ମାଡିଗଲା କଣ୍ଟେନର,ଚାଲିଗଲା ମାଛ ବିକାଳୀଙ୍କ ଜୀବନ

0 79

ରାୟଗଡା: ବାଇପାସ ରହିଛି ନାମକୁ ମାତ୍ର । ଦିନକୁ ଦିନ ରାୟଗଡା ସହର ମଧ୍ୟ ଦେଇ ଯାଉଥିବା ମାଲବାହୀ ଭାରିଯାନ ପାଇଁ କିଛି ନା କିଛି ଛୋଟ ବଡ଼ ସଡ଼କ ଦୁର୍ଘଟଣା ଘଟୁଛି । ଆଉ ଅକାଳରେ ଚାଲି ଯାଉଛି ଜୀବନ । ୧୨ଦିନ ବ୍ୟବଧାନରେ ପୁଣି ରାୟଗଡା ସହର ଭିତରେ ଆଜି ସଡକ ଦୁର୍ଘଟଣାରେ ଚାଲି ଯାଇଛି ଆଉ ଜଣେ ନିରୀହ ଲୋକଙ୍କ ଜୀବନ । ସହର ମଧ୍ୟ ଦେଇ ଯାଇଥିବା ୩୨୬ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ସ୍ଥାନୀୟ ପୂର୍ତ୍ତ ବଙ୍ଗଳା ନିକଟରେ ଘଟିଛି ସଡ଼କ ଦୁର୍ଘଟଣା । ଆଜି ଭୋର ସାଢେ ୫ଟା ସମୟରେ ବୋଚା ପ୍ରକାଶ ନାମକ ଜଣେ ମାଛ ବ୍ୟବସାୟୀଙ୍କ ଉପରକୁ ମାଡିଗଲା ଏକ ମାଲବୋଝେଇ କଣ୍ଟେନର ଟ୍ରକ । ଘଟଣା ସ୍ଥଳରେ ହିଁ ପ୍ରକାଶଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା କଣ୍ଟେନର ଡ୍ରାଇଭର ଫେରାର ହୋଇଯାଇଛି । ମୃତକଙ୍କ ଘର ରାୟଗଡା ଉପକଣ୍ଠ ଖୋଲିଗୁଡା ଗ୍ରାମରେ ବୋଲି ଜଣାପଡିଛି । ନିଜ ବାସଭବନ ଠାରୁ ମାତ୍ର ୨୦୦ ମିଟର ଦୂରତାରେ ସଡ଼କ ଦୁର୍ଘଟଣାରେ ଜଣଙ୍କ ଜୀବନ ଚାଲି ଯାଇଥିବା ଖବର ପାଇ ଘଟଣା ସ୍ଥଳରେ ପହଂଚି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଥାନା ଅଧିକାରୀ କେ.କେ. ବି. କେ. କହଁର ଓ ଅନ୍ୟ ପୋଲିସ କର୍ମଚାରୀ ପହଂଚି ଟ୍ରକକୁ ଜବତ କରିବା ସହ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ତେବେ ମୃତକଙ୍କ ପରିବାର ଏବଂ ଗ୍ରାମବାସୀ ମାନେ କ୍ଷତିପୂରଣ ଦାବି କରି କିଛି ଘଣ୍ଟା ଧରି ରାସ୍ତା ଅବରୋଧ କରିଥିବା ବେଳେ ପୋଲିସ ସମସ୍ତଙ୍କୁ ବୁଝାସୁଝା କରି ଅବରୋଧ ହଟାଇଥିଲେ । ସୂଚନା ମୁତାବକ ୩୨୬ ନମ୍ବର ଜାତୀୟ ରାଜପଥ ରାୟଗଡାର ପୂର୍ତ୍ତ ବଙ୍ଗଳା ପାଚେରୀକୁ ଲାଗି ରହିଥିବା ନିଜ ମାଛ ଦୋକାନକୁ ନିଜ ଠେଲା ଗାଡ଼ିରେ ମାଛ ନେଇ ରଖୁଥିବା ସମୟରେ ଦ୍ରୁତ ବେଗରେ ଆସୁଥିବା ଏକ କଣ୍ଟେନର ଟ୍ରକ ଭରାସାମ୍ୟ ହରାଇ ରାସ୍ତା କଡ଼ ଦୋକାନରେ ମାଛ ରଖୁଥିବା ପ୍ରକାଶ ଉପରକୁ ମାଡି ଯାଇଥିଲା । ଠେଲା ଗାଡି ବି ଟ୍ରକ ଧକ୍କାରେ ନଷ୍ଟ ହୋଇ ଯାଇଥିବା ବେଳେ ଟ୍ରକ ଚକା ତଳେ ପଡି ପ୍ରକାଶର ମୃତ୍ୟୁ ହୋଇଥିଲା ।

hiranchal ad1
Leave A Reply

Your email address will not be published.

six + sixteen =