ବିଶ୍ୱ ହିନ୍ଦୁ ପରିଷଦ ଆହ୍ୱାନ କ୍ରମେ ୧୪ଟି ଜିଲ୍ଲାରେ ବନ୍ଦ ପାଳିତ

0 66

ସମ୍ବଲପୁର: ହନୁମାନ ଜୟନ୍ତୀ ସମାରୋହ ବେଳେ ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟର ଲୋକମାନେ ଏହାକୁ ବିରୋଧ କରିଥିବାର ଅଭିଯୋଗ ହୋଇଥିଲା । ଏହାକୁ ନେଇ ସେହି ସମୟରେ ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ହିଂସା ଦେଖାଦେଇଥିଲା । ଏହି ଘଟଣାକୁ ବିରୋଧ କରି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆଜି ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଛି ଓ ଭାରତୀୟ ଜନତା ପାର୍ଟି ଓ ବଜରଙ୍ଗ ଦଳ ଏହାକୁ ସମର୍ଥନ ଜଣାଇଛନ୍ତି । ଏହାର ପ୍ରଭାବ ପଶ୍ଚିମ ଓଡ଼ିଶାର ଦଶଟି ଜିଲ୍ଲା ସହିତ ଅବିଭକ୍ତ କୋରାପୁଟ ଜିଲ୍ଲାର ଚାରୋଟି ଯାକ ଜିଲ୍ଲାରେ ପରିଲକ୍ଷିତ ହେଉଛି । ଏଥିପାଇଁ ଦୋକାନ ବଜାର ସହିତ ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟ ସବୁ ତଥା ସମସ୍ତ ପରିବହନ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । କିଛି କିଛି ସ୍ଥାନରେ ଦୁଇଚକିଆ ବାହନ ଛଡ଼ା ଆଉ ଗାଡ଼ି ମଟର ଚଳାଚଳ କରୁନାହିଁ । ଏହାପୂର୍ବରୁ ଗତ ୧୨ ଅପ୍ରେଲ ଠାରୁ ଏଠାରେ ପ୍ରଥମ ପର୍ଯ୍ୟାୟରେ ଧାରା ୧୪୪ ଓ ପରବର୍ତ୍ତୀ ସମୟରେ କର୍ଫ୍ୟୁ ଘୋଷଣା ଯୋଗୁଁ ପ୍ରମୁଖ ଛକ ଗୁଡିକ ସହିତ ସ୍ପର୍ଶକାତର ସ୍ଥାନ ମାନଙ୍କରେ ପୁଲିସ ମୁତୟନ କରାଯାଇଛି, ଆଜିକାର ସନ୍ଦର୍ଭ ରେ ସେମାନଙ୍କୁ ଅଧିକ ସକ୍ରୀୟ ଓ ସଜାଗ କରାଯାଇଛି । ସବୁଆଡେ ପୁଲିସର ଉପସ୍ଥିତି ଯୋଗୁଁ ବନ୍ଦ ସତ୍ତେ୍ୱ ସବୁକିଛି ନିୟନ୍ତ୍ରଣରେ ରହିଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ଏଠାରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି କିମ୍ବା ଶାନ୍ତି ଶୃଙ୍ଖଳା ଭଙ୍ଗ ହେବା ବିଷୟରେ ସୂଚନା ମିଳିପାରିନାହିଁ ।

hiranchal ad1
Leave A Reply

Your email address will not be published.

two × 4 =