ଛାତ୍ରଛାତ୍ରୀଙ୍କୁ ବିଷ ଦେଇ ମାରିଦେବା ଧମକ ଘଟଣା; ରୋଷେୟାଙ୍କ ବହିଷ୍କାର ଦାବିରେ ଅଟଳ ଗ୍ରାମବାସୀ, ଅତିରିକ୍ତ ଶିକ୍ଷା ଅଧିକାରୀ ନିରାଶ

0 223

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍‌ ଦୁଡ଼ା ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ବିଷ ଦେଇ ମାରିଦେବାକୁ ଧମକ ଦେବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି । ତଦନ୍ତ କରିବାକୁ ଶିକ୍ଷା ବିଭାଗ ପଛଘୁଞ୍ଚା ଦେଉଥିବା ବେଳେ ଲୁଚିଛପି ଘଟଣାର ତଦନ୍ତ ହେଉଥିବା ଜଣାପଡ଼ିଛି । ଫଳରେ ହରଡ଼ଘଣାରେ ପଡିଛି ଶିକ୍ଷା ବିଭାଗ । ଏ ନେଇ ବ୍ଲକ୍‌ ଶିକ୍ଷା ଅଧିକାରୀ ଫୋନ୍‌ ଉଠାଉନଥିବା ବେଳେ ଅତିରିକ୍ତ ଶିକ୍ଷାଧିକାରୀ ମୁହଁ ଖୋଲୁନାହାନ୍ତି । ଖବରରୁ ଜଣାପଡିଛି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଅତିରିକ୍ତ ଶିକ୍ଷା ଅଧିାକରୀଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦେଇଛନ୍ତି । କିନ୍ତୁ ଗ୍ରାମବାସୀ ସଂପୃକ୍ତ ରୋଷେୟାଙ୍କ ବହିଷ୍କାର ଜିଦ୍‌ରେ ଅଟଳ ଥିବାରୁ ଅତିରିକ୍ତ ଶିକ୍ଷା ଅଧିକାରୀ ନିରାଶ ହୋଇ ଫେରିଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ଉକ୍ତ ବିଦ୍ୟାଳୟର ଦୁବା ଓ କନଡ଼ି ଗ୍ରାମର ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଅଧ୍ୟୟନ କରିଥାନ୍ତି । ବିଦ୍ୟାଳୟର ପାଚିକା ଭଗବତୀ ଜାନୀ ପ୍ରତିଦିନ କମ୍‌ ପରିମାଣର ମଧ୍ୟାହ୍ନ ଭୋଜନ ଖାଇବାକୁ ଦେଇଥାନ୍ତି । ଏହି ଘଟଣାକୁ କନଡ଼ି ଗ୍ରାମର ଅଭିଭାବକ ଅଭିଯୋଗ କରିବା ପରେ ରୋଷେୟାଙ୍କ ମୁଣ୍ଡରେ ପିତ୍ତ ଚଢ଼ି ଯାଇଥିଲା ଏବଂ ସେ ଖାଦ୍ୟରେ ବିଷ ଦେଇ ମାରିଦେବେ ବୋଲି ଛାତ୍ରଛାତ୍ରୀଙ୍କୁ ଧମକ ଦେଇଥିବା ଅଭିଭାବକ ଓ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । ଜୀବନ ପ୍ରତି ବିପଦ ଥିବାରୁ କନଡ଼ି ଗ୍ରାମର ୨୭ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟ ମାଡୁନଥିବାରୁ ବିଦ୍ୟାଳୟରେ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନୟାଗଡ଼ ଜିଲ୍ଲାପାଳଙ୍କ ପାଖରେ ଫେରାଦ୍‌ ହୋଇ ଘଟଣାର ତଦନ୍ତ ଏବଂ ରୋଷେୟାଙ୍କ ବହିଷ୍କାର ଦାବି କରିଥିଲେ । ଜିଲ୍ଲାପାଳ ଘଟଣାର ତଦନ୍ତ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶିକ୍ଷା ବିଭାଗ ନିଦ ହଜିଯାଇଥିଲା । ଘଟଣାକୁ କିଭଳି ସାମ୍ନା କରିବେ
ସେଥିପାଇଁ ଯୋଜନା କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ବ୍ଲକ୍‌ ଶିକ୍ଷା ଅଧିକାରୀ ଭକ୍ତିବିନୋଦ ସଲ, ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ୟାମ ଜାନୀଙ୍କୁ ତଦନ୍ତ ପାଇଁ ପଠାଇଥିଲେ । ଦୁଇଥର ଘଟଣାର ତଦନ୍ତ ପାଇଁ ଯାଇଥିଲେ ମଧ୍ୟ ଗ୍ରାମବାସୀ ରୋଷେୟାଙ୍କୁ ବହିଷ୍କାର କରିବା ଜିଦ୍‌ରେ ଅଟଳ ଥିବାରୁ ଅତିରିକ୍ତ ଶିକ୍ଷା ଅଧିକାରୀ ନିରାଶ ହୋଇ ଫେରିଛନ୍ତି । ଏହି ଘଟଣାରେ ବ୍ଲକ୍‌ ଶିକ୍ଷା ଅଧିକାରୀ ଫୋନ୍‌ ଉଠାଉନଥିବା ବେଳେ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଜାନୀ ବ୍ଲକ ଶିକ୍ଷା ଅଧିକାରୀଙ୍କ ବିନା ନିର୍ଦ୍ଦେଶରେ ମତାମତ ଦେଇ ହେବନାହିଁ ବୋଲି ସ୍ପଷ୍ଟ ଭାବରେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

5 × five =