ଇଭିଏମ ଗୁଡିକର ଟେଷ୍ଟିଂ ଆରମ୍ଭ

0 138

ପୁରୀ : ପୁରୀ ଜିଲ୍ଲାକୁ ହାଇଦ୍ରାବାଦ ସ୍ଥିତ ଇସିଆଇଏଲ କମ୍ପାନୀରୁ ସମ୍ପୂର୍ଣ୍ଣ ନୂଆ ଇଭିଏମ ବା ଭୋଟିଂ ମେସିନ ପହଞ୍ଚିଛି। ୪୧୦୦ ବାଲାଟ ୟୁନିଟ ଓ ୪୧୦୦ କଣ୍ଟ୍ରୋଲ ୟୁନିଟ ପୁରୀରେ ପହଞ୍ଚିବା ପରେ ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ପେଣ୍ଠକଟା ସ୍ଥିତ ଇଭିଏମ ଗୋଦାମରେ ରଖାଯାଇଥିଲା । ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁଙ୍କ ଉପସ୍ଥିତ କ୍ରମେ ଏହି ମେସିନ ଗୁଡିକର ଟେଷ୍ଟିଂ ଆରମ୍ଭ ହୋଇଛି । ପ୍ରାରମ୍ଭରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଇଭିଏମ ଗୋଦାମ ଖୋଲାଯାଇଥିଲା । ଏହି ଟେଷ୍ଟିଂ କାର୍ଯ୍ୟକୁ ପିକେଡିଏର ସମ୍ପାଦକ ଲଲାଟେନ୍ଦୁ ସାହୁ, ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର ଓ ଓଡ଼ିଶା ପ୍ରଶାସନିକ ସେବାର ପ୍ରୋବେସନର ଅଧିକାରୀ ମାନଙ୍କ ତତ୍ତ୍ୱାବଧାନରେ ୬୦ ଗୋଟି ଟିମ ମାଧ୍ୟମରେ କରାଯାଉଛି । ଇସିଆଇଏଲର ସେକ୍ସନ ଅଧିକାରୀ ପୱନ କୁମାର ଭଟ୍ଟର ସୁପରଭାଇଜିଂ ଅଧିକାରୀ ଭାବେ ଇସିଆଇଏଲ ପକ୍ଷରୁ ଯୋଗ ଦେଇ ମେସିନ ଗୁଡିକର କାର୍ଯ୍ୟଦକ୍ଷତା ଓ ସମସ୍ୟା ଥିଲେ ସମାଧାନ କରିବାକୁ ଉପସ୍ଥିତ ରହିଛନ୍ତି । ନୂଆ ମେସିନ ଆସିଲେ ତାହାର କାର୍ଯ୍ୟକାରିତା ଜାଣିବା ପାଇଁ ଟେଷ୍ଟିଂ କରାଯିବା ଏକ ନିୟମିତ ଓ ସ୍ୱଭାବିକ ପ୍ରକ୍ରିୟା । ଟେଷ୍ଟିଂରେ ଯେଉଁ ମେସିନ ଗୁଡିକରେ ସମସ୍ୟା ଥିବ ତାହାକୁ ଇସିଆଇଏଲର ଇଞ୍ଜିନିୟରମାନେ ସମାଧାନ କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ କହିଥିଲେ ।

hiranchal ad1
Leave A Reply

Your email address will not be published.

two × two =