ଶେଷ ହେଲା କାଉଡିଆଙ୍କ ଶ୍ରାବଣ ମାସର ଜଳାଲାଗି, ଶ୍ରୀଲୋକନାଥଙ୍କ ପୀଠରେ ବୋଲବମ ଭକ୍ତଙ୍କ ଭିଡ

0 91

ପୁରୀ : ଶେଷ ହେଲା କାଉଡିଆଙ୍କ ଶ୍ରାବଣ ମାସର ଜଳାଲାଗି । ଆଜି ଶ୍ରାବଣ ମାସର ଶେଷ ସୋମବାରରେ ଅବସରରେ ଓଡିଶାର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ମନ୍ଦିରରେ ପ୍ରାୟ ୧୫ ହଜାରରୁ ଉଦ୍ଧ୍ୱର୍ ବୋଲବମ ଭକ୍ତ ଜଳଲାଗି କରିଛନ୍ତି । ବୋଲବମ ଭକ୍ତଙ୍କ ସହ ସାଧାରଣ ଭକ୍ତ ଶ୍ରଦ୍ଧାଳୁ ଶ୍ରୀଲୋକନାଥଙ୍କ ଦର୍ଶନ ମଧ୍ୟ କରିଛନ୍ତି । ଶୃଙ୍ଖଳିତ ଦର୍ଶନ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଆଜି ପାଗ ଅନୁକୂଳ ଥିବାରୁ ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥଙ୍କ ପୀଠରେ ଜଳଲାଗି ପାଇଁ କାଉଡିଆଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଗତକାଲି ରାତିରୁ ହିଁ ଶ୍ରାବଣ ଶେଷ ସୋମବାରରେ ଜଳଲାଗି ପାଇଁ ସମଗ୍ର ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଗତକାଲି ମଧ୍ୟ ରାତ୍ରରୁ ଶ୍ରୀଲୋକନାଥଙ୍କ ମନ୍ଦିର ଖୋଲିବା ପରେ ମଙ୍ଗଳଆଳତି ଅବକାଶ ପରେ ଆରମ୍ଭ ହୋଇଥିଲା ଜଳଲାଗି । ପ୍ରଶାସନ ପକ୍ଷରୁ ସମସ୍ତ କାଉଡିଆଙ୍କ ପାଣିଭାର ରଖିବା ପାଇଁ ବ୍ୟବସ୍ଥା ସହ ଆଶ୍ରୟସ୍ଥଳ ଓ ଫାଷ୍ଟଏଡ ଚିକିତ୍ସାର ମଧ୍ୟ ହୋଇଥିଲା ବ୍ୟବସ୍ଥା । ବ୍ୟାରିକେଡ଼ରେ ରହି କାଉଡ଼ିଆମାନେ ଶ୍ରୀଲୋକନାଥ ମନ୍ଦିର ରୋଷଦ୍ୱାର ପଛପଟ ରାସ୍ତା ଦେଇ ପ୍ରବେଶ କରି ଜଳଲାଗି କରିବା ପରେ ବଉଳ ଦ୍ୱାର ଦେଇ ପ୍ରସ୍ତାନ କରିଥିଲେ । ଏଥିପାଇଁ ପୁରୀ ପ୍ରଶାସନ,ଶ୍ରୀଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ସେବାୟତ ନିଯୋଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଥିଲା । ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁ ମନ୍ଦିର ମୁଖ୍ୟ ଦ୍ୱାର ଦେଇ ପଟେ ପ୍ରବେଶ କରି ଦର୍ଶନ କରିଥିଲେ । ଅନ୍ୟପଟେ ଆଜି ଶ୍ରାବଣ ଶେଷ ସୋମବାରରେ ଲୋକନାଥଙ୍କ ମନ୍ଦିରରେ ହଜାର ହଜାର କାଉଡିଆଙ୍କ ଭିଡ ଜମିଥିବା ବେଳେ ବେଶ ଶୃଙ୍ଖଳିତ ଭାବେ କାଉଡିଆ ମାନେ ଧାଡିରେ ଯାଇ ଜଳଲାଗି କରିଥିଲେ ।
ଦୀର୍ଘ ୨ ବର୍ଷ ପରେ ଜଳଲାଗି ପାଇଁ ଭକ୍ତ ଓ ଭଗବାନଙ୍କର ମିଳନ ହୋଇଥିଲେ ମଧ୍ୟ ପୁନର୍ବାର କରୋନା ସଂକ୍ରମଣ ଭୟରେ ଚଳିତବର୍ଷ ଶ୍ରୀକ୍ଷେତ୍ରରେ ଆଶାନୁଯାଇ କାଉଡିଆଙ୍କୁ ଦେଖିବାକୁ ମିଳିନଥିଲା । ଅନ୍ୟ ସୋମବାରରେ କାଉଡିଆଙ୍କ ଯେତିକି ଭିଡ଼ ଦେଖାଯାଇଥିଲା ଶେଷ ସୋମବାରରେ ତାଠାରୁ କମ କାଉଡିଆ ଜଳଲାଗି କରିଥିବା ପରିଲକ୍ଷିତ ହୋଇଥିଲା । ଶ୍ରାବଣ ମାସ ସୋମବାରରେ ଶୈବପୀଠରେ ଜଳଲାଗି କଲେ ସକଳ ଦୁରାରୋଗ୍ୟ ଦୂର ହେବା ସହ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଆଜି ଶେଷ ପାଳିରେ ଜଳଲାଗି ପାଇଁ ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କାଉଡ଼ିଆମାନେ ଶ୍ରୀଲୋକନାଥଙ୍କ ପୀଠରେ ଜଳ ଲାଗି କରିଛନ୍ତି । ବୋଲବମ୍‌ ହର ହର ବମ୍‌, ଭୋଲେ ବାବା ପାର କରେଗା, ଡମ୍ବରୁଧାରୀ ପାର କରେଗା, ତ୍ରିଶୂଳଧାରୀ ପାର କରେଗା ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶ୍ରୀଲୋକନାଥଙ୍କ ପୀଠ । ବୋଲବମ୍‌ ଭକ୍ତଙ୍କ ଜଳଲାଗି ପାଇଁ ଟିକେଟ ମୂଲ୍ୟ ୨୦ ଟଙ୍କା ରହିଥିଲା । ଶୃଙ୍ଖଳିତ ଜଳଲାଗି ଓ ଦର୍ଶନ ପାଇଁ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ତା ଗ୍ରହଣ କରାଯାଇଥିଲା ।
ଶ୍ରାବଣ ମାସର ଶେଷ ସୋମବାରରେ ବାବା ଲୋକନାଥଙ୍କ ନିକଟରେ ଜଳଲାଗି ପରେ କାଉଡିଆ ମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।

hiranchal ad1
Leave A Reply

Your email address will not be published.

11 − 1 =