କାର୍ତ୍ତିକ ମାସରେ କାହିଁକି ଉଠାଯାଏ ଆକାଶ ଦୀପ ?

0 110

ପୁରୀ : ପୁରୀରେ ଚାଲିଛି ମହାଧାର୍ମିକ କାର୍ତ୍ତିକ ମାସ । ଦୀର୍ଘ ଏକ ମାସ ଧରି ହବିଷ୍ୟାଳୀ ଅତ୍ୟନ୍ତ ଭକ୍ତି ଓ ନିଷ୍ଠାର ସହ ଏକ ଓଳି ହବିଷ ଗ୍ରହଣ କରି କାର୍ତ୍ତିକ ବ୍ରତ ପାଳନ କରିବା ସହ ଆକାଶଦୀପ ଜାଲିଥାନ୍ତି । କାର୍ତ୍ତିକ ମାସରେ ଆକାଶ ଦୀପ ପରଂପରା କାହିଁ କେଉଁ କାଳରୁ ଚଳିଆସିଛି । ସଞ୍ଜ ହେଲେ ହବିଷ୍ୟାଳୀ ଓ ଓଡିଆ ରମଣୀ ତା ଦୁଆରେ ଆକାଶ ଦୀପ ଉଠାଏ । କ’ଣ ଏହି ଆକାଶ ଦୀପ ଆଉ କାହିଁକି କାର୍ତ୍ତିକମାସରେ ଏହା ଉଠାଯିବାର ପରଂପରା ରହିଛି ଆସନ୍ତୁ ଜାଣିବା ।
ପୋଡ଼ା ହୋଇଥିବା ଏକ ମାଟି ହାଣ୍ଡିର ଚାରି ପାଖରେ ପ୍ରଥମେ ଅନେକଗୁଡ଼ିଏ କଣା କରାଯାଏ । ତାପରେ ସେହି ହାଣ୍ଡିକୁ ଧୋଇ ତା ଭିତରେ କିଛି ବାଲି ଭର୍ତ୍ତି କରାଯାଏ ।ତା ଉପରେ ଗୋବର ରଖାଯାଏ । ଗୋବର ଉପରେ ଘୃତପୂର୍ଣ୍ଣ ଏକ ପ୍ରଜ୍ଜ୍ୱଳିତ ଦୀପ ରଖାଯାଇ ତା ଉପରେ ମାଟି ସରା(ଢ଼ାଙ୍କୁଣି) ରଖାଯାଏ । ଏକ ଶିକା ଉପରେ ଏହାକୁ ରଖି ଚଉରା ପାଖରେ ପୋତାଯାଇଥିବା ଏକ ନଭଶ୍ଚୁମ୍ବୀ ସୁଉଚ୍ଚ ବାଉଁଶ ଦେହରେ ଝୁଲାଇ ଦିଆଯାଏ । ହାଣ୍ଡିରେ ହୋଇଥିବା ଛିଦ୍ର ବା କଣା ମଧ୍ୟ ଦେଇ ଦୀପର ଆଲୋକ ଆକାଶରେ ବିଚ୍ଛୁରିତ ହୋଇଥାଏ । ଆଶ୍ୱୀନ ମାସରେ ଧରାବତରଣ କରିଥିବା ପିତୃ ପୁରୁଷ ପୂଣ୍ୟମାସ କାର୍ତ୍ତିକରେ ପୁଣି ପିତୃଲୋକ ଗମନ କରିଥାନ୍ତି । ସେମାନଙ୍କ ଫେରିବା ରାସ୍ତାକୁ ଆଲୋକିତ କରିବା ଲାଗି କୃତଜ୍ଞ ସନ୍ତାନଙ୍କ ଏଭଳି ପରିକଳ୍ପନା ବୋଲି କୁହାଯାଏ । ଦୀପାବଳୀରେ ମଧ୍ୟ କାଉଁରିଆ କାଠି ଦେଖାଯାଇ ପିଣ୍ଡ ପ୍ରଦାନ କରାଯାଏ ପିତୃ ପୁରୁଷଙ୍କୁ । ଆକାଶ ଦୀପ ହେଉଛି ସେହି କ୍ରମର ଏକ ଅନନ୍ୟ ପରମ୍ପରା । ଆକାଶ ଦୀପ ଉଠାଇବା ବେଳେ ଯାହାର ବାଉଁଶ ଯେତେ ଉଚ୍ଚ ହୋଇଥାଏ ତାହାର ପୁଣ୍ୟ ସେତେ ଅଧିକ ହୁଏ ବୋଲି ପଣ୍ଡିତମାନେ ମତ ଦିଅନ୍ତି । ଏକାନ୍ତ ନିଷ୍ଠା,ଏକାଗ୍ରତା ଓ ଦୃଢ଼ ବିଶ୍ୱାସର ସହିତ ଆକାଶଦୀପ ପ୍ରଜ୍ଜ୍ୱଳନ କରାଯାଇଥାଏ ।
କାର୍ତ୍ତିକ ମାସ ହେଉଛି ସବୁଠାରୁ ଶ୍ରେଷ୍ଠ ଓ ପବିତ୍ରତମ ମାସ । ଏହି ମାସରେ ଦେବାଦେବୀଙ୍କୁ ଧ୍ୟାନ କରିବା ସହିତ ଦର୍ଶନ କଲେ ସକଳ ପାପ କ୍ଷୟ ହେବା ସହିତ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ । ପରିବାରର ସର୍ବବିଧ ମଙ୍ଗଳ ହୋଇଥାଏ । ପୁଣ୍ୟ ଅର୍ଜନ ଆଶାରେ ଏହି ମାସରେ ଆମିଷ ଆଦି ଉତ୍ତେଜକ ଖାଦ୍ୟ ବର୍ଜନ କରି ସାତ୍ତ୍ୱିକ ଆହାର ଗ୍ରହଣ କରି ସଙ୍କଳ୍ପ ପୂର୍ବକ ହବିଷାନ୍ନ ଗ୍ରହଣ କରି ପୁରାଣ ପାଠ ଶ୍ରବଣ ଓ ପଠନ କରାଯାଇଥାଏ । ପିତୃପୁରୁଷଙ୍କ ଆତ୍ମାର ସଦଗତି ନିମନ୍ତେ ସେମାନଙ୍କର ଅନ୍ଧକାରମୟ ପଥକୁ ଆଲୋକିତ କରିବା ପାଇଁ ଆକାଶ ଦୀପ ପ୍ରଜ୍ଜ୍ୱଳନ କରାଯାଏ । କାର୍ତ୍ତିକ ମାସ ପ୍ରତିପଦାଠାରୁ ପୂର୍ଣ୍ଣମୀ ଯାଏଁ ହବିଷ୍ୟାଳୀମାନେ ମନ୍ଦିର ଓ ନିଜ ଘର ଚଉଁରା ପାଖରେ ଆକାଶ ଦୀପ ଜଳାଇଥାଆନ୍ତି । ଆଉ କେତେକ ଦୀପାବଳିଠାରୁ ୧୫ଦିନ ପର୍ଯ୍ୟନ୍ତ ଜାଳିଥାଆନ୍ତି । କେତେକ ଅଁଳା ନବମୀଠାରୁ ନବଦିନ ପର୍ଯ୍ୟନ୍ତ ଜାଳିଥାଆନ୍ତି । ଆଉ କେତେକ ପଞ୍ଚୁକ ପାଞ୍ଚଦିନ ଆକାଶଦୀପ ଜାଳିଥାଆନ୍ତି । ଆକାଶ ଦୀପ ଜଳିବା ଦିନ ହବିଷାନ୍ନ ଗ୍ରହଣ କରିବା ସହିତ ପୁରାଣ ପାଠ ଓ ଶ୍ରବଣ, ଗୀତା ପାଠ ବା ଶ୍ରବଣ, ଶିବ ପୁରାଣ ପାଠ ବା ଶ୍ରବଣ କରିବା ଏକାନ୍ତ ଆବଶ୍ୟକ ।