ଟ୍ରେନ୍‌ ଧକ୍କାରେ ଯୁବକ ମୃତ

0 72

ସୁବର୍ଣ୍ଣପୁର: ଜିଲ୍ଲାର ଡୁଙ୍ଗୁରିପାଲି ରେଲୱେ କ୍ରସିଂରେ ଟ୍ରେନ ଧକ୍କାରେ ଲୋଇସିଂହାର ପୂର୍ବତନ ବିଧାୟକ ବାଳଗୋପାଳ ମିଶ୍ରଙ୍କ ମଝିଆଁ ପୁଅ ଅବିନାଶ ମିଶ୍ରଙ୍କ ମୃତ୍ୟୁ ହୋଇଛି । ଆଜି ଭୋରରୁ ଅବିନାଶ ମର୍ନିଂ ୱାକରେ ବାହାରିଥିଲେ । ରେଲୱେ ଲାଇନ ପାର କରୁଥିବା ବେଳେ ହଠାତ ପଛ ପଟରୁ ଟ୍ରେନ ଆସି ପିଟି ଦେଇଥିଲା । ଫଳରେ ଅବିନାଶ ଟ୍ରେନ ଲାଇନ ପାର୍ଶ୍ୱକୁ ଛିଛାଡି ହୋଇ ପଡ଼ିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଅବିନାଶ ମୋବାଇଲ ହେଡଫୋନ କାନରେ ଲଗାଇ ଥିବାରୁ ଟ୍ରେନ ଆସୁଥିବା ସେ ଜାଣି ପାରି ନ ଥିଲେ । ତେବେ ସ୍ଥାନୀୟ ଲୋକେ ଅବିନାଶଙ୍କୁ ନେଇ ଡୁଙ୍ଗୁରିପାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅତ୍ୟଧିକ ରକ୍ତସ୍ରାବ ଓ ମୁଣ୍ଡରେ ଖୁବ ଯୋରରେ ଆଘାତ ଯୋଗୁଁ ଅବିନାଶଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଅବିନାଶ ବଲାଙ୍ଗିର ଜିଲ୍ଲା ସାଲେଭଟା ଗାଁର ପୂର୍ବତନ ବିଧାୟକ ତଥା କୋଶଳବାଦୀ ନେତା ବାଳଗୋପାଳ ମିଶ୍ରଙ୍କ ମଝିଆଁ ପୁଅ । ତାଙ୍କୁ ୪୮ ବର୍ଷ ହୋଇଥିବା ବେଳେ ସେ ସପରିବାର ଡୁଙ୍ଗୁରିପାଲି ସହରରେ ରହୁଥିଲେ । ତାଙ୍କର ଗୋଟିଏ ପୁଅ ଓ ସ୍ତ୍ରୀ ସହ ପୁଅକୁ ପାଠ ପଢ଼ାଇବା ପାଇଁ ଡୁଙ୍ଗୁରିପାଲି ସହରରେ ରହୁଥିଲେ । ତାଙ୍କର ମୃତ୍ୟୁ ଖବର ମିଳିବା ପରେ ଡୁଙ୍ଗୁରିପାଲି ସହର ସମେତ ସାଲେଭଟା ଓ ବଲାଙ୍ଗିର ସହରରେ ଶୋକର ଛାୟା ଖେଳିଯାଇଛି । ଅବିନାଶଙ୍କ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସହିତ ପାରିବାରିକ ସମ୍ପର୍କ ରହିଛି । ଅବିନାଶ ପୂର୍ବରୁ ବିଜେପି ଦଳର ଜଣେ ସକ୍ରିୟ ନେତା ରହିଥିବା ବେଳେ ଏବେ କିଛି ଦିନ ହେଲା ସେ ରାଜନୀତି ଠାରୁ ଦୂରେଇ ରହିଥିଲେ । ଡୁଙ୍ଗୁରିପାଲି ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହିତ ଏହି ଅଭାବନୀୟ ମୃତ୍ୟୁର ଅନୁସନ୍ଧାନ କରୁଛି । ଶବ ବ୍ୟବଚ୍ଛେଦ ପରେ ଅବିନାଶଙ୍କ ସାଲେଭଟା ସ୍ମଶାନରେ ଅନ୍ତିମ ସଂସ୍କାର କରିବେ ବୋଲି ଜଣାପଡିଛି । ଅବିନାଶଙ୍କ ଶେଷ ଦର୍ଶନ ପାଇଁ ତାଙ୍କର ଆତ୍ମୀୟ ସ୍ୱଜନ, ସମର୍ଥକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନୈତିକ ନେତା ତାଙ୍କ ବାସଭବନରେ ଅପେକ୍ଷା କରିଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

6 + 15 =