ପୁଟିନଙ୍କୁ ମୋଦୀଙ୍କ ପରାମର୍ଶ,ମୁକାବିଲା ଛାଡ଼ି ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରନ୍ତୁ

0 59

ନୂଆଦିଲ୍ଲୀ : ଆଲୋଚନା ହିଁ ସମସ୍ୟା ସମାଧାନର ଶ୍ରେଷ୍ଠ ପନ୍ଥା । ମୁହାଁମୁହିଁ ବା ମୁକାବିଲାମୂଳକ ନୀତି ସମାଧାନ କରିବା ପରିବର୍ତ୍ତେ ପରିସ୍ଥିତିକୁ ଆହୁରି ବିଗାଡ଼ିଦିଏ । ତେଣୁ ଆପଣ କୂଟନୈତିକ ସ୍ତରରେ ଆଲୋଚନା କରି ୟୁକ୍ରେନ ସହ ଥିବା ବିବାଦର ସମାଧାନ କରିବା ସବୁଠୁ ଭଲ ହେବ । ଆଜି ଫୋନରେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଏହି ପରାମର୍ଶ ଦେଇଛନ୍ତି । ଜର୍ମାନୀ ଓ ୟୁଏଇ ଗସ୍ତ ଶେଷକରି ଭାରତ ଫେରିଆସିବାର ମାତ୍ର କିଛି ଦିନ ପରେ ପୁଟିନଙ୍କ ସହ ତାଙ୍କର ଏଭଳି ଆଲୋଚନା ବିଶ୍ୱ ରାଜନୈତିକ ମହଲରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି । ଦ୍ୱିପାକ୍ଷିକ ସଂପର୍କ,ୟୁକ୍ରେନ ଯୁଦ୍ଧ ଆଦି ପ୍ରସଙ୍ଗରେ ଦୁଇ ନେତା କଥାବାର୍ତ୍ତା କରିଛନ୍ତି । ଏହି ଟେଲିଫୋନ ଆଲୋଚନା ବେଳେ ମୋଦୀ ଯୁଦ୍ଧ ପ୍ରସଙ୍ଗ ଉଠାଇବା ସହ ସମସ୍ୟାର ସମାଧାନ ପାଇଁ କୂଟନୈତିକ ସ୍ତରରେ ଆଲୋଚନା ହିଁ ସର୍ବୋତ୍ତମ ପନ୍ଥା ଏବଂ ଏହା ସପକ୍ଷରେ ଭାରତ ରହିଛି ବୋଲି ଜଣାଇଥିଲେ । ଅନ୍ୟପକ୍ଷରେ ପୁଟିନଙ୍କ ଗତ ଭାରତ ଗସ୍ତ କାଳରେ ନିଆଯାଇଥିବା ବିଭିନ୍ନ ଦ୍ୱିପାକ୍ଷିକ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଉପରେ ଉଭୟ ନେତା ଆଲୋଚନା କରିଥିଲେ । କୃଷି ସାମଗ୍ରୀ, ସାର ଓ ଫାର୍ମା ଉତ୍ପାଦର ଦ୍ୱିପାକ୍ଷିକ ବାଣିଜ୍ୟ କାରବାରକୁ ବୃଦ୍ଧି କରିବା ପ୍ରସଙ୍ଗରେ ଉଭୟ ରାଜି ହୋଇଥିଲେ । ଏହା ଛଡ଼ା ଶକ୍ତି ଓ ଓ ଖାଦ୍ୟ କ୍ଷେତ୍ର ଉପରେ ସହଯୋଗ ବଢାଇବା ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିଲେ । ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ୟୁରୋପୀୟ ଦେଶମାନେ ରୁଷଠାରୁ ତୈଳ କ୍ରୟ କମ କରିଦେଇଛନ୍ତି । ଏହା ଫଳରେ ରୁଷ ଭାରତକୁ ରିହାତି ଦରରେ ତୈଳ ଯୋଗାଉଛି । ଏହାର ସୁଯୋଗ ନେଇ ଭାରତ ରୁଷଠାରୁ ପ୍ରଚୁର ପରିମାଣରେ ତେଲ କିଣି ଚାଲିଛି । ଏପରିକି ରୁଷ ଏବେ ଇରାକକୁ ଟପି ଭାରତର ନଂ୧ ତୈଳ ରପ୍ତାନିକାରୀ ଦେଶରେ ପରିଣତ ହୋଇଛି ।

hiranchal ad1
Leave A Reply

Your email address will not be published.

thirteen − nine =