ସମ୍ବଲପୁର : ଆସନ୍ତା ଅକ୍ଟୋବର ୨୮ ତାରିଖ ଶନିବାର ଦିନ କୁମାରପୂର୍ଣ୍ଣମୀ ଉପଲକ୍ଷେ ଚନ୍ଦ୍ର ଗ୍ରହଣକୁ ଦୃଷ୍ଟିରେ ରଖି ମାଁ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ମନ୍ଦିର ପୂଜକ ମିଳିତ ନିଷ୍ପତି କ୍ରମେ ନିମ୍ନମତେ କାର୍ଯ୍ୟନିର୍ଘଣ୍ଟ ସ୍ଥିରୀକୃତ ହୋଇଛି । ଏବିଷୟରେ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେ ଦିନ ମନ୍ଦିରରେ ପ୍ରାତଃ ନିତିକାନ୍ତି ଓ ମଙ୍ଗଳ ଆଳତି ସକାଳ ୫:୦୦ ଘଟିକାରେ ହେବା ପରେ ସାଧାରଣ ଦର୍ଶନ ସକାଳ ୬:୦୦ ଘଟିକାରୁ ଦିବା ୧୧:୪୫ ପର୍ଯ୍ୟନ୍ତ ରହିବ । ଏହାପରେ ଦିବା ୧୧:୪୫ ରୁ ଅପରାହ୍ନ ୨: ୦୦ ଘଟିକା ପର୍ଯ୍ୟନ୍ତ ଜନସାଧାରଣ ପାଇଁ ଦର୍ଶନ ବନ୍ଦ ରହିବ ଓ ଏହି ସମୟରେ ମାଁ’ଙ୍କ ଅନ୍ନଭୋଗ ଲାଗି ହେବ । ଏହାପରେ ମାଁ’ଙ୍କ ଶୃଙ୍ଗାର ଓ ରାଜରଜେଶ୍ୱରୀ ବେଶ ଅନୁଷ୍ଠିତ ହେବା ସହିତ ମାଁ’ଙ୍କ ମନ୍ଦିରରେ ଧ୍ୱଜାରୋହଣ ପର୍ବ ଓ ମହାଦୀପ ଉଠିବ । ସେହିଦିନ ଅପରାହ୍ନ ୨:୦୦ ଘଟିକାରୁ ଅପରାହ୍ନ ୩:୧୫ ପର୍ଯ୍ୟନ୍ତ ଭକ୍ତମାନଙ୍କ ଦର୍ଶନ ପାଇଁ ସୁଯୋଗ ରହିବ । ଏହାପରେ ଚନ୍ଦ୍ରଗ୍ରହଣ ଯୋଗୁଁ ମନ୍ଦିର ବନ୍ଦ ରହିବ ।