ଇଟାଲୀର ପ୍ରଫେସର ଆଲଫ୍ରେଡୋ ରୋମ୍ବୋଲାଙ୍କୁ ହତ୍ୟା ଧମକ, ୨୫ ବର୍ଷ ହେଲାଣି ଓଡିଶାରେ କରୁଛନ୍ତି ସେବା କାର୍ଯ୍ୟ

0 117

ପୁରୀ: ଭାରତବର୍ଷର ମହାନ୍‌ ସଂସ୍କୃତି ଓ ପରମ୍ପରା ପ୍ରତି ଆକୃଷ୍ଟ ହୋଇ ଅନେକ ବିଦେଶୀ ଭାରତକୁ ଆସି ପୁରୀର ନାଗରିକତା ଗ୍ରହଣ କରିବା ସହ ବସବାସ କରୁଛନ୍ତି ।ଏଭଳିକି ଅନେକ ଗବେଷଣା,ସେବାମୂଳକ କାର୍ଯ୍ୟ କରୁଛନ୍ତି ।ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ଇଟାଲୀର ପ୍ରଫେସର ଆଲଫ୍ରେଡୋ ରୋମ୍ବୋଲା । ସେ ପୁରୀ, ବ୍ରହ୍ମପୁର, କନ୍ଧମାଳ ସମେତ ବିଭିନ୍ନ ସ୍ଥାନରେ ଦୀର୍ଘବର୍ଷ ହେବ ସମାଜସେବା ଓ ଗରିବଙ୍କୁ ସାହାଯ୍ୟ କରିଆସୁଛନ୍ତି । କିଛି କୁଚକ୍ରୀ ଗୋଷ୍ଠୀ ତାଙ୍କ ବିରୁଦ୍ଧରେ ବିଭିନ୍ନ ଫେକ୍‌ ଆଇଡି କରି ତାଙ୍କ ଚରିତ୍ର ସଂହାର ସହ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି । ଏ ନେଇ ସେ ପୁରୀ ସାଇବର ଓ ଚନ୍ଦନପୁର ଥାନାରେ ଅଭିଯୋଗ କରିଛନ୍ତି । ଏହାର ଉପଯୁକ୍ତ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି । ଇଟାଲୀର ପ୍ରଫେସର ଆଲଫ୍ରେଡୋ ରୋମ୍ବୋଲା ଦୀର୍ଘ ୨୫ ବର୍ଷ ହେବ ଓଡିଶା ଆସି ଜଣେ ଓଡ଼ିଆଙ୍କୁ ବିବାହ କରିବା ସହ ଅର୍ଜୁନ ଦାସ ନାମରେ ପରିଚିତ ହୋଇଛନ୍ତି ସେ ପୁରୀର ଚନ୍ଦନପୁରରେ ଆଶ୍ରମ କରିଛନ୍ତି । ପୁରୀ ସମେତ ବ୍ରହ୍ମପୁର ଓ କନ୍ଧମାଳ ଜିଲ୍ଲାରେ ବିଭିନ୍ନ ସମାଜସେବା କରିଆସୁଛନ୍ତି । ପୁରୀ ପେଣ୍ଠକଟା ଓ ବଳିଆପଣ୍ଡା ବସ୍ତିରେ ସେ ଗରିବ ଲୋକଙ୍କୁ ଆର୍ଥିକ ସାହାଯ୍ୟ ଠାରୁ ଆରମ୍ଭ କରି ସ୍ୱାବଲମ୍ବୀ ହେବା ପାଇଁ ସିଲାଇ ମେସିନ, ପାଠ୍ୟ ଉପକରଣ, ସ୍କୁଲ, ପୋଷାକ ଆଦି ବଣ୍ଟନ କରୁଛନ୍ତି । ଆଲଫ୍ରେଡୋ ରୋମ୍ବୋଲା ଗବେଷଣା କରିବା ସହ ଜଟିଳ ରୋଗରେ ପୀଡ଼ିତ ଅନେକ ଗରିବ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ତାଙ୍କ ଚନ୍ଦନପୁର ଆଶ୍ରମରେ ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଫ୍ୟାବ୍ରିଜିଓ ରୋକୋ ଡୋନାଟି ଓ ପୁରୀର ଭଦ୍ର ମଣ୍ଡଳୀ ସହ ଆଉ କିଛି ଲୋକ ମିଶି ସୋସିଆଲ ମିଡିଆରେ ବିଭିନ୍ନ ଫେକ୍‌ ଆଇଡି ଖୋଲି ତାଙ୍କ ସ୍ତ୍ରୀ ,ପୁଅ ଓ ତାଙ୍କ ବିରୁଦ୍ଧରେ ଅପପ୍ରଚାର ସହ ଚାରିତ୍ରିକ ସଂହାର ସହ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଉଛନ୍ତି ।