ମୁଖ୍ୟ ଶାସନ ସଚିବଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ,ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା

0 54

ଭୁବନେଶ୍ୱର:ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି କେନ୍ଦୁଝର ଜିଲ୍ଲା ଗସ୍ତକରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି ।
ପୂର୍ବାହ୍ନରେ ସେ ଜିଲ୍ଲା କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଠାକ୍ରେ ଏବଂ ବିଭାଗୀୟ ଅଧିକାରୀ ମାନଙ୍କ ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବୃହତ୍ ପ୍ରକଳ୍ପ ଗୁଡ଼ିକର ବର୍ତ୍ତମାନ ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ । ପାଇପ୍ ଯୋଗେ ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ତ୍ୱରାନ୍ୱିତ କରି ୨୦୨୩ ମାର୍ଚ୍ଚ ସୁଦ୍ଧା ପ୍ରତି ଘରକୁ ପାଣି ସଂଯୋଗ ଦେବାପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟନ୍ୱୟନ ସମୟରେ କ୍ଷେତ୍ରସ୍ତରରେ ଦେଖାଯାଇଥିବା ବିଭିନ୍ନ ସମସ୍ୟାର ଆଶୁ ସମାଧାନ କରାଯାଇଥିଲା ।
ପ୍ରକଳ୍ପର ବିଭିନ୍ନ ପର୍ଯ୍ୟାୟ କାମ ପାଇଁ ଶ୍ରୀ ମହାପାତ୍ର ସମୟ ନିର୍ଘଣ୍ଟ ଧାର୍ଯ୍ୟ କରିଥିଲେ ଏବଂ ତଦନୁଯାୟୀ ଦୈନିକ ଓ ସାପ୍ତାହିକ କାର୍ଯ୍ୟ-ସାରଣୀ ପ୍ରସ୍ତୁତ କରିବାକୁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନୁରୂପଭାବେ ସହରାଞ୍ଚଳ ପାଇଁ ନିର୍ମାଣାଧିନ ୨୪ ଘଣ୍ଟିଆ ଜଳଯୋଗାଣ ପ୍ରକଳ୍ପର ସମୀକ୍ଷା ହୋଇଥିଲା । ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟ ପୂର୍ବରୁ ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।
ସମୀକ୍ଷାରୁ ଜଣାପଡ଼ିଥିଲାଯେ ଇତି ମଧ୍ୟରେ କେନ୍ଦୁଝରଠାରେ ସରକାରୀ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ର ନିର୍ମାଣ କାର୍ଯ୍ୟ ସରିଛି । ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ଶେଷକରି ଏହାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ତ୍ୱରାନ୍ୱିତ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ଶ୍ରୀ ଠାକ୍ରେଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

