୩ ଶିକ୍ଷକ-ଶିକ୍ଷୟିତ୍ରୀରେ ଚାଲିଛି ୧୬୦ ପିଲାଙ୍କ ପାଠପଢା

0 75

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ରାଇକଲା ପଞ୍ଚାୟତ କିଲକିଆ ଗ୍ରାମର ଆଶ୍ରମ ବିଦ୍ୟାଳୟ । ବହୁ ପୁରାତନ ଯାହା ୧୯୫୫ ମସିହାରେ ସ୍ଥାପିତ ହୋଇଥିଲା । ସ୍ୱତନ୍ତ୍ର ଭାବେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହି ବିଦ୍ୟାଳୟ ନିର୍ମିତ । କନ୍ଧମାଳ ଜିଲ୍ଲାରେ ସାଧାରଣତଃ ଅଧିକାଂଶ ଏହି ୨ ସମ୍ପ୍ରଦାୟର ଅଧିବାସୀ ବସବାସ କରୁଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ପାଠପଢ଼ା ପାଇଁ ସରକାର ସମସ୍ତ ଖର୍ଚ୍ଚ ବହନ କରିଥାନ୍ତି । ଯାହାକୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ସ୍ୱତନ୍ତ୍ର ଭାବେ ପରିଚାଳିତ । ଏହି କିଲାକିଆ ଆଶ୍ରମ ବିଦ୍ୟାଳୟରେ ସମୁଦାୟ ୧୬୦ ଜଣ ବିଦ୍ୟାର୍ଥୀ ପାଠ ପଢୁଥିବା ବେଳେ ସେଥିମଧ୍ୟରୁ ୧୧୪ ଜଣ ବାଳିକା ଓ ୪୬ ଜଣ ବାଳକ ଆଶ୍ରମରେ ରହି ପାଠ ପଢ଼ନ୍ତି । ଦୁର୍ଭାଗ୍ୟର କଥା ଯେ ଏହି ଆଶ୍ରମ ସ୍କୁଲରେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏ ଛାତ୍ର ଛାତ୍ରୀ ପଢୁଥିବା ବେଳେ ମାତ୍ର ୨ ଜଣ ଶିକ୍ଷୟତ୍ରୀ ଓ ଜଣେ ଶିକ୍ଷକ ଅଛନ୍ତି । ୨ ଜଣ ଶିକ୍ଷୟତ୍ରୀଙ୍କ ମଧ୍ୟରୁ ଜଣେ ଆଶ୍ରମ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କ ଦାୟିତ୍ୱ ନିର୍ବାହ କରନ୍ତି ଯାହା ଫଳରେ ଛାତ୍ର ଛାତ୍ରୀଙ୍କୁ ପାଠ ପଢେଇବାରେ ଅସୁବିଧା ହୁଏ । ଅନ୍ୟଜଣେ ବିଜ୍ଞାନ ଶିକ୍ଷୟତ୍ରୀ ଥିବା ବେଳେ ସେ ସବୁ ବିଭାଗର ପାଠ୍ୟକ୍ରମ ଅନୁସାରେ ପାଠ ପଢେଇଥାନ୍ତି । ଶିକ୍ଷକ ଶିକ୍ଷୟତ୍ରୀ ଅଭାବରୁ ପ୍ରଥମ ଓ ଦ୍ୱିତୀୟ କ୍ଲାସ ଛାତ୍ର ଛାତ୍ରୀଙ୍କୁ ଏକାଠି ଗୋଟିଏ କକ୍ଷରେ ବସିବାକୁ ପଡ଼ୁଚି । ସେହିପରି ୬ ଓ ୭ ମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ଏକାଠି ପାଠ ପଢ଼ାଯାଉଛି । ୨ ଗୋଟି ଶ୍ରେଣୀ ଗୃହ ସମ୍ପୂର୍ଣ ନଷ୍ଟ ହୋଇଯାଇଛି,ଯାହାଫଳରେ ୨ ଟି ଲେଖାଏ ଶ୍ରେଣୀର ପିଲାମାନଙ୍କୁ ଏକାଠି ବସି ପାଠ ପଢିବାକୁ ପଡେ । ସମୟ ସମୟରେ ପ୍ରଧାନ ଶିକ୍ଷୟତ୍ରୀ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପଢେଇଥାନ୍ତି । ୭ ଗୋଟି ଶ୍ରେଣୀର ୧୬୦ ଜଣ ଛାତ୍ର ଛାତ୍ରୀଙ୍କ ପାଇଁ ୨/୩ ଜଣ ଶିକ୍ଷକ ଅତୀ ଶୋଚନୀୟ ଅବସ୍ଥା । ସରକାର ୫-ଟି ମାଧ୍ୟମରେ ସ୍କୁଲ ଗୁଡିକର ରୂପରେଖ ବଦଳେଇବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏସଟି,ଏସସି ଆଶ୍ରମ ବିଦ୍ୟାଳୟ ପ୍ରତି ଧ୍ୟାନ ଦେବାକୁ ଅନୁରୋଧ । ବର୍ତ୍ତମାନ ଆଶ୍ରମରେ ଛୁଆଙ୍କ ଦାୟିତ୍ୱରେ ୨ ଜଣ ମେଟ୍ରନ, ୩ ଜଣ ରୋଷେୟା ଓ ଜଣେ ଏଏନଏମ ସ୍ୱାସ୍ଥ୍ୟ ତଦାରଖ ନିମନ୍ତେ ନିଯୁକ୍ତ ଅଛନ୍ତି । ବହୁତ୍‌ ସୁନ୍ଦର୍‌ ପ୍ରାକୃତିକ ପରିବେଶ ପୂର୍ଣ୍ଣ ଏହି ଶିକ୍ଷା ଅନୁଷ୍ଠାନଟି ବର୍ତ୍ତମାନ କେବଳ କାମଚଳାରେ ଚାଲିଛି । ଆଦିବାସୀ ଛାତ୍ରଛାତ୍ରୀଙ୍କ ଉନ୍ନତି ଓ ବିକାଶ ପାଇଁ ସରକାର ଲକ୍ଷଲକ୍ଷ ଟଙ୍କା ବ୍ୟୟ କରୁଥିବା ବେଳେ ଏହି ସ୍କୁଲରେ ଯଥାଶୀଘ୍ର ଆବଶ୍ୟକ ଅନୁସାରେ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁକ୍ତି କରିବାକୁ ପ୍ରଶାସନ ନିକଟରେ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

16 − four =