ଫୁଲବାଣୀରେ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ

0 104

ଫୁଲବାଣୀ,୨/୭:- ସ୍ଥାନୀୟ ଜଗନ୍ନାଥ ମନ୍ଦିର ରତ୍ନ ସିଂହାସନରୁ ବାହାରି ଚତୁର୍ଦ୍ଧାମୂର୍ତ୍ତି ମାଉସୀମା ମନ୍ଦିରକୁ ଯାତ୍ରା କରିଛନ୍ତି । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ ମାଉସୀମା ଘରକୁ ଯାଉଛନ୍ତି ପ୍ରଭୁ ଜଗନ୍ନାଥ ଏବଂ ତାଙ୍କ ସଙ୍ଗେ ଭାଇ ବଳଭଦ୍ର ଭଉଣୀ ଦେବୀ ସୁଭଦ୍ରା । ପାଗ ଶୁଖିଲା ଥିବା ଯୋଗୁଁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବାର ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ ମଙ୍ଗଳ ଆଳତିସହ ମଇଲମ, ରୋଷ ଘର ହୋମ, ପରେ ସୂର୍ଯ୍ୟ ଦେବ ପୂଜା, ଅବକାଶ ଓ ଦ୍ୱାରପାଳ ପୂଜା, ଭୋଗ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସୁଦର୍ଶନ ତାପରେ ବଡ ଭାଇ ବଳଭଦ୍ର ଦେବୀ ସୁଭଦ୍ରା ଏବଂ ଶେଷରେ ଜଗତରନାଥ ଜଗନ୍ନାଥଙ୍କୁ ପହଣ୍ଡି ବିଜେରେ ରଥାରୁଢ଼ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ଦ୍ୱାରା ଛେରା ପହଁରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଫୁଲବାଣୀର ଅଗ୍ରଣୀ ନୃତ୍ୟ ସଙ୍ଗୀତ ଅନୁଷ୍ଠାନ ନଟରାଜ କଳା ମନ୍ଦିର ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶିଷ ଈଶ୍ୱର ପାଟିଲ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ରଥଟଣା ସମୟରେ ଉପ ଜିଲ୍ଲାପାଳ ଶେଷ ଦେବ ରଥ, ପିଡ଼ି ଡିଆର ଡିଏ ବିଶ୍ୱ ରଞ୍ଜନ ନାୟକ,ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ, ପିଏ ଆଇ ଟି ଡି ଏ ବୀରେନ୍ଦ୍ର ଦାଶ, ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି, ନିର୍ବାହୀ ଅଧିକାରୀ ବଳଦେବ ବେହେରା, ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିପିନି ବିହାରୀ ବେହେରା, ଏସ୍‌ଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ,ଟାଉନ ଥାନା ଅଧିକାରୀ ସୁଶାନ୍ତ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଥଟଣା କାର୍ଯ୍ୟ ଶେଷ ହୋଇଥିଲା । ଟିମ ହ୍ୟୁମାନିଟି କନ୍ଧମାଳ ଓ ଏବିଭିପି ଛାତ୍ରମାନେ ସକ୍ରିୟ ଅଂଶଗ୍ରହଣ କରି ସହଯୋଗ କରିଥିଲେ । ପାଗ ଶୁଖିଲା ଥିବା ଯୋଗୁଁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ମାଉସୀମା ମନ୍ଦିରରେ ରଥ ରାତି ୧୦ ଟା ରେ ପହଞ୍ଚିଥିବା ବେଳେ ତିନି ଠାକୁରଙ୍କ ପହଣ୍ଡି ବିଜେ ପ୍ରାୟ ରାତ୍ର ୧୧ ଟାରେ ହୋଇଥିଲା । ଶୃଙ୍ଖଳାର ସହ ରଥଟଣା କାର୍ଯ୍ୟ ସମ୍ପାଦନ ପାଇଁ ବହୁ ସଂଖ୍ୟକ ପୋଲିସ ମୁତୟନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

twenty − 7 =