ପୁରୀ ଜିଲ୍ଲାପାଳଙ୍କ ନାମରେ ମାମଲା ରୁଜୁ ପାଇଁ ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶ

0 119

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ବେଆଇନ ମାମଲାରେ ପୁରୀ ଜିଲାପାଳ, ଟାଟା କମ୍ପାନୀ ଓ ରାଜ୍ୟ ସେତୁ ନିର୍ମାଣ ନିଗମ ତଥା ଓବିସିସି ବିରୋଧରେ ପୁରୀ ସିଂହଦ୍ୱାର ଥାନା ଏତଲା ରୁଜୁ ପାଇଁ ପୁରୀ ଏସଡିଜେଏମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମନ୍ଦିର ଚାରିପଟେ ବେଆଇନ ନିର୍ମାଣ ଓ ଆମସାର ଆକ୍ଟର ଉଲ୍ଲଂଘନ ମାମଲାର ବିଚାର କରି ପୁରୀ ଏସଡିଜେଣ କୋର୍ଟ ଏହି ନିର୍ଦ୍ଦେଶ ଦେବା ସହ ଘଟଣାର ତଦନ୍ତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ ଶ୍ରୀମନ୍ଦିର ୧୦୦ ମିଟର ଭିତରେ କୌଣସି ଖନନ ଓ ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ଏନ୍‌ଏମ୍‌ଏ ନିୟମ ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୁରୀ ଜିଲ୍ଲାପାଳଙ୍କ ତତ୍ତ୍ୱବଧାନ ରେ ଶ୍ରୀମନ୍ଦିର ପରିକ୍ରମ ପ୍ରକଳ୍ପ କାର୍ଯ୍ୟ ହେଉଛି । ଓବିସିସି ଓ ଟାଟା କମ୍ପାନୀ ଏହି କାର୍ଯ୍ୟ ପାଇଁ ବଡ଼ ବଡ଼ ଗର୍ତ୍ତ ଖୋଳି କାର୍ଯ୍ୟ କରୁଛନ୍ତି । ଯାହାକି ଶ୍ରୀମନ୍ଦିର ଭଳି ଏକ ପୁରାତନ କୀର୍ତ୍ତିରାଜି ପ୍ରତି ବିପଦ ରହିଛି । ବଡ଼ ବଡ଼ ଗର୍ତ୍ତ ଯୋଗୁ ଶ୍ରୀମନ୍ଦିର ଭିତ୍ତିଭୂମି ଦୁର୍ବଳ ହୋଇ ମନ୍ଦିରକୁ ବିପଦ ହେବା ଆଶଙ୍କାରେ ବିଭିନ୍ନ ସଂଗଠନ ଏହାକୁ ବିରୋଧ କରିଥିଲେ । ପରେ ପୁରୀ ଓକିଲ ସଂଘର ଏକ ପ୍ରତିନିଧି ଦଳ ଘଟଣା ସ୍ଥଳ ପରିଦର୍ଶନ କରି ନିୟମ ଉଲଘଂନ ହୋଇ ଥିବାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରୋଜେକ୍ଟ ନେଇଥିବା ଟାଟା କମ୍ପାନୀ , ଓବିସିସି ଏବଂ କାର୍ଯ୍ୟକୁ ସମର୍ଥନ ଦେବା ଅଭିଯୋଗ ନେଇ ପୁରୀ ଜିଲାପାଳଙ୍କ ନାମରେ ଏକ ଏତଲା ପୁରୀ ସିଂହଦ୍ୱାର ଥାନାରେ ଦିଆଯାଇଥିଲା । ପରେ ପୁରୀ ଏସପିଙ୍କୁ ଓକିଲ ସଂଘ ଭେଟି ଏହି ବେଆଇନ ନିର୍ମାଣ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରାଯାଇଥିଲା । ହେଲେ ଏସପି ଏହା ଉପରେ କୌଣସି ପଦକ୍ଷେପ ନେଇ ନ ଥିଲେ । ପରେ ଆଇନିଜୀବୀ ବିଭୁତି ସଙ୍କର ତ୍ରିପାଠୀ ଏ ନେଇ ପୁରୀ ଏସଡିଜେଏମ କୋର୍ଟ ରେ ଏକ ମାମଲା ରୁଜୁ କରି ଏହି ବେଆଇନ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ନେଇ କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ । ଏହି ମାମଲାର ଶୁଣାଣି କରି ପୁରୀ ଏସଡିଜେଏମ କୋର୍ଟ ପୁରୀ ଜିଲାପାଳ , ଟାଟା କମ୍ପାନୀ ଓ ଓବିସିସି ବିରୋଧରେ ମାମଲା ରୁଜୁ ପାଇଁ ପୁରୀ ସିଂହଦ୍ୱାର ଥାନାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

two × 5 =