୨ ବାଇକ ଚୋର ଗିରଫ, ୩ ବାଇକ ଉଦ୍ଧାର

0 65

ସମ୍ବଲପୁର: ଦୀର୍ଘ ଦିନ ଧରି ଚାଲିଥିବା ଏକ ବାଇକ ଚୋରି ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୩ଟି ଚୋରି ବାଇକ ଉଦ୍ଧାର କରିବାରେ ରେଢ଼ାଖୋଲ ପୁଲିସକୁ ସଫଳତା ମିଳିଛି । ଏବିଷୟରେ ଜିଲ୍ଲା ପୁଲିସ ମୁଖ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ଅଗଷ୍ଟ ୩ ତାରିଖ ସନ୍ଧ୍ୟାରେ ରେଢ଼ାଖୋଲ ତହସିଲ କାର୍ଯ୍ୟାଳୟ ସାମନାରୁ ବାଇକ ଚୋରି ବାବଦରେ ଏକ ଅଭିଯୋଗ ସେଠାକାର ପୁଲିସ ଥାନାରେ ରୁଜୁ ହୋଇଥିଲା । ଏବିଷୟରେ ତଦନ୍ତ କରି ରେଢ଼ାଖୋଲ ପୁଲିସ ଥାନା ଉପନିରୀକ୍ଷକ ଈଶ୍ୱର ଚନ୍ଦ୍ର ନାୟକ ମୋ ପୁଲିସ ରେକର୍ଡରୁ ଠାବ କଲେ ଯେ ରାମକୁମାର ପଣ୍ଡା ନାମକ ଜଣେ ଅପରାଧୀ ନିକଟସ୍ଥ ଯୁଯୁମୁରା ଥାନା ଅଞ୍ଚଳରେ ବୁଲୁଛି । ଏହାପରେ ଗତ ୧୦ ସେପ୍ଟେମ୍ବର ଦିନ ଆଉ ଏକ ବାଇକ ଚୋରି ବିଷୟରେ ଅଭିଯୋଗ ଆସିଲା ଓ ରେଢ଼ାଖୋଲ ପୁଲିସ ଥାନାରେ ଏବିଷୟରେ ଏକ ମାମଲା ରୁଜୁ ହୋଇଥିଲା । ଏହି ଘଟଣା ପରେ ଗତ ୨୦ ସେପ୍ଟେମ୍ବର ଦିନ ପୁଣି ବାଇକ ଚୋରି ବିଷୟରେ ଏକ ମାମଲା ସାମନାକୁ ଆସିଲା । ଏହା ପରେ ପୁରୁଖା ଅପରାଧୀ ରାମକୁମାର ପଣ୍ଡା (୩୦)କୁ ଅଟକ ରଖି ପଚରାଉଚରା କରାଯିବାରୁ ସେ ନିଜ ଅପରାଧ ସ୍ୱୀକାର କରିନେଇଥିଲା । ତାଠାରୁ ହାସଲ ସୂଚନା ବଳରେ ଆଉ ଜଣେ ଅଭିଯୁକ୍ତ ସତ୍ୟ ଘୁଟା (୩୨)କୁ ଗିରଫ କରାଗଲା ଓ ସେମାନଙ୍କ ଠାରୁ ମୋଟ ତିନୋଟି ଚୋରି ବାଇକ ଜବତ କରାଯାଇଛି । ରାମକୁମାର ପଣ୍ଡା ବିରୁଦ୍ଧରେ ସମ୍ବଲପୁର ଓ ସୋନପୁର ଜିଲ୍ଲାର ବିଭିନ୍ନ ପୁଲିସ ଥାନାରେ ମୋଟ ୫ଟି ମାମଲା ରୁଜୁ ରହିଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।

hiranchal ad1
Leave A Reply

Your email address will not be published.

4 × four =