ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ରେଳ ଷ୍ଟେସନ ପରିସର ଏବଂ ପୁରୁଣା କୋର୍ଟ ଛକ ଠାରେ ଦୁଇ ଗୋଟି ହାଇମ୍ୟାକ୍ସ ଲାଇଟ ଉଦଘାଟିତ ହୋଇଯାଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ସହରର ଏହି ଦୁଇ ସ୍ଥାନରେ ହାଇମ୍ୟାକ୍ସ ଲାଇଟ ଉଦଘାଟନ କରିଛନ୍ତି । ଏହି ଅବସରରେ ବିଜେଡି ସଭାପତି ପ୍ରଦୀପ ନାୟକ, ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଉପାଧ୍ୟକ୍ଷ ଲେଙ୍କାମଧୁ ପ୍ରମୁଖଙ୍କ ସହ ପୌର ପରିଷଦର କାଉନସିଲର, ବିଜେଡିର ବରିଷ୍ଠ ନେତା, କର୍ମୀ ଓ ଜନ ସାଧାରଣ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ସାହୁ କହୁଛନ୍ତି ଯେ ରେଳ ଷ୍ଟେସନ ପରିସର ଅନ୍ଧାରିଆ ହୋଇ ରହିଥିବାରୁ ରେଳଯାତ୍ରୀ ରାତ୍ର ସମୟରେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏହାକୁ ଲକ୍ଷ୍ୟ କରି ସାଂସଦ ପାଣ୍ଠିରୁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ତୁରନ୍ତ ଶେଷ କରାଯାଇଥିଲା । ରେଳ ଷ୍ଟେସନ ଠାରେ ଆଲୋକୀକରଣ ବ୍ୟବସ୍ଥାକୁ ନେଇ ଲୋକେ ବହୁ ଖୁସି ପ୍ରକଟ କରିବା ସହ ସାଂସଦ ଶ୍ରୀ ସାହୁଙ୍କୁ ସାଧୁବାଦ ଜଣାଇଥିଲେ । ସେହିପରି ପୁରୁଣା କୋର୍ଟ ଛକ ସହରର ଏକ ପ୍ରମୁଖ ଛକ ହୋଇ ଥିଲେ ହେଁ ଏହି ଅଞ୍ଚଳରେ ଆଲୋକୀକରଣ ବ୍ୟବସ୍ଥା ନ ଥିଲା । ଏଠାରେ ମଧ୍ୟ ସାଂସଦ ଶ୍ରୀ ସାହୁ ସାଂସଦ ପାଣ୍ଠିରୁ ୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ଉଭୟ ସ୍ଥାନ ଜନଗହଳି ପୂର୍ଣ୍ଣ ଏବଂ ରାତ୍ର ସମୟରେ ଅନ୍ଧାରିଆ ପରିବେଶ ହୋଇ ଥିବାରୁ ସାଧାରଣରେ ନାନାଦି ଆଲୋଚନା ହେଉଥିଲା । ତେବେ ବିଳମ୍ବ ହେଲେ ମଧ୍ୟ ଉଜ୍ୱଳ ମୟ ପରିବେଶ ସୃଷ୍ଟି କରିଥିବାରୁ ସହର ବାସୀଙ୍କ ପକ୍ଷରୁ ସାଂସଦଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।