ରାୟଗଡାରେ ନକଲି ସାର୍ଟିଫିକେଟ ଜବତ, ଜଣେ ଅଟକ

0 67

ରାୟଗଡା: ଗ୍ରାମୀଣ ଡାକ ସେବକ ପଦବୀ ନିଯୁକ୍ତି ନିମନ୍ତେ ଆଜି ସାର୍ଟିଫିକେଟ ଯାଞ୍ଚ ବେଳେ ମିଳିଛି ୟୁପି ବୋର୍ଡ଼’ର ଗୋଟିଏ ମାଟ୍ରିକ ନକଲି ସାର୍ଟିଫିକେଟ । ଆଉ ଧରା ପଡିଛନ୍ତି ପଦବୀ ସକାଶେ ମେରିଟ ଲିଷ୍ଟରେ ଥିବା ଯୋଗ୍ୟ ପ୍ରାର୍ଥୀ । ସେ ହେଉଛନ୍ତି ରବି ହିଆଲ ନାମକ ଜଣେ ଯୁବକ । ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଘଣ୍ଟିଖାଳ ଗ୍ରାମରେ ତାଙ୍କ ଘର ବୋଲି ଜଣାପଡିଛି । ଏ ନେଇ ରାୟଗଡା ଡାକ ଉପ ଅଧିକ୍ଷକ ସି. ଏଚ. ଜବାହର ରାଓ ରାୟଗଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ରାୟଗଡା ଡାକ ମଣ୍ଡଳରେ ୬୮ଟି ଗ୍ରାମୀଣ ଡାକ ସେବକ ପଦବୀ ପୂରଣ ନିମନ୍ତେ ଚଳିତ ବର୍ଷ ଅନଲାଇନ ମାଧ୍ୟମରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ୩୪ଜଣ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ବିଭାଗ ତରଫରୁ ସରକାରଙ୍କ ଅନଲାଇନ ପୋର୍ଟାଲ ଡି ଜି ଲୋକରରେ ଆବେଦନକାରୀଙ୍କ ସମସ୍ତ ସାର୍ଟିଫିକେଟ ଯାଞ୍ଚ କରାଯାଇ ନିଯୁକ୍ତି ପ୍ରଦାନ କରାଯାଉଛି । ପ୍ରଥମେ ୨୬ ଜଣଙ୍କ ସାର୍ଟିଫିକେଟ ଭେରିଫିକେସନ ହୋଇସାରିଥିବା ବେଳେ ଆଜି ବଳକା ୮ ଜଣଙ୍କ ମଧ୍ୟରୁ ରବି ହିଆଲ ନିଜ ସାର୍ଟିଫିକେଟ ଧରି ଆଜି ରାୟଗଡା ଡାକ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ସେଠାରେ ତାଙ୍କର ସମସ୍ତ ପ୍ରମାଣପତ୍ର ଯାଞ୍ଚ ବେଳେ ରବି ଦେଇଥିବା ୨୦୧୧ ବର୍ଷର ୟୁପି ବୋର୍ଡ଼ ମାଟ୍ରିକ ସାର୍ଟିଫିକେଟରେ ସନ୍ଦେହ ଉପୁଜିବାରୁ ସାର୍ଟିଫିକେଟ ଯାଞ୍ଚ କରୁଥିବା ଡାକ ଉପ ଅଧିକ୍ଷକ ଶ୍ରୀ ରାଓ ଡିଜି ଲକର ଓ ୟୁପି ବୋର୍ଡ଼ରେ ଖୋଳତାଡ଼ କରିବା ପରେ ତାହା ନକଲି ବୋଲି ଜଣାପଡିଥିଲା । ତେବେ ରବି ଏହି ନକଲି ସାର୍ଟିଫିକେଟ କେମିତି ପାଇଲେ ବୋଲି କିଛି କହୁ ନ ଥିବା ବେଳେ ନକଲି ସାର୍ଟିଫିକେଟ ପ୍ରଦାନ କରିଥିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ରାୟଗଡା ପୋଲିସ ଥାନାରେ ଅଭିଯୋଗ କରାଯାଇଛି ବୋଲି ଶ୍ରୀ ରାଓ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

19 + eleven =