କୁମ୍ଭାରୀପଦର ଭୂସ୍ଖଳନ ଘଟଣା: ଭୁତତ୍ତ୍ୱବିତଙ୍କ ନମୁନା ସଂଗ୍ରହ, ପରୀକ୍ଷା ପାଇଁ ଗଲା ମାଟି

0 64

ବାଲିଗୁଡ଼ା: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ କୁମ୍ଭାରୀପଦର ନିକଟରେ ଥିବା ଉପକଣ୍ଠ ପାହାଡ଼ରେ ଅଧ କି.ମି. ଦୀର୍ଘର ଏକ ଫାଟ ଦେଖାଯାଇ ଧିରେ ଧିରେ ତାହାର ଦୀର୍ଘତା ବଢ଼ିବାରେ ଲାଗିଛି । ଏହାର ବିପଦ ସଙ୍କୁଳତାକୁ ଲକ୍ଷ୍ୟ କରି କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶନିବାର ଦିନ ବ୍ରହ୍ମପୁର ମାଇନ୍ସ ଏବଂ ଭୂତତ୍ତ୍ୱବିତ୍‌ ନିର୍ଦ୍ଦେଶାଳୟରୁ ଏକ ୪ ଜଣିଆ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣା ସ୍ଥଳରୁ ମାଟି, ବାଲି ଓ ପଥରର ୫ଟି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି । ପରୀକ୍ଷା ପରେ ସେହି ଘଟଣାର ସବିଶେଷ ବିବରଣୀ ପ୍ରଦାନ କରାଯିବ ବୋଲି ଟିମ ପକ୍ଷରୁ କୁହାଯାଇଛି । ବ୍ରହ୍ମପୁରରୁ ଭୂତତ୍ତ୍ୱବିତ୍‌ ଲାଜୱନ୍ତି ଦେବୀଙ୍କ ସହ ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର, ତହସିଲଦାର ଡ. ଅଶୋକ କୁମାର ଦାସ, ହାତୀମୁଣ୍ଡା ସରପଞ୍ଚ ନବନିତା କପାଟପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ପାହାଡ଼ ପ୍ରଥମେ ତିତ୍‌ଲି ବାତ୍ୟା ସମୟରେ ଭୂସ୍ଖଳନ ହୋଇଥିଲା । ପୁଣି ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁ ଏକାଧିକ ଥର ଭୁସ୍ଖଳନ ଘଟିଛି । ପାହାଡ଼ରୁ ମାଟି ଅତଡ଼ା ଖସିବା ସହ ବଡ଼ ବଡ଼ ଗର୍ତ୍ତ ମଧ୍ୟ ସୃଷ୍ଟି ହୋଇଛି । ସେହିପରି ପାହାଡ଼ରେ ଥିବା ଏକ ଆମ୍ବ ଗଛ ପ୍ରାୟ ୩୦ ମିଟର ପର୍ଯ୍ୟନ୍ତ ଭୂସ୍ଖଳନରେ ଘୁଞ୍ଚି ଯାଇଛି । ସେହିପରି ବାଉଁଶ ଗଛଗୁଡ଼ିକ ମଧ୍ୟ ଘୁଞ୍ଚି ଅନ୍ୟତ୍ର ଯାଇଥିବା ଗ୍ରାମବାସୀ ଭୂତତ୍ତ୍ୱବିତ୍‌ଙ୍କୁ ଜଣାଇଥିଲେ । ଉକ୍ତ ଟିମ୍‌ ବୁଲିଦେଖିବା ସହ ଘାଟଣାସ୍ଥଳରୁ ମାଟି, ପଥର ସଂଗ୍ରହ କରି ନେଇଛନ୍ତି । ସେଗୁଡ଼ିକ ପରୀକ୍ଷା କରାଯିବା ପରେ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି ବ୍ରହ୍ମପୁରରୁ ଆସିଥିବା ଭୂତତ୍ତ୍ୱବିତ୍‌ ଲାଜୱନ୍ତି ଦେବୀ କହିଛନ୍ତି । ତେବେ ଗ୍ରାମବାସୀ ପ୍ରଶାସନର ପଦକ୍ଷେପକୁ ସ୍ୱାଗତ ଜଣାଇବା ସହ ଶୀଘ୍ର ଏହାର ସମାଧାନର ବାଟ ବାହାର କରି ଗ୍ରାମବାସୀଙ୍କୁ ଅନ୍ୟତ୍ର ଥଇଥାନ କରିବାକୁ ଲୋକେ ଦାବି କରିଛନ୍ତି । ସୂଚନାଯୋଗ୍ୟ, ଗତମାସ ଲଗାଣ ବର୍ଷାରେ ଏକାଧିକ ଥର ଭୂସ୍ଖଳନ ଘଟିଥିବା ବେଳେ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର ୪ଶହ ଗ୍ରାମବାସୀଙ୍କୁ ନିକଟସ୍ଥ ତାମାଙ୍ଗି ବିଦ୍ୟାଳୟକୁ ଆଶ୍ରୟସ୍ଥଳୀ କରାଯାଇ ପଠାଯାଇଥିଲା । ଏବେ ସେମାନଙ୍କୁ ନିଜ ଗ୍ରାମକୁ ଫେରେଇ ନିଆଯାଇଛି ।

hiranchal ad1
Leave A Reply

Your email address will not be published.

8 + fourteen =