ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ଗ୍ରାମର ପୁରାତନ ଶିକ୍ଷକ ତଥା ରାମଗଡ ଜଗନ୍ନାଥ ମନ୍ଦିରର ପୂଜକ ଦିନେଶ ଯୋଶୀ (୮୫)ଙ୍କ ଆଜି ପରଲୋକ ଘଟିଛି । ଆଜକୁ ପ୍ରାୟ ୨୫ବର୍ଷ ପୂର୍ବରୁ ରାମଗଡ଼ ଅଂଚଳରେ ସେ ରୋଗୀ ସେବା କରି ଏକ ସ୍ୱତନ୍ତ୍ର ପରିଚୟରେ ପରିଚିତ ହୋଇଥିଲେ । ଏହି ରୋଗୀ ସେବା ନିଶାରେ ସେ ସରକାରୀ ଚାକିରିରୁ ଭଲେଣ୍ଟାରୀ ରିଟାର୍ଡମେଣ୍ଟ ନେଇଥିଲେ । ରାମଗଡ଼ ଜଗନ୍ନାଥ ମନ୍ଦିର ପୂଜକ ଭାବେ କାର୍ଯ୍ୟରତ ରହି ପ୍ରତିଦିନ ସନ୍ଧ୍ୟାରେ ମନ୍ଦିରରେ ବିଭିନ୍ନ ପୁରାଣ ଓ ପୌରାଣିକ କଥା ବସ୍ତୁ ଆଲୋଚନା କରି ଲୋକଙ୍କୁ ସଦମାର୍ଗ ଦେଖାଉଥିଲେ । କିଛି ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନ ଥିବାରୁ ସେ ଘରେ ଚିକିତ୍ସାଧୀନ ଥିଲେ । ଗତକାଲି ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ଡାକ୍ତରଖାନରେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଶ୍ୱାସ ଓ ହୃଦଘାତ ଜନିତ ମୃତ୍ୟୁ ଘୋଷଣା କରିଥିଲେ । ତାଙ୍କ ମୃତ ଶରୀରକୁ ନିଜ ଗାଁ ଶ୍ମସାନରେ ଶେଷ କୃତ୍ୟ ହୋଇଥିବା ବେଳେ ତାଙ୍କ ବଡ଼ ପୁତ୍ର ବିଭୁତି ଯୋଶୀ ମୁଖାଗ୍ନି ଦେଇଥିଲେ । ଶେଷକୃତ୍ୟ ସମୟରେ ତାଙ୍କର ୬ପୁଅ, ପୁତ୍ର ବଧୂ ଅଂଚଳ ବାସି ଉପସ୍ଥିତ ରହିଥିଲେ । ତାଙ୍କ ମୃତ୍ୟୁରେ ଅଂଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।