ପୁରୀ : ଆଜି ନୁଆ ମୁଖ୍ୟ ଶାସନ ସଚିବ ଭାବେ ବରିଷ୍ଠ ଆଇଏଏସ ପ୍ରଦୀପ ଜେନା ବିଧିବଦ୍ଧ ଦାୟିତ୍ୱ ନେବା ପରେ ନିଜ ପତ୍ନୀଙ୍କ ସହ ପୁରୀ ଯାଇ ମହା ପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ନୂଆ କାର୍ଯ୍ୟ ଆରମ୍ଭରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ନିହାତି ଜରୁରୀ । ତାଙ୍କରି ଆଶୀର୍ବାଦ ନେଇ ସେ ନିଜ ଦାୟିତ୍ୱକୁ ସୁଚାରୁରୂପେ କିଭଳି ତୁଲାଇବେ ଓ ରାଜ୍ୟବାସୀଙ୍କ ଉନ୍ନତି ପାଇଁ କାମ କରିବେ ସେ ନେଇ ସେ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିବା ସେ କହିଛନ୍ତି । ପ୍ରଥମେ ଶ୍ରୀମନ୍ଦିର ସିଂହଦ୍ୱାରରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ, ସେବାୟତମାନେ ସ୍ୱାଗତ କରି ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ପ୍ରଥମେ ସେ ମହାପ୍ରଭୁଙ୍କ ଦର୍ଶନ କରି ଦେବୀ ବିମଳା, ମା ଲକ୍ଷ୍ମୀ ଓ ଅନ୍ୟ ପାର୍ଶ୍ୱ ଦେବଦେବୀ ମନ୍ଦିର ଯାଇ ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ସହ ଦର୍ଶନ କରିଥିଲେ । ପରେ ମୋ ମହାପ୍ରସାଦ ସେବନ ମଧ୍ୟ କରିଥିଲେ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଆଗାମୀ ରଥଯାତ୍ରା ପୂର୍ବରୁ ସାରିବାକୁ ସରକାର୍ ଲକ୍ଷ୍ୟ ରଖିଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି । ଏହା ଦ୍ୱାରା ପୁରୀ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ ଅଧିକ ସୁବିଧା ପାଇ ପାରିବେ । ସେହିପରି ଶ୍ରୀ ମନ୍ଦିରରେ ସଂସ୍କାର ବ୍ୟବସ୍ଥାକୁ ଆହୁରି ବ୍ୟାପକ କରିବା ପାଇଁ ଶ୍ରୀ ମନ୍ଦିର ପରିଚାଳନା କମିଟି ସହ ସମନ୍ୱୟ ରଖାଯାଇ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଅନ୍ୟ ପଟେ ପୁରୀ ସହର ବାସୀଙ୍କର ଥିବା ବିଭିନ୍ନ ଜମିଜମା ସମସ୍ୟାକୁ ସରକାର ଶୀଘ୍ର ସମାଧାନ କରିବାକୁ ରାଜ୍ୟ ସରକାର ସବୁ ପଦକ୍ଷେପ ନେଉଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।