କୋଶଲ ରାଜ୍ୟ ଦାବିରେ ତେଜୁଛି ଆନ୍ଦୋଳନ, ଆସନ୍ତା ୨୯ରେ ଜାତୀୟ ରାଜପଥ ଅବରୋଧ

0 130

ସୁବର୍ଣ୍ଣପୁର: ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଆନ୍ଦୋଳନ । ଏହାକୁ ଆହୁରି ତୀବ୍ରତର କରିବା ପାଇଁ ଆସନ୍ତା ୨୯ ତାରିଖରେ ଦୁଇ ଘଣ୍ଟା ପାଇଁ ଜାତୀୟ ରାଜପଥ ଅବରୋଧ ପାଇଁ କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା(କେଏମ୍‌ଏମ୍‌) ପକ୍ଷରୁ ସୂଚନା ଦିଆଯାଇଛି । ଜୁଲାଇ ୫ ତାରିଖରେ ବିଧାନସଭା ଘେରାଉ କରି ମୌସୁମୀ ଅଧିବେଶନରେ ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ପାଇଁ ଏକ ପ୍ରସ୍ତାବ ପାରିତ କରିବା ପାଇଁ ଦାବି କରାଯାଇଥିଲା । ତେବେ ସରକାର ଦାବି ନେଇ ବିଧାନସଭାରେ କୌଣସି ଆଲୋଚନା କଲେ ନାହିଁ । ଏହାର ପ୍ରତିବାଦ ସ୍ୱରୂପ ଆସନ୍ତା ୨୯ ତାରିଖରେ ସକାଳ ୯ଟାରୁ ୧୧ଟା ଯାଏଁ ପୂର୍ବାଞ୍ଚଳ ସହ ସଂଯୋଗ ଜାତୀୟ ରାଜପଥକୁ ଅବରୋଧ କରାଯିବ ବୋଲି କେଏମ୍‌ଏମ୍‌ ପକ୍ଷରୁ କୁହାଯାଇଛି । ଶାନ୍ତିପୂର୍ଣ୍ଣ ଭାବେ ଅର୍ଥନୈତିକ ଅବରୋଧ କରି କୃଷି, ଖଣି, ଖାଦାନ, ଜଙ୍ଗଲରେ ପରିପୂର୍ଣ୍ଣ ପଶ୍ଚିମ ଓଡିଶାରୁ ୨ ଘଣ୍ଟା ପାଇଁ କୌଣସି ସାମଗ୍ରୀ ପୂର୍ବ ଓଡିଶାକୁ ପରିବହନ ପାଇଁ ଦିଆଯିବ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କେଏମ୍‌ଏମ୍‌ ପକ୍ଷରୁ ସୂଚନା ଦିଆଯାଇଛି । ସ୍ଥାନୀୟ କସ୍ତୁରୀ ହୋଟେଲରେ ବରିଷ୍ଠ ଆଇନଜୀବୀ ଶ୍ୟାମାଓଁ ପ୍ରସାଦ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସିପୁନ ଖମାରୀ, ଜଗନ ମେହେର, ସୁଶୀଳ ଗୁରୁ, ନିତୀନ ପ୍ରଧାନ, ଗଣେଶ ସାହୁ, ଡିଙ୍ଗର କୁମାର ପ୍ରମୁଖ ଯୋଗ ଦେଇଥିଲେ । ଆଞ୍ଚଳିକ ବୈଷମ୍ୟବାଦର ଶିକାର ହୋଇଥିବାରୁ ସରକାର ଡବ୍ଲୁଓଡିସି ଗଠନ କରିଛନ୍ତି । ଏହାସତ୍ତେ୍ୱ ମଧ୍ୟ ଏହି ଅଞ୍ଚଳ ଆହୁରି ଅଣଦେଖା କରାଯାଉଛି । ବିଭିନ୍ନ କଳକାରଖାନାରେ ଏ ଅଞ୍ଚଳର ଯୁବକଙ୍କୁ ନିଯୁକ୍ତି ମିଳୁନାହିଁ । ସମସ୍ତ ସମସ୍ୟାର ଏକମାତ୍ର ସମାଧାନ ସ୍ୱତନ୍ତ୍ର କୋଶଲ ପ୍ରଦେଶ ବୋଲି ସିପୁନ ଖମାରୀ କହିଥିଲେ । ତେବେ ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ପାଇଁ ଭବିଷ୍ୟତରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ । ସାରା ପଶ୍ଚିମ ଓଡିଶାରେ ମହାବନ୍ଦ ପାଳନ ହେବ ବୋଲି କେଏମ୍‌ଏମ୍‌ ପକ୍ଷରୁ ସୂଚନା ଦିଆଯାଇଥିଲା । ପରେ କୋଶଲ ରାଜ୍ୟ ଦାବି ନେଇ ମଝିପଡା-ଘୋଡାଘାଟପଡା ରାସ୍ତାରେ କେଏମ୍‌ଏମ୍‌ ଯୁବ ବାହିନୀ ପକ୍ଷରୁ ବିଭିନ୍ନ ନାରାବାଜି କରାଯାଇ ଥିଲା । କେଏମ୍‌ଏମ୍‌ର ଏତାଦୃଶ ନିଷ୍ପତ୍ତିରେ ଜନସାଧାରଣରେ ବିଶେଷ ଆଦୃତି ପାଇଥିବାର ଲକ୍ଷ୍ୟ କରାଯାଇଛି ।

hiranchal ad1
Leave A Reply

Your email address will not be published.

nine + twelve =