ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୪ ତମ ଜୟନ୍ତୀ ଉତ୍ସବ

0 50

ପାରଳାଖେମୁଣ୍ଡି : ପାରାଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସମ୍ମିଳନୀ କକ୍ଷଠାରେ ରବିବାର ଦିନ ନାଟ୍ୟକାର ଆପନ୍ନା ପରିଚ୍ଛା ସ୍ମୃତି ସଂସଦ ପକ୍ଷରୁ ମହାନ ଦେଶଭକ୍ତ ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୪ ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟିକ, ଗବେଷକ ତଥା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଡି.ଆଇ.ଇ.ଟିର ସେବାନିବୃତ୍ତ ଶିକ୍ଷକ ପ୍ରଶିକ୍ଷକ ଡ. ବାୟାମନୁ ଚର୍ଚ୍ଚି ଯୋଗଦେଇ ନାଟ୍ୟକାର ଆପନ୍ନା ପରିଚ୍ଛା ବିଂଶ ଶତାଦ୍ଦୀର ପ୍ରାରମ୍ଭରେ ଓଡ଼ିଆ ନାଟ୍ୟ ଜଗତର ଜଣେ ଅମ୍ଲାନ ପ୍ରତିଭା ଥିଲେ । ସାହିତ୍ୟ ଜଗତକୁ ସ୍ୱରଚିତ ନାଟକ ବିଜୟ ବସନ୍ତ, ସୀତା ବନବାସ, ନବଲୀଳା ବିଳାସ, ଗୋଷ୍ଠମିଳନ, ମାନସଭଞ୍ଜ, ରାଧାକୃଷ୍ଣ ପ୍ରଣୟ ପ୍ରଭୃତି ଉପହାର ଦେଇ ଯାଇଛନ୍ତି ।
ଭାଷାଭିତ୍ତିରେ ସ୍ୱତନ୍ତ୍ର ଓଡିଶା ଗଠନର ପୁରୋଧା ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସମେତ ପଣ୍ଡିତ ଗୋପବନ୍ଧୁ, ମଧୁସୂଦନ ପଣ୍ଡିତ ନୀଳକଣ୍ଠ ଓ ଫକୀର ମୋହନ ସେନାପତିଙ୍କ ସହ ସେ କାନ୍ଧରେ କାନ୍ଧ ମିଶାଇ ଆଗେଇ ଯାଇଥିଲେ, ତେଣୁ ଏଭଳି ଏକ ମହାନ ଦେଶଭକ୍ତ ଚିରସ୍ମରଣୀୟ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱରରୁ ପ୍ରକାଶିତ ନ୍ୟୁଜ ମେଗାଜିନ ସମଦୃଷ୍ଟିର କାର୍ଯ୍ୟନିର୍ବାହୀ ସମ୍ପାଦକ ବିଘ୍ନେଶ୍ୱର ସାହୁ, ଜାତୀୟ ପୁରସ୍କାର ପ୍ରାପ୍ତ ସେବା ନିବୃତ୍ତ ପ୍ରଧାନଶିକ୍ଷକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ଓଡିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ସଦସ୍ୟ ଶିକ୍ଷାବିତ୍ତ ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ସ୍ମୃତି ସଂସଦର ସମ୍ପାଦକ ତଥା ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ଦାୟାଦ ଶ୍ରୀ ମୁରଲୀଧର ପରିଚ୍ଛା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦେଶ ମିଶ୍ରଣ ଓ ରଇତ ଆନ୍ଦୋଳନରେ ଆପନ୍ନା ପରିଚ୍ଛାଙ୍କ ପୂର୍ଣ୍ଣ ସହଯୋଗର ଅବଦାନ ସମ୍ପର୍କରେ କହି ସେ ଏକାଧାରାରେ ଜଣେ ନାଟ୍ୟକାର ଦେଶଭକ୍ତ ବିପ୍ଲବୀ, ବିଦ୍ରୋହୀ ଏବଂ ସମାଜ ସଂସ୍କାରକ ଥିଲେ ବୋଲି କହିଥିଲେ ।
ଏହି ଅବସରରେ ନରସିଂହ ପଟ୍ଟନାୟକଙ୍କ ଲିଖିତ ପୁସ୍ତକ ” ଓଡ଼ିଆ ଅସ୍ମିତାର ପ୍ରବିରଳ ପୁରୁଷ : ଆପନ୍ନା ପରିଚ୍ଛା’ ଏବଂ ଦେବାଶିଷ ମହାପାତ୍ରଙ୍କ ଲିଖିତ ପୁସ୍ତକ “ଅମୃତ ଅନୁଭବର ଅବିସ୍ମୃତ ବ୍ୟକ୍ତି – ଆପନ୍ନା ପରିଚ୍ଛାଙ୍କ ନାଟ୍ୟକୃତି ଅତିଥି ମାନଙ୍କ ଦ୍ୱାରା ଲୋକାର୍ପଣ ହୋଇଥିଲା ।
ସେହିଭଳି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଡ. ବାୟାମନୁ ଚର୍ଚ୍ଚିଙ୍କୁ ନାଟ୍ୟକାର ଆପନ୍ନା ପରିଚ୍ଛା ସ୍ମୃତି ସମ୍ମାନ- ୨୦୨୨ ଏବଂ କଳିଙ୍ଗ ଟିଭି(ରାୟଗଡା) ବରିଷ୍ଠ ସାମ୍ବାଦିକ ଅମୁଲ୍ୟ ରତ୍ନ ସାହୁଙ୍କୁ ପ୍ରତିଭା ସମ୍ମାନ-୨୦୨୨ ରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ସେହିଭଳି ପାରଳାଖେମୁଣ୍ଡି ସ୍ଥିତ ଆପନ୍ନା ପରିଚ୍ଛା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ରାଇ ଭେନିଲାଙ୍କୁ ବିଦ୍ୟାଳୟର ଶ୍ରେଷ୍ଠ କୃତି ଛାତ୍ରୀ ଭାବେ ସମ୍ଭର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲିଙ୍ଗରାଜ ଦାସ ଅତିଥି ଆବାହନ କରିଥିବା ବେଳେ ସୌଦାଗାର ସିଅ ଅତିଥି ମାନଙ୍କ ପରିଚୟ ପ୍ରଦାନ, ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ସ୍ମୃତି ସଂସଦର ସମ୍ପାଦକ ମୁରଲୀଧର ପରିଚ୍ଛା ଏବଂ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ରାଜେନ୍ଦ୍ର ପଢିଆରୀ ।
ଅନ୍ୟମାନଙ୍କ ମଧ୍ୟରେ ଏହି ସମସ୍ତ କାର୍ଯ୍ୟକ୍ରମରେ ଅନୁଶ୍ରୀ ପଟ୍ଟନାୟକ, ପ୍ରଭାବତୀ ପଟ୍ଟନାୟକ, ବିଷ୍ଣୁ ଚରଣ ପଣ୍ଡା , ନିତ୍ୟାନନ୍ଦ ଚୌଧୁରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ମନୋଜ୍ଞ ପରିବେଶ ସାରସ୍ୱତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କବି, ଲେଖକ , ସାହିତ୍ୟିକ, ନାଟ୍ୟକାର, ସଂଗୀତଜ୍ଞ, ବୁଦ୍ଧିଜୀବୀ ଓ ସାମ୍ବାଦିକ ମାନେ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

seven + 15 =