ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦର ସର୍କୁଲାର ରୋଡରେ ବହୁ ଅବ୍ୟବସ୍ଥାରେ ଡ୍ରେନ ନିର୍ମାଣ ହେଉଛି । କନ୍ଧମାଳ ଜିଲ୍ଲା ଓ ଫୁଲବାଣୀ ସହରର ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ରାସ୍ତା ଚଉଡା ହେବା ଆବଶ୍ୟକ । ଟାଉନ ପ୍ଲାନିଂ ତଥ୍ୟ ଅନୁସାରେ ୬୬ଫୁଟ ରାସ୍ତା ରହିଛି ଏବଂ ଭିଜନ ୨୦୪୦ ଅନୁସାରେ ୮୨ଫୁଟ ରାସ୍ତା ପାଇଁ ବ୍ୟବସ୍ଥା କରିବା ଆବଶ୍ୟକ । କିନ୍ତୁ ଏସବୁକୁ ଅଣଦେଖା କରି ୩୦-୪୦ ଫୁଟରୁ କମ ରାସ୍ତାରେ ଡ୍ରେନ ନିର୍ମାଣ ହେଉଥିବାରୁ ମିଳିତ ନାଗରିକ କମିଟି କନ୍ଧମାଳ ଆବାହକ ଅଶୋକ ପରିଡା, ସଦସ୍ୟ ରାଜ କିଶୋର ପାଢୀ, ଉମେଶ ପ୍ରସାଦ ପାତ୍ର, ଗିରିଷ ପଟ୍ଟନାୟକ ପ୍ରମୁଖଙ୍କ ପକ୍ଷରୁ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା । ଏଭଳି ଡ୍ରେନ ନିର୍ମାଣ ଫଳରେ ରାସ୍ତା ଜବରଦଖଲ ବଢିବ, ଗାଡି ମଟର ଯିବାରେ ବହୁ ଅସୁବିଧା ହେବ । ତାର ବିଚାର ପାଇଁ ନ୍ୟାୟାଧିଶ ତଥା ଅଧ୍ୟକ୍ଷ ସନ୍ତୋଷ କୁମାର ନାୟକ ଏଥିରେ ପକ୍ଷ ଥିବା ପୌର ପରିଷଦ, ରାସ୍ତା ଓ କୋଠାବାଡି ବିଭାଗ, ଟାଉନ ପ୍ଲାନିଂ ଓ ତହସିଲଦାରଙ୍କୁ ଡାକି ପ୍ରଥମେ ରାସ୍ତା ଚିହ୍ନଟ ପରେ ଡ୍ରେନ ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ ।
ସରକାରୀ ଅର୍ଥ ଅପବ୍ୟୟ ନ କରି ସଦବିନିଯୋଗ ହେବା ସହ ଜନ ସାଧାରଣ ଉପକୃତ ହେବାଭଳି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ରାସ୍ତା ଜବରଦଖଲ ତୁରନ୍ତ ହଟାଇବାକୁ ପୌର ପରିଷଦ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ପୌର ପରିଷଦର ସମସ୍ୟା ସମାଧାନ ପାଇଁ ପ୍ରତି ଦୁଇମାସ ରେ ସମନ୍ୱୟ ବୈଠକ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେବାକୁ ଅଧ୍ୟକ୍ଷ ପରାମର୍ଶ ଦେଇଛନ୍ତି । ରାସ୍ତା ଚଉଡା ନ ରହିଲେ ଜାନିଯାତ୍ରା ସମୟରେ ଜନ ସମାଗମ ବେଳେ ଦଳାଚକଟା ହେବାର ଆଶଙ୍କା ରହିଛି । ଆମ୍ବୁଲାନ୍ସ ଯିବା ଆସିବାରେ ମଧ୍ୟ ଅସୁବିଧା ସୃଷ୍ଟି ହେଉଛି ବୋଲି ମିଳିତ ନାଗରିକ କମିଟି ପକ୍ଷରୁ ଦାବି କରାଯାଇଛି । ସହରର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ବିଭିନ୍ନ ଦୋକାନ ଗୁଡିକ ଡ୍ରେନ୍ ଉପରେ ବ୍ୟବସାୟିକ ଜିନିଷ ଥୋଇବା ଏବଂ ଫାଷ୍ଟ ଫୁଡ ସେଣ୍ଟର କରାଯାଇଛି । ଯାହାରି ଫଳରେ ଫାଷ୍ଟ୍ ଫୁଡ ଦୋକାନ ଆଗରେ ଯାନବାହାନ ଗୁଡିକ ମୁଖ୍ୟ ରାସ୍ତାର ଅଧା ପର୍ଯ୍ୟନ୍ତ ରଖାଯାଉଛି । ସେହି ଅଧା ରାସ୍ତାରେ ଗାଡି ଗୁଡିକ ଯିବାରେ ଅସୁବିଧା ହେଉଛି । ତେଣୁ ଜିଲ୍ଲପାଳ ତୁରନ୍ତ ପଦକ୍ଷେପ ନେବାକୁ ସର୍ବସାଧାରଣରେ ଦାବୀ କରାଯାଇଛି ।