ବର୍ଷାରେ ବେହାଲ୍‌ ବାଲିଗୁଡ଼ା ଅଞ୍ଚଳ; ଅନେକ ସ୍ଥାନରେ ଭାସିଗଲା ପୋଲ, ଏକାଧିକ ଗ୍ରାମବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ

0 439

ବାଲିଗୁଡ଼ା: ସାରା ରାଜ୍ୟରେ ଲାଗିରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଲଗାଣ ବର୍ଷାରେ ବେହାଲ୍‌ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳ । ଅଞ୍ଚଳର ଖଡ୍ଗ ନଦୀ,ରାଉଳ ନଦୀ,ଦମଦେଇନାଳ ଭଳି ବିଭିନ୍ନ ଛୋଟବଡ଼ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଅନେକ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି । ତୁମୁଡ଼ିବନ୍ଧ ବ୍ଲକ୍‌ ଅନ୍ତର୍ଗତ କୁର୍ତ୍ତମଗଡ଼ରୁ ସିର୍ଲାକୁ ସଂଯୋଗ କରୁଥିବା ରାସ୍ତାର ବୁତେଡ଼ିମୁଣ୍ଡା ପୋଲ ଭାସିଯାଇଛି । ସେପଟେ ଜଲେଶପଟ୍ଟା ନିକଟସ୍ଥ ରାଉଳ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ଜଲେଶପଟ୍ଟାରୁ ବେତବାଡ଼ି ଗ୍ରାମକୁ ସଂଯୋଗ କରୁଥିବା ପୋଲ ମଧ୍ୟ ଭାସିଯାଇଥିବା ଜଣାପଡ଼ିଛି । ଫଳରେ ବେତବାଡ଼ି, ଶରଧାପୁର, ମାଣପୁର, ବିରିମିଲା, ରିସାଙ୍ଗପାଙ୍ଗା, ସିର୍ଲା, ପିଡ଼ାମାହା, ଲିଙ୍ଗେରମାହା ଆଦି ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ସେହିଭଳି ଦାରିଙ୍ଗବାଡି ବ୍ଲକ୍‌ ଅନ୍ତର୍ଗତ ତିଲୋରୀ ନିକଟସ୍ଥ ସାମନବାଡ଼ିଠାରେ ପୋଲ ଧୋଇଯିବା ଫଳରେ ବୁଡ଼ାଗୁଡ଼ା-ଦାରିଙ୍ଗବାଡ଼ି ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି । ଜିଲ୍ଲାର ଅଭ୍ୟନ୍ତରୀଣ ଅଞ୍ଚଳରେ ବସବାସ କରୁଥିବା ଅନେକ ଲୋକଙ୍କ ଘର ଲଗାଣ ବର୍ଷାରେ ଭାଙ୍ଗି ଯାଇଥିବା ସୂଚନା ମିଳିଛି । ଯାହା ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି । ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ଅସହାୟ ଲୋକଙ୍କୁ ସୁରକ୍ଷା ଓ ସହାୟତା ଯୋଗାଇବା ଜରୁରୀ ହୋଇପଡ଼ିଛି ।

hiranchal ad1
Leave A Reply

Your email address will not be published.

3 × 1 =