ବାତ୍ୟା ପ୍ରଭାବ, ଆଜି ରାତିରୁ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

0 97

ପୁରୀ : ବାତ୍ୟା ଅସାନି ପ୍ରଭାବ ଆଜି ରାତିରୁ ଆସନ୍ତା ୧୨ ତାରିଖ ଯାଏ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏସଆରସି ଅଫିସରୁ ଏ ନେଇ ପୁରୀ ଜିଲାପାଳଙ୍କୁ ଅବଗତ କରାଯିବା ପରେ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ହାଇଆଲର୍ଟରେ ରହିଛି । ପୁରୀରେ ଅନେକ ପର୍ଯ୍ୟଟକ ଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ବେଶି ଗୁରୁତ୍ୱ ଦେଇଛି । ଆସନ୍ତା ୧୨ ତାରିଖ ଯାଏ ସମୁଦ୍ର ସ୍ନାନ କରିବା ନେଇ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି । ସେହିପରି ସମୁଦ୍ର କୂଳକୁ ବର୍ଷା ପବନ ସମୟରେ ନଆସିବା ପାଇଁ ଆଜି ପୁରୀ ପୋଲିସ ପକ୍ଷରୁ ବେଳାଭୂମି ପର୍ଯ୍ୟଟକଙ୍କୁ ସଚେତନ କରାଯାଇଛି । ପୁରୀ ଜିଲ୍ଲାର ସମସ୍ତ ବ୍ଳକରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ବିଡିଓ ମାନେ ବାତ୍ୟା ମୁକାବିଲା ନେଇ ସମସ୍ତ ପ୍ରସ୍ତୁତି ତଦାରଖ କରୁଛନ୍ତି । ପୁରୀ ଜିଲାପାଳ ମଧ୍ୟ ଜିଲ୍ଲାର ବରିଷ୍ଠ ଅଧିକାରୀ, ବିଡିଓ, ତହସିଲଦାରଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଘନ ଘନ ବୈଠକ କରି ବାତ୍ୟା ପ୍ରସ୍ତୁତିର ତଦାରଖ କରୁଛନ୍ତି । ସେପଟେ ତଳିଆ ଅଞ୍ଚଳ ଲୋକଙ୍କୁ ଅତ୍ୟଧିକ ବର୍ଷା କିମ୍ବା ପବନ ହେଲେ ବାତ୍ୟା ଆଶ୍ରୟ ସ୍ଥଳୀକୁ ନେବା ପାଇଁ ବ୍ୟବସ୍ଥା ହୋଇଛି । ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକ ପାନୀୟ ଜଳ, ବିଦ୍ୟୁତ ବ୍ୟବସ୍ଥା , ଔଷଧ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ମହଜୁଦ ରଖାଯାଇଛି । ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ଯେଭଳି ଖାଉଟି ପାଇବାରେ ସମସ୍ୟା ନ ଭୋଗନ୍ତି ସେ ନେଇ ସମସ୍ତ ବ୍ୟବସ୍ଥା ହୋଇଛି । ପୁରୀ ଜିଲ୍ଲା ରକୃଷ୍ଣ ପ୍ରସାଦ, ବ୍ରହ୍ମ ଗିରି, ଅସ୍ତରଙ୍ଗ ଓ ପୁରୀ ହେଡ କ୍ୱାର୍ଟର ରେ ୪ ଟି ଓଡ୍ରାଫ ଟିମ ମୁତୟନ କରାଯାଇଛି । ଅଗ୍ନିଶମ ବାହିନୀ ମଧ୍ୟ ପବନ ଯୋଗୁ ରାସ୍ତା ଘାଟ ଅବରୋଧ ହେଲେ ତାହା ସଫା କରିବା ପାଇଁ ପ୍ରସ୍ତୁତ ରହିଚନ୍ତି । ସମୁଦ୍ରକୁ ଯାଇଥିବା ସମସ୍ତ ମତ୍ସଯିବି ଫେରି ଆସିଥିବା ବେଳେ ତାଙ୍କ ଡଙ୍ଗା , ଜାଲ ସୁରକ୍ଷିତ ସ୍ଥାନରେ ରଖିଛନ୍ତି । ଅତ୍ୟଧିକ ବର୍ଷାକୁ ଦୃଷ୍ଟିରେ ରଖି ପୁରୀ ସହରର ତଳିଆ ଅଞ୍ଚଳରେ ପାଣି ପମ୍ପ ରଖାଯାଇଛି ଜଳ ନିଷ୍କାସନ ପାଇଁ । ପୁରୀ ବେଳାଭୂମିରେ ଏହି ତିନି ଦିନ ପର୍ଯ୍ୟଟକ ମାନେ ବୁଲାବୁଲି ନ କରିବା ଓ ସମୁଦ୍ରରେ ସ୍ନାନ ନ କରିବା ପାଇଁ ବେଳାଭୂମିରେ ସଚେତନ କରାଯାଇଛି । ସମୁଦ୍ରରେ କୌଣସି ଅଘଟଣକୁ ରୋକିବାକୁ ଲାଇଫ ଗାର୍ଡ ମୁତୟନ କରାଯାଇଛି । ବାତ୍ୟା ଅସାନି ଯୋଗୁ ପୁରୀ ଜିଲ୍ଲାରେ ୪୦ ରୁ ୫୦ କିମି ବେଗରେ ପବନ ବହିବାରେ ଅନୁମାନ କରାଯାଉଛି । ଏଣୁ ଅତ୍ୟଧିକ ବର୍ଷା ଓ ପବନ ଦୃଷ୍ଟି ରେ ରଖାଯାଇ ଲୋକଙ୍କ ସୁରକ୍ଷା ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଆଲର୍ଟ ଥିବା ପୁରୀ ଜିଲାପାଳ କହିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 4 =