ଟ୍ରେଡ଼ ୟୁନିଅନ ସମନ୍ୱୟ ସମିତି ତରଫରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

0 173

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଟ୍ରେଡ଼ ୟୁନିଅନ ସମନ୍ୱୟ ସମିତିର କର୍ମକର୍ତ୍ତା ମାନେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଜିଲ୍ଲାର ଜନଜୀବନ ସହ ସମ୍ପୃକ୍ତ ଏକ ଦଶ ଦଫା ଦାବୀ ପତ୍ର ପ୍ରଦାନ କରିଥିଲେ । ପ୍ରମୁଖ ଦାବୀ ମାନଙ୍କ ମଧ୍ୟରେ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ମାନ୍ୟବର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସର୍ବସାଧାରଣରେ ଘୋଷଣା ମୁତାବକ ୨୦୨୩ ମାର୍ଚ୍ଚ ମଧ୍ୟରେ ଏହି ରେଳପଥରେ ରେଳ ଚଳାଚଳ କରିବା ପାଇଁ ଦୃଢ ଦାବୀ କରିବା ସହ ସମ୍ବଲପୁର-ବ୍ରହ୍ମପୁର ନୂତନ ପ୍ରସ୍ତାବିତ ରେଳପଥ ସମ୍ବଲପୁରରୁ ଧମା, ଉଲୁଣ୍ଡା, ବିନିକା, ସୋନପୁର, ମନମୁଣ୍ଡା, କଣ୍ଟାମାଳ, ଗୋଛାପଡା, ଫୁଲବାଣୀ ଦେଇ ବ୍ରହ୍ମପୁରକୁ ସଂଯୋଗ କରି ଅନୁନ୍ନତ ଅଞ୍ଚଳର ବିକାଶ ପାଇଁ ଗୁରୁତ୍ୱ ଦେବାକୁ ଦାବୀ କରିଥିଲେ । ଏହା ସହିତ ସୋନପୁର ଠାରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଦାବୀ ସହ ତେଲନଦୀ-ମହାନଦୀ ସେତୁ ସଂଯୋଗ କରି ଚାରିଥାକିଆ ରାସ୍ତା ତୁରନ୍ତ ନିର୍ମାଣ, ସୋନପୁର ରିଂ ବନ୍ଧ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ସହିତ ଏହି ରିଂ ବନ୍ଧକୁ ତେଲନଦୀ କୂଳେ ବନ୍ୟା ନିୟନ୍ତ୍ରଣ ପାଇଁ ବୈଦ୍ୟନାଥ ସହ ସଂଯୋଗ କରିବା, ଘରୋଇ କରଣ ପରେ ଓଟିଏମକୁ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାର ଯେଉଁ ଉଦ୍ୟମ କରିଛନ୍ତି, ସେହି ଧାରାରେ ସୋନପୁର ସୂତାକଳକୁ କାର୍ଯ୍ୟକ୍ଷମ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ସୋନପୁର କଲେଜ ଓ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ଅର୍ଥନୈତିକ ଅପରାଧୀଙ୍କୁ ଦଣ୍ଡ ବିଧାନ ଏବଂ ସେଥିର ପ୍ରତିକାର ଦାବୀ ସହିତ ଗମନା ଗମନର ସୁବିଧା ପାଇଁ ସୋନପୁରଠାରୁ ରେଢ଼ାଖୋଲ ପୂର୍ବ ଭଳି ଇଣ୍ଟରସିଟି ଲିଙ୍କ ବସ ଚାଲୁ କରିବା ପାଇଁ ଦୃଢ ଦାବୀ କରିଥିଲେ । କମିଟି ତରଫରୁ ସୋନପୁର ଠାରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପୁନଃ ଦାବୀ କରାଯାଇଥିଲା । ଏହି ଆନ୍ଦୋଳନରେ ସମନ୍ୱୟ ସମିତି ଅଧ୍ୟକ୍ଷ ଗୋବିନ୍ଦ ମହାରଣାଙ୍କ ସହିତ ଏଆଇଟିୟୁସି, ଏଆରୟୁଟିୟୁସି, ଏଆରସିସିଟିୟୁ, ବିଏମଏସ, ଏଚଏମଏସ, ଆଇଏନଟିୟୁସି କେନ୍ଦ୍ରୀୟ ଶ୍ରମିକ ସଂଗଠନର ନେତୃ ମଣ୍ଡଳୀ ସୂର୍ଯ୍ୟକାନ୍ତ ରାଉଳ, କୁଶ ମାହାକୁର,ଶୁସାନ୍ତ କୁମାର ପଣ୍ଡା, ମନୋରଞ୍ଜନ ପାଣ୍ଡେ, ଉପେନ୍ଦ୍ର ଥାଟି, ନେହେରୁ ଷାଣ୍ଢ, କୃଷ୍ଣ ଚନ୍ଦ୍ର କମ୍ପ, ଅର୍ଜୁନ ବାଦୀ, ସାରଥୀ ଭେସ୍ରା ପ୍ରମୁଖ ନେତୃ ମଣ୍ଡଳୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରି ଦାବୀ ପୂରଣ ପାଇଁ ବିହିତ ପଦକ୍ଷେପ ନେବାପାଇଁ ଆଲୋଚନା କରିଥିଲେ ।

hiranchal ad1
Leave A Reply

Your email address will not be published.

sixteen − eight =