ଶ୍ରୀରାମ ନବମୀ ଯାତ୍ରାର ଅଷ୍ଟମ ସନ୍ଧ୍ୟା, ଲଙ୍କା ଆକ୍ରମଣ ପାଇଁ ଅଷ୍ଟାବଧାନଙ୍କ ସହ ବିଚାରବିମର୍ଷ

0 299

ଓଡ଼ଗାଁ : ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରାର ଅଷ୍ଟମ ସନ୍ଧ୍ୟାରେ ପ୍ରଭୁ ଶ୍ରୀ ରଘୁନାଥଜୀଉଙ୍କ ଅଷ୍ଟାବଧାନ ବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରଭୁ ଶ୍ରୀରାମ ସୀତାଙ୍କ ଅନୁରୋଧ ରକ୍ଷା କରିବାକୁ ଯାଇ ମାୟାମୃଗ ପଛରେ ଚାଲି ଯାଇଥିଲେ । ମାତ୍ର ଲଙ୍କାପତି ରାବଣର ନିର୍ଦ୍ଦେଶରେ ମାୟା ରଚିଥିବା ମାରିଚରୂପୀ ମୃଗ ପ୍ରଭୁଙ୍କୁ ବହୁଦୂରକୁ ନେଇଯିବା ପରେ ପ୍ରଭୁଙ୍କ ତୀରରେ ଆହତ ହୋଇ ପୂର୍ବ ନିଷ୍ପତ୍ତି ଅନୁଯାୟୀ ତ୍ରାହି ଲକ୍ଷ୍ମଣ ତ୍ରାହି ଲକ୍ଷ୍ମଣ ଡାକ ଦେଇଥିଲା । ଏପରି ଡାକ ଶୁଣି ସ୍ୱାମୀ କୌଣସି ବିପଦରେ ପଡିଥିବା ଭାବି ମାତା ସୀତା ଅନୁଜ ଲକ୍ଷ୍ମଣଙ୍କୁ ସେଠାକୁ ଯିବାକୁ ବାଧ୍ୟ କରିଥିଲେ । ବହୁ ବାରଣ ସତ୍ତେ୍ୱ ମାତା ସୀତାଙ୍କ ନିର୍ଦ୍ଦେଶକ୍ରମେ ଲକ୍ଷ୍ମଣ ତିନିଗାର ଟାଣି ଦେଇ ଭାଇଙ୍କୁ ରକ୍ଷା କରିବାକୁ ଚାଲିଯାଇଥିଲେ । ଏହି ସମୟରେ ଲଙ୍କାପତି ରାବଣ ଛଦ୍ମବେଶରେ ଆସି ଛଳନାରେ ସୀତାଙ୍କୁ ପୁଷ୍ପକ ବିମାନରେ ବସାଇ ଲଙ୍କାକୁ ନେଇ ଯାଇଥିଲା । ସାରା ବନଭୁବନ ଖୋଜିଥିଲେ ସୁଦ୍ଧା ସୀତାଙ୍କୁ ଠାବ କରିବାକୁ ନ ପାଇ ଦୂଇଭାଇ ଅରଣ୍ୟ ମଧ୍ୟରେ ଏଣେତେଣେ ଘୁରିବୁଲୁଥିବା ସମୟରେ ଆହତ ଜଟାୟୁଙ୍କ ଠାରୁ ରାବଣ ସୀତାଙ୍କୁ ଚୋରି କରି ନେଇଥିବାର ଖବର ପାଇଥିଲେ । ସୀତାଙ୍କ ମୁକ୍ତି ପାଇଁ ପ୍ରଭୁ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ ଭକ୍ତ ହନୁମାନଙ୍କ ସହାୟତାରେ ବାନରରାଜ ସୁଗ୍ରୀବଙ୍କ ସହିତ ମିତ୍ରତା ସ୍ଥାପନ କରିଥିଲେ । ଏବଂ ବାଳିକୁ ବଧ କରି ସୁଗ୍ରୀବଙ୍କୁ କିସ୍କିନ୍ଧ୍ୟାର ରାଜସିଂହାସନରେ ଅଭିଷିକ୍ତ କରାଇଛନ୍ତି । ଭକ୍ତ ହନୁମାନ ସାତସମୁଦ୍ର ଲଙ୍ଘନ କରି ସୀତାଙ୍କୁ ଠାବ କରିବା ପରେ ପ୍ରଭୁ ଶ୍ରୀରାମ ଲକ୍ଷ୍ମଣଙ୍କ ସହିତ ସୁଗ୍ରୀବ ହନୁମାନ, ଜାମ୍ବବାନ, ଅଙ୍ଗଦ, ବିଭିଶଣ, ନଳ, ନୀଳ, ସୁଷେଣ ଆଦି ଅଷ୍ଟସେନାଙ୍କ ସହିତ ଲଙ୍କା ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବାର ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା । ଶନିବାର ସନ୍ଧ୍ୟାରେ ଶ୍ରୀରଘୁନାଥ ଜୀଉଙ୍କ ଯୁଦ୍ଧଯାତ୍ରା ବେଶ ଏବଂ ରାବଣପୋଡି ଓ ଆତସବାଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

hiranchal ad1
Leave A Reply

Your email address will not be published.

4 × 1 =