ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକ ହାତୀଗାଁ ପଞ୍ଚାୟତର ସନ୍ନିକଟ ଖାଲେପାରାଠାରେ ଜଣେ ଯୁବକଙ୍କୁ ମାଓବାଦୀମାନେ ଘରୁ ଡାକି ନେଇ ନିର୍ଧୁମ ମାଡ ମାରିବା ସହିତ ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ଜଣାପଡିଛି । ଯୁବକଜଣକ ଉକ୍ତ ଗ୍ରାମର ଚନ୍ଦନ ମଲ୍ଲିକ (୪୨) ବୋଲି ସୂଚନା ମିଳିଥିବା ବେଳେ ପୁଲିସ ଇନଫର୍ମର ଅଭିଯୋଗ କରି ତାଙ୍କୁ ହତ୍ୟା କରାଯାଇଥିବା ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ଉଲ୍ଲେଖ କରିଛନ୍ତି ।
ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୯ଟା ସମୟରେ ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ମାଓବାଦୀ ଛତିଶଗଡ ସୀମାକୁ ଲାଗି ରହିଥିବା ଖାଲେପାରା ଗ୍ରାମର ଚନ୍ଦନ ମଲ୍ଲିକଙ୍କୁ ଘରୁ ଡାକି ନେଇ ଘର ପାଖ ଅଙ୍ଗନବାଡି କେନ୍ଦ୍ର ନିକଟକୁ ଯାଇଥିଲେ । ସେଠାରେ ଗ୍ରାମବାସୀଙ୍କୁ ମଧ୍ୟ ଡକାଇ ଏକ ମିଟିଂ କରିଥିଲେ । ପରେ ସମସ୍ତଙ୍କୁ ଚାଲିଯିବାକୁ କହି ଚନ୍ଦନ ମଲ୍ଲିକଙ୍କୁ ହାତରେ ଦଉଡି ବାନ୍ଧି ନିକଟସ୍ଥ ପଡିଆକୁ ନେଇ ଯାଇଥିଲେ ।
ସେଠାରେ ତାଙ୍କୁ ପ୍ରବଳ ମାଡ ମାରିବା ସହିତ ଏକ ଦଉଡିରେ ବେକକୁ ବାନ୍ଧି ଶ୍ୱାସରୁଦ୍ଧ କରି ମାରି ଦେଇଥିବା ବିଷୟ ତାଙ୍କ ବେକରେ ଥିବା ଚିହ୍ନରୁ ଜଣାପଡିଛି । ଘଟଣାସ୍ଥଳରେ କିଛି ମାଓ ପୋଷ୍ଟର ପଡିଥିବା ବେଳେ ଏହିି ହତ୍ୟାକାଣ୍ଡ ପାଇଁ ନବରଙ୍ଗପୁର ଏସ.ପି, ଛତିଶଗଡ ରାଜ୍ୟ ଗାରିଆବନ୍ଧ ଏସ.ପି ଓ ପୁଲିସ ଗୋଇନ୍ଦା ବିଭାଗ ଦାୟୀ ରହିବେ ବୋଲି ଉଦନ୍ତି ଏରିଆ କମିଟି ତରଫରୁ ଉଲ୍ଲେଖ କରାଯାଇଛି । ଏଥିସହିତ ମୃତ ଚନ୍ଦନ କିଛିଦିନ ଧରି ପୁଲିସର ସହଯୋଗୀ ସାଜି ମାଓବାଦୀଙ୍କ ଗତିବିଧି ବିଷୟରେ ପୁଲିସକୁ ଖବର ଦେଉଥିଲେ ବୋଲି ଅଭିଯୋଗ ନେଇ ପୂର୍ବରୁ ତାଙ୍କୁ ଜନ ଅଦାଲତରେ ହାଜର କରି ଚେତାବନୀ ଦିଆଯାଇଥିଲା । କିନ୍ତୁ ସେ ପୁଣିଥରେ ପୁଲିସର ଇନଫର୍ମର ଭାବେ କାମ କରୁଥିବା ଯୋଗୁଁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ଉକ୍ତ ଲିଫ୍ଲେଟ ଗୁଡିକରେ ଉଲ୍ଲେଖ କରାଯାଇଛି । ଦୀର୍ଘ ସମୟ ପରେ ରାଇଘର ପୁଲିସ ଖବର ପାଇ ସାଇଣ୍ଟିଫିକ୍ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ବେଳେ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଏ ନେଇ କୌଣସି ମୁହଁ ଖୋଲୁ ନାହାନ୍ତି । ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
Sign in
Sign in
Recover your password.
A password will be e-mailed to you.