ମନୁଷ୍ୟ ତାର ସମଗ୍ର ଜୀବନରେ ଯେତେ ପାପ କରିଥାଏ, ତାହା କାର୍ତ୍ତିକ ମାସରେ ସ୍ନାନ, ହବିଷ୍ୟାନ୍ନ ଭୋଜନ, ବିଷ୍ଣୁଙ୍କୁ ତୁଳସୀ ଅର୍ପଣ ଏବଂ ଆକାଶଦୀପ ଦାନରେ ନଷ୍ଟ ହୋଇଥାଏ ।
ସମଗ୍ର ବିଶ୍ୱରେ ରହିଛି ଚଉଦଟି ବ୍ରହ୍ମାଣ୍ଡ । ଉପରେ ସାତଟି ଓ ତଳେ ସାତଟି । ମଝିରେ ରହିଛି ଭୂଲୋକ; ଯାହା ମନୁଷ୍ୟମାନଙ୍କର ନିବାସ ସ୍ଥାନ । ଊର୍ଦ୍ଧ୍ୱଲୋକରେ ରହିଛି ପ୍ରେତଲୋକ, ଦେବଲୋକ, ଯମଲୋକ, ପିତୃଲୋକ ଓ ବିଷ୍ଣୁଲୋକ ଆଦି । ଏହି ଆକାଶଦୀପ ଆପାତତଃ, ଦେବତା, ପିତୃ, ଯମ, ବିଷ୍ଣୁ ଓ ରୁଦ୍ର ଆଦିଙ୍କର ଆଶୀର୍ବାଦ ତଥା ପ୍ରୀତିପାଇଁ ପ୍ରଜ୍ୱାଳନ କରାଯାଇଥାଏ ।ତେଣୁ ପ୍ରଥମେ ଏହି ଦୀପ ପ୍ରଜ୍ୱାଳନ ସମୟରେ ପ୍ରାର୍ଥନା କରାଯାଏ- ମୁଁ ସର୍ବରୂପ ଏବଂ ବିଶ୍ୱରୂପଧାରୀ ଭଗବାନ ଦାମୋଦରଙ୍କୁ ପ୍ରଣାମ କରି ଏହି ଆକାଶଦୀପ ପ୍ରଦାନ କରୁଛି ଯାହା ଭଗବାନଙ୍କର ପରମପ୍ରିୟ ଅଟେ । ଏହା ପରେ କୁହାଯାଏ ପିତୃପୁରୁଷଙ୍କୁ ପ୍ରଣାମ । ପ୍ରେତମାନଙ୍କୁ ପ୍ରଣାମ । ଧର୍ମସ୍ୱରୂପ ବିଷ୍ଣୁଙ୍କୁ ପ୍ରଣାମ । ଯମରାଜଙ୍କୁ ପ୍ରଣାମ ଏବଂ ଦୁର୍ଗମ ମାର୍ଗରେ ରକ୍ଷା କରୁଥିବା ଭଗବାନ ରୁଦ୍ରଙ୍କୁ ପ୍ରଣାମ । ମନ୍ତ୍ର ଜପ କରି ବା ଏହା ଉଚ୍ଚାରଣ କରି ଯେଉଁ ମନୁଷ୍ୟ ଆକାଶଦୀପ ଦାନ କରେ ତାହାକୁ ଭଗବାନଙ୍କର ଆଶୀର୍ବାଦ ମିଳିବା ସହିତ ତାର ପିତୃପୁରୁଷ ନର୍କରେ ଥିଲେ ମଧ୍ୟ ପରମ ଗତି ଲାଭ କରନ୍ତି ।

hiranchal ad1
Leave A Reply

Your email address will not be published.

two × four =