ଭିନ୍ନ ଭିନ୍ନ ଆନ୍ତଃରାଜ୍ୟ ସଶସ୍ତ୍ର ଡକାୟତି ଘଟଣାରେ ୨୮ ଗିରଫ

0 142

ସମ୍ବଲପୁର: ଓଡ଼ିଶାରୁ ବଙ୍ଗାଳ ପର୍ଯ୍ୟନ୍ତ ପ୍ରସାରିତ ଅନେକ ଡକାୟତି ଓ ସାର୍ବଜନିକ ସମ୍ପତ୍ତି ଲୁଟ ଘଟଣା ସହିତ ଜଡ଼ିତ ୨୮ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଏକ ଦେଶୀ ପିସ୍ତଲ, ୩ଟି ଟ୍ରକ ଓ ଗୋଟିଏ ବୋଲେରୋ ଗାଡ଼ି ଜବତ କରାଯାଇଛି । ଏବିଷୟରେ ପୁଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ସ୍ଥାନୀୟ ଯୁଯୁମୁରା ପୁଲିସ ଥାନାରେ ଗତ ୧୬ଜୁଲାଇ ଦିନ କେସ କ୍ରମାଙ୍କ ୧୦୫ ଅନ୍ତର୍ଗତ ଏକ ମାମଲା ରୁଜୁ କରାଯାଇ ଭାରତୀୟ ଦଣ୍ଡବିଧିର ଧାରା ୩୯୫ ଓ ଆଗ୍ନେୟାସ୍ତ୍ର ଆଇନ ଧାରା ୨୫ ଅନ୍ତର୍ଗତ ଅପରାଧ କାୟମ କରାଯାଇଛି । ଏହାର ପୂର୍ବ ଦିନ ୧୫ ଜୁଲାଇରେ ସେଠାରେ କାର୍ଯ୍ୟରତ କେଇସି କମ୍ପାନୀ ପ୍ରବନ୍ଧକ ଏମ ସିଦେ୍ଧଶ୍ୱରନ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ କି ରେଢ଼ାଖୋଲ ଅଞ୍ଚଳରେ ତାଙ୍କ କମ୍ପାନୀ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପାଇଁ ପାଇପ ଲାଇନ ବିଛାଇବା କାମ କରୁଛି ଓ ତାଙ୍କର ଅମ୍ଲିପାନି ଗୋଦାମରୁ ବହୁ ମାତ୍ରାରେ ପାଇପ ଚୋରି ହୋଇଯାଇଛି । ତାଙ୍କର ଅଭିଯୋଗ ଅନୁସାରେ ସେହି ରାତିରେ ଅସ୍ତ୍ରଶସ୍ତ୍ର ଧରି ପ୍ରାୟ ୨୫/୨୬ ଜଣ ଚୋର ବଳପୂର୍ବକ ତାଙ୍କ ଗୋଦାମରୁ ଦୁଇଟି ଟ୍ରକରେ ପ୍ରାୟ ୩୬ ଲକ୍ଷ ଟଙ୍କା ମୂଲ୍ୟର ୫୫୦ଟି ପାଇପ ନେଇ ଯାଇଥିଲେ । ତଦନ୍ତରୁ ଜଣାପଡ଼ିଥିଲା ଯେ ରେଢ଼ାଖୋଲ ଆଖପାଖ ୪ଟି ବ୍ଲକର ୪୨ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୩୮୧ଟି ଗାଁ’ରେ ଉକ୍ତ କମ୍ପାନୀ ସରକାରୀ ଆଦେଶ ବଳରେ ପାଇପ ଲାଇନ ବିଛାଇବା କାମ କରୁଛି ଓ ଉକ୍ତ ଡକାୟତି ଯୋଗୁଁ ସେସବୁ କାମ ବନ୍ଦ ହୋଇଯାଇଛି । ଏହି ଡକାୟତି ଦଳର ସର୍ଦ୍ଦାର ରୂପେ କଟକ ଜିଲ୍ଲାର ବାଙ୍କୀ ନିବାସୀ ରାଜକିଶୋର ନାଏକ ଓରଫ ରାଜୁକୁ ଚିହ୍ନଟ କରି ଗିରଫ କରାଗଲା ଓ ତାଠାରୁ ପ୍ରାପ୍ତ ସୂଚନା ବଳରେ ତାହାର ବାକି ୨୫ଜଣ ସହଯୋଗୀ ଓ ଚୋରା ପାଇପ କିଣିଥିବା ଦୁଇଜଣଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମାମଲାର ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।

hiranchal ad1
Leave A Reply

Your email address will not be published.

2 × 5 =