ମହାନଦୀ ଉପରେ ନିର୍ମାଣ ହେବ ଆଉ ଏକ ସେତୁ

0 778

ଦଶପଲ୍ଲା : ମହାନଦୀ ଉପରେ ନିର୍ମାଣ ହେବ ଆଉ ଏକ ସେତୁ । ଏଥିପାଇଁ ସରକାରୀ ସ୍ତରରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହି ସେତୁ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍‌ ଅନ୍ତର୍ଗତ ବଡ଼ମୂଳରୁ ମହାନଦୀର ଅପରପାର୍ଶ୍ୱରେ ଥିବା କଟକ ଜିଲ୍ଲା ନରସିଂହପୁର ବ୍ଲକ୍‌ ବାଲିପୁଟ ସହିତ ସଂଯୋଗ ହେବ । ଏଥିପାଇଁ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ସର୍ଭେ କାମ ଆରମ୍ଭ ହୋଇଯାଇଛି । ନୟାଗଡ଼ ଜିଲ୍ଲାର ବଡ଼ମୂଳଠାରୁ କଟକ ଜିଲ୍ଲାର ବାଲିପୁଟ ପର୍ଯ୍ୟନ୍ତ ମହାନଦୀ ଉପରେ ହେବାକୁ ଥିବା ଏହି ସେତୁର ଲମ୍ବ ପ୍ରାୟ ୨ କିମି ରହିବ ବୋଲି ଆପାତତଃ ଜଣାଯାଇଛି । ସେତୁ ନିର୍ମାଣ ଦ୍ୱାରା ନୟାଗଡ଼ ସହିତ କେବଳ କଟକ ଜିଲ୍ଲା ନୁହେଁ, ପଶ୍ଚିମ ଓଡ଼ିଶାର ବୌଦ୍ଧ, ସୋନପୁର ଆଦି ଜିଲ୍ଲା ସହିତ କନ୍ଧମାଳ ଜିଲ୍ଲା ମଧ୍ୟରେ ଉପକୂଳ ଜିଲ୍ଲାର ଦୂରତା ହ୍ରାସ ପାଇବ । ସେତୁ ନିର୍ମାଣ ପାଇଁ ଏବେ ପୂର୍ବ ବିଭାଗ ପକ୍ଷରୁ ଦୁଇଟି ଟିମ୍‌ ଆସି ମହାନଦୀର ପ୍ରସ୍ତାବିତ ସେତୁର ଉଭୟ ପାର୍ଶ୍ୱ ବଡ଼ମୂଳ ଏବଂ ବାଲିପୁଟ ଅଞ୍ଚଳରେ ସର୍ଭେ କରିବା ସହ ମାଟି ପରୀକ୍ଷା କରି ଫେରିଛନ୍ତି । ସର୍ଭେ ରିପୋର୍ଟ ଆସିବା ପରେ ବିଭାଗ ପକ୍ଷରୁ ସେତୁର ରୂପରେଖ ସ୍ଥିର ହେବ ବୋଲି ବିଭାଗୀୟ ଯନ୍ତ୍ରୀ ସୂଚନା ଦେଇଛନ୍ତି । ସେତୁ ନିର୍ମାଣ ହେବା ଫଳରେ ବିଶେଷତଃ ନୟାଗଡ଼ ସହିତ କଟକ ଜିଲ୍ଲାର ଯାତାୟତ ସୁବିଧା ହେବା ସହ ଦୂରତା ମଧ୍ୟ ହ୍ରାସ ପାଇବ । ଏହାଛଡ଼ା ପର୍ଯ୍ୟଟନର ବିକାଶ ଓ ବାଣିଜ୍ୟିକ କାରବାରର ମଧ୍ୟ ଅଭିବୃଦ୍ଧି ଘଟିବ । ନିର୍ମାଣ ହେବାକୁ ଥିବା ଏହି ସେତୁକୁ ବ୍ୟାରେଜ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି । ସୂଚନାଯୋଗ୍ୟ ଯେ, ମହାନଦୀରେ ଜଳ ସଙ୍କଟକୁ ଦୃଷ୍ଟିରେ ରଖି ମହାନଦୀର ଖଇରମାଳଠାରୁ ନରାଜ ମଧ୍ୟରେ ବ୍ୟାରେଜ ନିର୍ମାଣ ପାଇଁ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ସମୟରେ ଦାବି ହୋଇ ଆସୁଛି ।

hiranchal ad1
Leave A Reply

Your email address will not be published.

fourteen + six =