କେବଳ ସୋସିଆଲ ମିଡ଼ିଆ ନୁହଁ ହ୍ୱାଟ୍ସଆପ ଓ ଇ-ମେଲ ଯୋଗେ ମଧ୍ୟ ଧମକ ଦେଉଛନ୍ତି ।ଏ ନେଇ ସେ ଗତ ୫ ତାରିଖରେ ପୁରୀ ସାଇବର ଓ ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଁ ପୋଲିସ ଏତଲା କରିନାହିଁ ।ଫଳରେ ମାନସିକ ଭାବେ ଭାଙ୍ଗିପଡିଛନ୍ତି ଆଲଫ୍ରେଡୋ ।
ସୋସିଆଲ ମିଡିଆରେ ଏଭଳି ପୋଷ୍ଟ ଯୋଗୁଁ ତାଙ୍କ ସମ୍ମାନ ଓ ପ୍ରତିଷ୍ଠାରେ ଆଞ୍ଚ୍‌ ଆସିଛି । ତ୍ୱରିତ କାର୍ଯ୍ୟାନୁଷ୍ଠନ ପାଇଁ ସେ ବାରମ୍ବାର ସାଇବର ଓ ଚନ୍ଦନପୁର ଥାନା ପୋଲିସ ପାଖକୁ ଦଉଡ଼ି ଦଉଡ଼ି ନିରାଶ ହୋଇଛନ୍ତି । ତାଙ୍କ ଦ୍ୱାରା ଉପକୃତ ହୋଇଥିବା ଗରିବ ଲୋକେ ମଧ୍ୟ ଏଭଳି କାର୍ଯ୍ୟକୁ ଗ୍ରହଣ କରିପାରୁନାହିଁ । ଆଲଫ୍ରେଡୋ ଜଣେ ପରୋପକାରୀ ଓ ଭଲ ଲୋକ ହୋଇଥିବାବେଳେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବୀ କରିଛନ୍ତି ।ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗରେ ସେ ଆଜି ଅତିରିକ୍ତ ଏସପିଙ୍କ ଭେଟି ପୁଣିଥରେ ନିଜ ଅଭିଯୋଗ କରିଛନ୍ତି । ସେ ସାଇବର ପୋଲିସ ଓ ଚନ୍ଦନପୁର ପୋଲିସ ନିକଟରେ ସମସ୍ତ ତଥ୍ୟ,ପ୍ରମାଣ ଦାଖଲ କରିଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣା ଉପରେ ଅତିରିକ୍ତ ଏସପି କହିଛନ୍ତି ଘଟଣାକୁ ଗୁରୁତର ସହ ନେଇ ଉପଯୁକ୍ତ ତଦନ୍ତ କରାଯିବ ଓ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
କେବଳ ଆଲଫ୍ରେଡୋ ରୋମ୍ବୋଲା ନୁହଁ ବରଂ ତାଙ୍କ ସ୍ତ୍ରୀ ଓ ପୁଅ ମଧ୍ୟ ମାନସିକ ଭାବେ କଷ୍ଟ ପାଉଛନ୍ତି । ସାଇବର ପୋଲିସ ତୁରନ୍ତ ଘଟଣାର ତଦନ୍ତ କରି ସୋସିଆଲ ମିଡିଆରେ ଅପପ୍ରଚାର ଚଳାଇଥିବା ଫ୍ୟାବ୍ରିଜିଓ ରୋକୋ ଡୋନାଟି ଓ ପୁରୀର ଭଦ୍ର ମଣ୍ଡଳୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନେହୁରା ହୋଇଛନ୍ତି ସେ । ଏହା ନହେଲେ ଭାରତକୁ ସେବା କରିବାକୁ ଆସୁଥିବା ବିଦେଶୀଙ୍କ ମନରେ ଖରାପ ଧାରଣା ସୃଷ୍ଟି ହେବା ସ୍ୱଭାବିକ୍‌ ।

hiranchal ad1
Leave A Reply

Your email address will not be published.

four × 4 =