hiring


ବୈଠକରେ ଗ୍ରାମ ଉନ୍ନୟନ ଓ ପୂର୍ତ୍ତବିଭାଗର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା । ପଡ଼ୋଶୀ ଜିଲ୍ଲା ଏବଂ ରାଜ୍ୟମାନଙ୍କୁ ଗମନାଗମନ ନିମନ୍ତେ ରାସ୍ତା ସଂଯୋଗୀକରଣ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ୱ ଆରୋପ କରିଥିଲେ । ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକ୍ରେ କାର୍ଯ୍ୟକାରୀ ହେଉଥିବା ଜିବୀକା ନିର୍ବାହ ପ୍ରକଳ୍ପ ଓ ଦକ୍ଷତା ବିକାଶ ପ୍ରକଳ୍ପ ଆଦିକୁ ସମୀକ୍ଷା କରି ଏଗୁଡ଼ିକୁ ଅଧିକ ଆବଶ୍ୟକତା ଭିତ୍ତିକ ଓ ଲକ୍ଷ୍ୟଭେଦୀ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । କାଞ୍ଜିପାଣିଠାରେ ଇକୋ-ପର୍ଯ୍ୟଟନ କେନ୍ଦ୍ର ବିକଶିତ କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ ।
କାନପୁର ଜଳସେଚନ ପ୍ରକଳ୍ପର ଅଗ୍ରଗତି ବିଷୟ ସମୀକ୍ଷା ବୈଠକରେ ସ୍ଥାନ ପାଇଥିଲା । ଏଥିପାଇଁ ପ୍ରକଳ୍ପ ନିକଟ ଦେଇ ଯାଇଥିବା ଜାତୀୟ ରାଜପଥରେ ଅକ୍ଟୋବର ମାସ ଶେଷ ସୁଦ୍ଧା ପୋଲ ନିର୍ମାଣ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଡ୍ୟାମ୍ ସ୍ପିଲ୍-ୱେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା । କେନାଲ୍ ସଂପ୍ରସାରଣ ନିମନ୍ତେ ଆବଶ୍ୟକ ସ୍ଥଳେ ଜଙ୍ଗଲ ଅନୁମତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ଜଳ ସଂପଦ ଏବଂ ଜଙ୍ଗଲ ବିଭାଗ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଅପରାହ୍ନରେ ମୁଖ୍ୟ ଶାସନ ସଚିବ ସ୍ଥାନୀୟ ଡି.ଏନ୍ ହାଇସ୍କୁଲ୍ରେ ଆୟୋଜିତ ‘‘ମୋ ସ୍କୁଲ୍’’ କାର୍ଯ୍ୟକ୍ରମରେ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅବିଭାବକମାନଙ୍କ ସହ ସିଧା ସଳଖ ଆଲୋଚନା କରିଥିଲେ । ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା, ଶୈକ୍ଷିକ ପରିବେଶ ଏବଂ ଆଧୂନିକ ଭିତ୍ତିଭୂମି ସୃଷ୍ଟିକରି ଆଗାମୀ ଦିନରେ ଏହି ଅନୁଷ୍ଠାନକୁ ଏକ ଉତ୍କର୍ଷ ଶିକ୍ଷାକେନ୍ଦ ଭାବେ ବିକଶିତ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଆରୋପ କରିଥିଲେ । ଏଥିପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ଦରକାର ବୋଲି କହିଥିଲେ ।
ଏହି ଅବସରରେ ଶ୍ରୀ ମହାପାତ୍ର ବିଦ୍ୟାଳୟ ପରିସରରେ ଜିଲ୍ଲା ଖଣିଜ ପାଣ୍ଠିରୁ ପ୍ରାୟ ୫.୧୭ କୋଟି ଟଙ୍କା ବିନିଯୋଗରେ ନିର୍ମିତ ୧୨୦ ଶଯ୍ୟା ବିଶିଷ୍ଟ ଗୋଟିଏ ଛାତ୍ରୀନିବାସ ଏବଂ ୧୨୦ ଶଯ୍ୟା ବିଶିଷ୍ଟ ଏକ ଛାତ୍ରାବାସକୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ଶାସନ ସଚିବ ମଧ୍ୟ ବିଦ୍ୟାଳୟର ସ୍ମାର୍ଟ କ୍ଲାସ୍ ରୁମ୍, ସ୍ମାର୍ଟ୍ ଲାଇବ୍ରେରୀ, ଆଇ.ସି.ଟି ପରୀକ୍ଷାଗାର ଆଦିର କାର୍ଯ୍ୟକାରିତା ଅନୁଧ୍ୟାନ କରି ଖୁସି ବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟ, ଶ୍ରୀ ମହାପାତ୍ର ଡି.ଏନ୍ ହାଇସ୍କୁଲ୍ର ପୁରାତନ ଛାତ୍ର । ୧୯୭୫ ମସିହାରୁ ୧୯୭୮ ମସିହା ପର୍ଯ୍ୟନ୍ତ ସେ ସେହି ବିଦ୍ୟାଳୟରେ ପାଠ ପଢ଼ିଥିଲେ । ଶ୍ରୀ ମହାପାତ୍ର ମଧ୍ୟ ଏହି ବିଦ୍ୟାଳୟକୁ ନିଜର ପୋଷ୍ୟ- ବିଦ୍ୟାଳୟ ରୁପେ ଗ୍ରହଣ କରିଛନ୍ତି ।
‘ମୋ ସ୍କୁଲ୍’ ଆଲୋଚନା ଚକ୍ରରେ ପୁରାତନ ଛାତ୍ରସଂସଦ ଅଧ୍ୟକ୍ଷ ଶ୍ରୀ ବଳରାମ ପୃଷ୍ଟି ସଭାପତିତ୍ୱ କରିଥିଲେ । ଜିଲ୍ଲାପାଳ ଶ୍ରୀ ଠାକ୍ରେ, ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚ୍.ଡି., ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ତୃପ୍ତିମୟୀ ପାତ୍ରଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

hiranchal ad1
Leave A Reply

Your email address will not be published.

twenty − thirteen =