ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣା:ତଦନ୍ତ ପାଇଁ ୫ଜଣିଆ ଟିମ୍‌ ଗଠନ

0 63

ପୁରୀ : ଶ୍ରୀମନ୍ଦିର ରୋଷଘର ଚୁଲା ଭଙ୍ଗାଯିବା ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ରୋଷଘରେ ସମୁଦାୟ ୪୩ଟି ଚୁଲି ଭଙ୍ଗା ଯାଇଥିବା ନେଇ ଶ୍ରୀମନ୍ଦିର ସିଂହଦ୍ୱାର ଥାନାରେ ଏତଲା ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ତଦନ୍ତ ପାଇଁ ଏକ ଅନ୍ତରୀଣ କମିଟି ଗଠନ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି । ସେପଟେ ଶ୍ରୀମନ୍ଦିର ସିଂହଦ୍ୱାର ଥାନାରେ ଏତଲା ପରେ ପୋଲିସ ପକ୍ଷରୁ ୫ ଜଣିଆ ଟିମ୍‌ ଗଠନ ହୋଇ ସିସିଟିଭି କ୍ୟାମେରା ଯାଞ୍ଚ କରାଯାଇଛି । ଏଥିରେ ଜଡ଼ିତ ଥିବା ୩ ଜଣଙ୍କୁ ଚିହ୍ନଟ କରାଯାଇଛି । ସବୁ ଦିଗକୁ ଅନୁଧ୍ୟାନ କରି ତଦନ୍ତ ଚାଲିଛି । ଶ୍ରୀମନ୍ଦିର ରୋଷ ଶାଳାରେ ଚୁଲି ଭାଙ୍ଗିବା ଏକ ସମ୍ବେଦଶୀଳ ଘଟଣା ହୋଇଥିବାରୁ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସପି କନୱର ବିଶାଳ ସିଂହ କହିଛନ୍ତି । ଶ୍ରୀମନ୍ଦିରର ନିଷିଦ୍ଧାଞ୍ଚଳ ରୋଷଘରେ ପଶି ଦୁବୃର୍ତ୍ତ ମାନେ ୪୩ଟି ଚୁଲି ଭାଙ୍ଗି ଦେଇଥିବା ବେଳେ ଗତକାଲି ଦିନତମାମ ଏ ନେଇ ଚର୍ଚ୍ଚା ରେ ଥିଲା ।
ଏହି ଘଟଣାକୁ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସୁଆର ମହାସୁଆର ନିଯୋଗ ଓ ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ନିକଟରେ ଲିଖିତ ଅଭିଯୋଗ କରାଯିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ତଦନ୍ତ ପାଇଁ ଏକ ଅନ୍ତରୀଣ କମିଟି ଗଠନ କରାଯାଇଛି । ବୈଠକ ପରେ ଅତିରିକ୍ତ ଏସପି, ଶ୍ରୀମନ୍ଦିର ନୀତି ଓ ସୁରକ୍ଷା ପ୍ରଶାସକ, ସୁଆର ମହାସୁଆର ନିଯୋଗର ସଭାପତି କଣ୍ଟ୍ରୋଲ ରୁମକୁ ଯାଇ ସିସିଟିଭି କ୍ୟାମେରାର ଦୃଶ୍ୟ ଅନୁଧ୍ୟାନ କରିଥିଲେ । ତେବେ ପ୍ରଥମ ପର୍ଯ୍ୟାୟରେ ସିସିଟିଭି କ୍ୟାମେରା ଦୃଶ୍ୟରୁ ଶନିବାର ଶ୍ରୀମନ୍ଦିର ଶୋଧ ପରେ କେହି ରୋଷ ଘରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିନାହିଁ । ରୋଷଘର ଦାୟିତ୍ୱରେ ଥିବା ଧୋପଖାଳ, ପାଇକ, ଦ୍ୱାରପାଳିକା ଓ ଅଙ୍ଗରିଆ ସେବକଙ୍କୁ ଶ୍ରୀମନ୍ଦିର ନୀତି ଓ ସୁରକ୍ଷା ପ୍ରଶାସକ ପଚରାଉଚୁରା କରିଥିବା ଜିଲ୍ଲାପାଳ କହିଛନ୍ତି ।
ସେପଟେ ଚୁଲା ଭଙ୍ଗା ଘଟଣା ନେଇ ସିଂହଦ୍ୱାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ପାଇଁ ପୁରୀ ପୋଲିସର ୫ ଜଣିଆ ଟିମ୍‌ ଗଠନ କରାଯାଇଥିବା ଏସପି କନୱର ବିଶାଳ ସିଂ କହିଛନ୍ତି । ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ଭୋଗମଣ୍ଡପ, ଗଙ୍ଗା ଯମୁନା କୂଅ ନିକଟରେ ଲାଗିଥିବା ପ୍ରତ୍ୟେକଟି ସିସିଟିଭି କ୍ୟାମେରାକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । ଶ୍ରୀମନ୍ଦିର ଭିତରେ ଦୁର୍ବୁତ୍ତ ମାନେ ଚୁଲା ଭାଙ୍ଗିବା ଘଟଣା ସମ୍ବେଦଶୀଳ ହୋଇଥିବାରୁ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।

hiranchal ad1
Leave A Reply

Your email address will not be published.

17 − five =