ମୋ ବସ୍‌-କାର ମୁହାଁମୁହିଁ ଧକ୍କା; ଜଣେ ମୃତ, ୧୫ ଗୁରୁତର

0 101

ପୁରୀ : ପୁରୀ ବାଲିଘାଇ ଛକ ନିକଟରେ ମୋ ବସ୍‌ ବ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ସମସ୍ତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଚିକିତ୍ସାଧିନ ଅବସ୍ଥାରେ କାର ଚାଳକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ କାର ଚାଳକ ହେଉଛନ୍ତି ସାତଶଙ୍ଖ ଗୁଡିଆ ପୋଖରୀ ଅଞ୍ଚଳର ସତ୍ୟ ଦାସ । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ, ଅଗ୍ନିଶମ ବାହିନୀ ଓ ବାଲିଘାଇ ଫାଣ୍ଡି ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ସେହିପରି ମୋ ବସଟି ଗଛରେ ପିଟି ହୋଇଯାଇଥିବାରୁ ବସ ଡ଼୍ରାଇଭରଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଅଗ୍ନିଶମ ବାହିନୀର କର୍ମଚାରୀମାନେ କଟର ମେସିନ୍‌ ସାହାଯ୍ୟରେ ବସକୁ କାଟି ଡ଼୍ରାଇଭରଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଛନ୍ତି । ସୂଚନା ଅନୁଯାୟୀ ଆଜି ସକାଳ ୬ ଟା ୧୫ ମିନିଟ୍‌ ସମୟରେ ପୁରୀରୁ କୋଣାର୍କ ଆଡ଼କୁ ମୋ ବସ ଯାଉଥିଲା । ବିପରୀତ ଦିଗରୁ ଏକ କାର୍‌ ଖୁବ ଜୋରରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ମୋ ବସ ଦେହରେ ଧକ୍କା ହୋଇଥିଲା । ଫଳରେ କାରରେ ଥିବା ୫ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ସାହାଯ୍ୟରେ ସମସ୍ତଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ଡାକ୍ତର କାର ଚାଳକଙ୍କୁ ମୃତ ଘୋଷଣା କରିଛନ୍ତି । ସେହିପରି ମୋ ବସରେ ଥିବା ପାଖାପାଖି ୧୦ ଜଣ ଯାତ୍ରୀ ଆହତ ହୋଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

hiranchal ad1
Leave A Reply

Your email address will not be published.

fifteen − thirteen =