୧୬ରେ ଶ୍ରୀଲୋକନାଥ ଦେବଙ୍କ ମନ୍ଦିରରେ ପଙ୍କୋଦ୍ଧାର ନୀତି

0 82

ପୁରୀ : ଆସନ୍ତା ୧୬ ତାରିଖରେ ପୁରୀର ପ୍ରସିଦ୍ଧ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ନୀତି ଅନୁଷ୍ଠିତ ହେବ । ବର୍ଷର ଏହି ଗୋଟିଏ ଦିନ ପ୍ରଭୁ ଲୋକନାଥଙ୍କ ଗମ୍ଭୀରା ଭିତରକୁ ଯାଇ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ କରିଥାନ୍ତି । ଭାରତବର୍ଷର ଅନ୍ୟ କୌଣସି ଶୈବପୀଠ କିମ୍ୱା ମନ୍ଦିରରେ ପଙ୍କୋଦ୍ଧାର ସ୍ୱତନ୍ତ୍ର ରୀତି ନୀତି ନାହିଁ । ଶ୍ରୀମନ୍ଦିର ସହ ପ୍ରତ୍ୟକ୍ଷ ସଂପୃକ୍ତ ଥିବା ଶ୍ରୀଲୋକନାଥ ମନ୍ଦିରରେ ମହାଶିବରାତ୍ରିର ଗୋଟିଏ ଦିନ ପୂର୍ବରୁ ପଙ୍କୋଦ୍ଧାରର ସ୍ୱତନ୍ତ୍ର ନୀତି କରାଯାଇଥାଏ । ବର୍ଷ ତମାମ ଫୁଲ, ବେଲପତ୍ର, କ୍ଷୀର, କଦଳୀ, ଦହି, ସୁନା ରୂପାରେ ଆଚ୍ଛାଦିତ ହୋଇ ରହୁଥିବା ମହାପ୍ରଭୁ ଶ୍ରୀଲୋକନାଥଙ୍କ ଏହି ସମସ୍ତ ସାମଗ୍ରୀକୁ ବାହାର କରାଯିବ ।
ତେବେ ପଙ୍କୋଦ୍ଧାର ଏକାଦଶୀ ଅବସରରେ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଚୁଡାନ୍ତ ନୀତି ନିର୍ଘଣ୍ଟ ଅନୁସାରେ ରାତ୍ର ୨ଟାରୁ ଦ୍ୱାର ଫିଟା ପରେ ବିଭିନ୍ନ ନୀତିକାନ୍ତି ବଢି ସକାଳ ୭ ଟାରୁ ଘଣ୍ଟାଏ ପର୍ଯ୍ୟନ୍ତ ଏକାଦଶୀ ଦର୍ଶନ ହେବ । ୮ ଟାରୁ ପଙ୍କୋଦ୍ଧାର ଓ ମାଘ ସ୍ନାନ କରାଯାଇ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ତେବେ ପଙ୍କୋଦ୍ଧାର ଓ ଜାଗର ଅବସରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥାରେ ସାମିଲ ହେବାକୁ ଚାହୁଁଥିବା ଭକ୍ତ ମାନଙ୍କ ପାଇଁ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ଟୋକନ ବ୍ୟବସ୍ଥା କରାଯାଇଛି । ପଙ୍କୋଦ୍ଧାର ଏକାଦଶୀ ଦିନ ୨ହଜାର ଓ ଜାଗର ଯାତ୍ରା ଦିନ ୪ହଜାର ସ୍ୱତନ୍ତ୍ର ଦର୍ଶନ ଟିକେଟ ବିକ୍ରି ହେବାକୁ ଥିବାବେଳେ ଟିକେଟ ଦାମ୍‌ ୧୦୦ ଟଙ୍କା ରଖାଯାଇଛି । ଆସନ୍ତା ୧୮ ତାରିଖ ଶନିବାର ଜାଗର ଯାତ୍ରା ପଡ଼ୁଥିବାରୁ ରାତ୍ର ୧୨.୩୦ରୁ ଦ୍ୱାର ଫିଟା ସହ ପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବା ପରେ ଭୋର ୪ ଟାରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ଏହି ଦର୍ଶନ ବ୍ୟବସ୍ଥା ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଚାଲିବା ପରେ ଭୋର ୪ ଟାରେ ମହାଦୀପ ଉଠିବ । ଜାଗର ଅବସରରେ ଭକ୍ତ ମାନେ ମନ୍ଦିର ବାହାରେ ଏକାଠି ବସି ଦୀପ ଜାଳି ଉଜାଗର ରହିପାରିବେ ବୋଲି ଉପଜିଲ୍ଲାପାଳ କହିଛନ୍ତି । ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ, ସୁରକ୍ଷା ଓ ଶୃଙ୍ଖଳିତ ନୀତି କାନ୍ତି ନେଇ ଉପଜିଲ୍ଲାପାଳ, ଅତିରିକ୍ତ ଏସପି, ତହସିଲଦାର ଆଜି ଲୋକନାଥ ମନ୍ଦିର ଯାଇ ଅନୁଧ୍ୟାନ କରିବା ସହ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପୋଲିସ ଫୋର୍ସ ସହ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିବେ ବୋଲି ଅତିରିକ୍ତ ଏସପି କହିଛନ୍ତି ।

hiranchal ad1
Leave A Reply

Your email address will not be published.

19 + five =