଗୋଟିଏ ୟୁନିଟ ରକ୍ତ ହସ୍ପିଟାଲ ତରଫରୁ ଦିଆଯାଇଛି । ଏଥିପାଇଁ ପରିବାର ଲୋକେ ଟିମ ହ୍ୟୁମାନିଟି ସଂଗଠନକୁ ଅନେକ ଧନ୍ୟବାଦ ଜଣାଇଛନ୍ତି । ତେବେ ଝିଅଟିକୁ ଆହୁରି ୨ରୁ ୩ୟୁନିଟ ବି-ପଜିଟିଭ ରକ୍ତର ଆବଶ୍ୟକତା ଥିବାରୁ ସହୃଦୟ ବ୍ୟକ୍ତି ଝିଅଟିକୁ ସହାୟତା କରିବା ପାଇଁ ପରିବାର ଲୋକେ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − 6 =