ଦଶପଲ୍ଲା : ଚର୍ଚ୍ଚାରେ ଦଶପଲ୍ଲା ଏନ୍ଏସି ଅଧ୍ୟକ୍ଷା ପୁନମ୍ । ୪୫ ଡିଗ୍ରୀ ତାପମାତ୍ରାକୁ ଖାତିର୍ ନକରି ବୁଲୁଛନ୍ତି ଦଶପଲ୍ଲା ଏନ୍ଏସି ସମସ୍ତ ୱାର୍ଡ଼ । ଗତ ଦିବସ ମାନଙ୍କରେ ଦଶପଲ୍ଲା ଏନଏସି ଅନ୍ତର୍ଗତ ୧୨ନଂ ୱାର୍ଡ କୃଷ୍ଣଚନ୍ଦ୍ରପୁର ପାଟଣା ବିରଞ୍ଚି ବିଶ୍ୱାଳଙ୍କ ଘରେ ଅଗ୍ନିକାଣ୍ଡ ଘଟି ଗୋଟିଏ ବଖରା ଘର ସହିତ ବିଭିନ୍ନ ଆସବାବପତ୍ର ସଂପୂର୍ଣ୍ଣ ଭାବରେ ପୋଡି ପାଉଁଶ ହୋଇଯିବାର ଖବରପାଇ ଏନଏସି ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀ ଓ ବହୁ କାଉନସିଲର ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତଙ୍କୁ ଆଶ୍ୱାସନା ଦେବା ସହିତ ଶିଘ୍ର ସରକାରୀ ସହାୟତା ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିବାବେଳେ କାଉନସିଲର ବୀଣାପାଣୀ ପାଣିଙ୍କ ସାଙ୍ଗରେ ନେଇ ଦଶପଲ୍ଲା ୪ ନଂ ୱାର୍ଡର ଗୋପୀନାଥ ସାହି,ଦେଉଳ ମାଳିସାହି ଓ ଅମଲାପଡା ଅଂଚଳ ପରିଦର୍ଶନ କରି ପାନୀୟ ଜଳ, ଡ୍ରେନେଜ ବ୍ୟବସ୍ଥା, ସ୍ୱେରେଜ ବ୍ୟବସ୍ଥା ଓ ସ୍ଥାନୀୟ ଅଞ୍ଚଳର ସାମୂହିକ ସମସ୍ୟା ଦେଖି ବ୍ୟଥିତ ହେବା ସଂଗେ ସଂଗେ ଏହି ସମସ୍ୟାର ଖୁବଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ତତ୍ ସହିତ ଅମଲାପଡା ତାରିଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ବାବୁବସା ପୋଖରୀର ଉନ୍ନତିକରଣ ଯୁଦ୍ଧକାଳିନ ଭିତ୍ତିରେ କରାଯିବ ବୋଲି କହିଥିଲେ ।
ଦଶପଲ୍ଲାର ବର୍ଦ୍ଧିତ ଜନସଂଖ୍ୟା ଯୋଗୁଁ ଦଶପଲ୍ଲାର ବିଭିନ୍ନ ବଜାରରେ ହେଉଥିବା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ୫୭ ନଂ ଜାତୀୟ ରାଜପଥରେ ଡିଭାଇଡର୍ ନିର୍ମାଣକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ସେ ପ୍ରଶାସନ ନିକଟରେ ଦାବି ରଖିଛନ୍ତି । ଆଜି ମଧ୍ୟାହ୍ନ ୧ ଘଟିକା ସମୟରେ ୧୦ ନଂ ୱାର୍ଡ଼ ହରିଡାବାଡିଠାରେ ଜାଗା ମିଶନ ଆନୁକୁଲ୍ୟରେ ” ଜାଗା ସଂପର୍କ’ କର୍ମଶାଳା ମାଧ୍ୟମରେ ବସ୍ତି ବାସିନ୍ଦାଙ୍କ ଦକ୍ଷତା ବୃଦ୍ଧି ସମ୍ପର୍କୀୟ ଏକ କର୍ମଶାଳାରେ ଯୋଗ ଦେଇଥିଲେ । ଅଧ୍ୟକ୍ଷାଙ୍କର ଏହି ମରାଥନ୍ ଗସ୍ତକୁ ନେଇ ସର୍ବସାଧାରଣରେ ବାହା ବାହା ମିଳୁଥିବାବେଳେ ବିରୋଧୀଙ୍କ ଶିବିରରେ ହୃଦକମ୍ପନ ସୃଷ୍ଟି ହେଉଥିବା ଶୁଣିବାକୁ ମିଳୁଛି ।