ପଣା ସଂକ୍ରାନ୍ତି ପାଳନ ପାଇଁ ଓଡ଼ଗାଁ ଉତ୍ସବମୁଖର : ଫଳ ଦୋକାନରେ ଖଚାଖଚ ଭିଡ଼

0 72

ଓଡ଼ଗାଁ : ରାତି ପାହିଲେ ମହାବିଷୁବ ସଂକ୍ରାନ୍ତି । ଏଥି ସହିତ ଓଡ଼ଗାଁ ହନୁମାନ ଛକ ଠାରୁ ଆରମ୍ଭ କରି ରଘୁନାଥ ମନ୍ଦିର ପରିସର ଓ ସିନେମା ହଲ ଛକଠାରେ ଥିବା ମହାବୀରଙ୍କ ମନ୍ଦିରରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିବ । ପଣା ସଂକ୍ରାନ୍ତିର ଏହି ମହାର୍ଘ୍ୟ ସମୟକୁ ଓଡିଆ ନବବର୍ଷ ରୂପେ ପାଳନ ମଧ୍ୟ କରାଯିବ । ଓଡିଆ କ୍ୟାଲେଣ୍ଡରରେ ପ୍ରଥମ ଦିନ ଭାବେ ଏହା ପରିଗଣିତ ହେବ । ସେହିପରି ବିଷୁବ ମିଳନ ମଧ୍ୟ ଅନୁଷ୍ଠିତ ହେବ । ତେବେ ଓଡିଆମାନଙ୍କର ନୂଆ ପାଞ୍ଜି କାଲିଠାରୁ ଚଳିବ । ମହାବିଷୁବ ତଥା ମେଷ ସଂକ୍ରାନ୍ତି ଭାବେ ଏହି ଦିନଟି ଖୁବ୍‌ ଜଣାଶୁଣା ଥିବାବେଳେ ଜଳବାୟୁରେ ଏକ ପରିବର୍ତ୍ତନର ସ୍ପର୍ଶ ଅନୁଭବ ହୁଏ । ସୂର୍ଯ୍ୟ ମଧ୍ୟ ଭାଗକୁ ଚାଲି ଆସନ୍ତି । ସୂର୍ଯ୍ୟଙ୍କ ପ୍ରଖର ତାପମାତ୍ରା ଯୋଗୁଁ ପ୍ରଭୁ ବିଷ୍ଣୁଙ୍କ ଅତି ପ୍ରିୟ ତୁଳସୀ ଗଛ ମୂଳେ ପଣା ସମର୍ପଣ କରାଯିବ । ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ପାଇଁ ଓଡ଼ଗାଁର ପ୍ରତ୍ୟେକ ହିନ୍ଦୁ ପରିବାର ସହ ମନ୍ଦିର,ମଠ ଓ ହିନ୍ଦୁଧର୍ମାନୁଷ୍ଠାନଗୁଡିକରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଅବସରରେ ପଣା ତିଆରି ଏକ ଅନ୍ୟନ ପରମ୍ପରା । ପଣା ତିଆରି ପାଇଁ ଘରେ ଘରେ ପ୍ରସ୍ତୁତି ଆରମ୍ଭ ହୋଇଛି । ସେଥିପାଇଁ ଆଜିଠାରୁ ଆବଶ୍ୟକ ଫଳ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ଦୋକାନ ବଜାରରେ ମଧ୍ୟ ପ୍ରବଳ ଭିଡ ହୋଇଥିଲା । ବିଶେଷ କରି ଓଡ଼ଗାଁ ଏନଏସି ଅନ୍ତର୍ଗତ ଗଣେଶ ବଜାରରେ ଫଳ କିଣିବା ନିମନ୍ତେ ଗ୍ରାହକଙ୍କ ଲମ୍ବା ଭିଡ଼ ଦେଖିବାକୁ ମିଳିଛି । ପଣା ପାଇଁ ଫଳର ଚାହିଁଦାକୁ ଦେଖି ବ୍ୟବସାୟୀମାନେ ଦର ବଢାଇ ଦେଇଥିବା ଦେଖାଯାଇଛି । ଫଳ ସେଓ ଏକ କିଲୋଗ୍ରାମ ପ୍ରତି ୧୮୦ ଟଙ୍କାଥିବାବେଳେ କଳା ଧଳା ଅଙ୍ଗୁର ୮୦ ଟଙ୍କା, କଳା ଅଙ୍ଗୁର ୧୮୦ ଟଙ୍କା, କଦଳୀ ଡଜନ ପ୍ରତି ୬୦ ରୁ ୮୦ ଟଙ୍କା ନଡ଼ିଆ ଗୋଟାକ ୪୦ ଟଙ୍କା, ଡ଼ାଲିମ୍ବ କିଲୋ ପ୍ରତି ୧୬୦ ଟଙ୍କା, କମଳା କିଲୋପ୍ରତି ୧୨୦ ଟଙ୍କା ଦର ରହିଥିବା ଜଣାପଡିଛି । ଯାହା ଫଳରେ ଗ୍ରାହକ ୧କିଲୋ କିଣିବା ପରିବର୍ତ୍ତେ ୨୫୦ ଗ୍ରାମ କିଣି ନିଜକୁ ସନ୍ତୁଷ୍ଟ କରୁଛି । ଏ ସବୁ ସତ୍ତେ୍ୱ ଶ୍ରଦ୍ଧାଳୁଙ୍କ ପଣା ପ୍ରେମରେ କିଛି ବି ହ୍ରାସ ହୋଇଥିବା ପରିଲକ୍ଷିତ ହୋଇନାହିଁ । ଯାହା ଫଳରେ ଆଜି ଫଳ ଦୋକାନରେ ଦିନତମାମ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

hiranchal ad1
Leave A Reply

Your email address will not be published.

17 − nine =