ଘଣ୍ଟାଏ ବର୍ଷାରେ ମହାରଣା ସାହି ଘରେ ଘରେ ପଶିଲା ଡ୍ରେନ ପାଣି

0 154

ଘୁ ଉଦୟଗିରି: ଘଣ୍ଟାଏ ବର୍ଷାରେ ଉବୁଟୁବୁ ଇଲେକ୍ଟ୍ରି ଅଫିସ ଛକ ଆଣ୍ଠୁଏ ଆଣ୍ଠୁଏ ପାଣି । ମହାରଣା ସାହି ଘରେ ଘରେ ପସିଲା ଡ୍ରେନ ପାଣି । ଆଜି ଘୁ. ଉଦୟଗିରି ସହରରେ ଦିନ ପ୍ରାୟ ୧୨.୩୦ ରୁ ଆରମ୍ଭ ହେଲା କାଳବୈଶାଖୀ ବର୍ଷା, ପବନ ସହ ବିଜୁଳୀ ଘଡ଼ଘଡ଼ି । କାଳବୈଶାଖୀର ତାଣ୍ଡବରେ ଆଜି ସ୍ଥାନୀୟ ପାୱାର ହାଉସ ଛକରେ ଏକ କୁତ୍ରିମ ବନ୍ଧ ସୃଷ୍ଟି ହୋଇଥିବା ବେଳେ ପାଖରେ ଥିବା ଘର ଭିତରେ ପାଣି ପଶିଯିବା ଫଳରେ ଲୋକଙ୍କ ଭିତରେ ଅସନ୍ତୋଷ ସହ କ୍ରୋଧ ଦେଖିବାକୁ ମିଳିଛି । ଡ୍ରେନ ପାଣି ନିଷ୍କାସିତ ହେବା ପାଇଁ ସୁବିଧା ନଥିବା କାରଣରୁ ବିଭିନ୍ନ ପ୍ରକାର ଜରି,ପାଣି ବୋତଲ ସହିତ ପଚା ସଢ଼ା , ଅଳିଆ, ଆବର୍ଜନା ପୂର୍ଣ୍ଣ ଗୋଳିଆ ପାଣି ଘରେ ଘରେ ପଶି ଘର ଭିତରେ ସବୁ ନଷ୍ଟ ହୋଇଛି । ଯାହା ଫଳରେ ସ୍ଥାନୀୟ ବାସିନ୍ଦା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଯାଇ ସହକାରୀ ଯନ୍ତ୍ରୀଙ୍କୁ ଭେଟିଥିଲେ ଓ ଅଭିଯୋଗ ମଧ୍ୟ କରିଥିଲେ । କାରଣ ମହାଶୟା ନିଜେ ସେ ଅଞ୍ଚଳର ଡ୍ରେନ କାର୍ଯ୍ୟ କରାଇଥିଲେ । ଘଟଣା ସ୍ଥଳକୁ ଯାଇ ସହକାରୀ ଯନ୍ତ୍ରୀ ଦେଖିବା ପାଇଁ ଲୋକେ ଅନୁରୋଧ କରିବା ପରେ ଯାଇଥିଲେ କିନ୍ତୁ ସେଠାରେ ସମସ୍ୟା ଦେଖି ଯନ୍ତ୍ରୀ ନିଜ ସ୍କୁଟିରେ ଫେରିଆସିଥିଲେ । ଫଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ନିର୍ବାହୀ ଅଧିକାରୀ ଘଟଣା ସ୍ଥଳକୁ ଯାଇ ଲକୋଙ୍କୁ ବୁଝାସୁଝା କରିଥିଲେ ଓ ମୋଟର ଯୋଗେ ଘରେ ପଶିଥିବା ପାଣିକୁ ନିଷ୍କାସନ କରିବା ପାଇଁ ତତକ୍ଷଣାତ୍‌ କର୍ମଚାରୀଙ୍କୁ କହି ସେଠାରୁ ପାଣି ଖାଲି କରାଇଥିଲେ । ପରିଷଦ ଠାରୁ ୨୦୦ ମିଟର ଦୂର ପାୱାର ହାଉସ୍‌ ଛକରେ ଏହିପରି ଯୋଜନା ବିହୀନ କାମ ହୋଇଥିବାରୁ ଅଳ୍ପ ବର୍ଷାରେ ବି ଏପରି କୁତ୍ରିମ ବନ୍ଧ ସୃଷ୍ଟି ହୋଇ ଘରେ ପାଣି ପଶିବା ବୁଦ୍ଧିଜୀବୀ ମହଲରେ କାର୍ଯ୍ୟରତ ଯନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି । ଏହି ଛକ ଟି ସରକାରୀ ବାଳିକା ଉଚ୍‌ଚବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ବ୍ଲକ କାର୍ଯ୍ୟାଳୟ ସହ ବନ ବିଭାଗର ତାଲିମ କେନ୍ଦ୍ର ଏପରି ଅନେକ ମୁଖ୍ୟ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ମୁଖ୍ୟ ଛକ ହୋଇଥିବା ବେଳେ ସେଠାରେ ଅଳ୍ପ ବର୍ଷାରେ ଏହିପରି ଅପ୍ରୀତିକର ଦୃଶ୍ୟ ଦେଖିବାକୁ ମିଳୁଛି । କହିବାକୁ ଗଲେ ଏହି ସ୍ଥାନରେ ଡ୍ରେନେଜ୍‌ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ । ବର୍ଷା ହେଲେ ମଇଳା ଭର୍ତ୍ତି ସାଙ୍ଗକୁ ପାଣି ଯିବା ପାଇଁ ଆଉ ରାସ୍ତା ନାହିଁ ।ସବୁ ଆଡେ ଜାମ ହୋଇଥିବା ବେଳେ ହାବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆକୁ ଯାଉଥିବା ପାଣି ମଧ୍ୟ ଅବରୋଧ କରାଯାଇଛି । ସେପଟେ ବ୍ଲକ ଆଡୁ ଏପଟେ ଏନ୍‌ଏସି ଆଡୁ ଯାଉଥିବା ସମସ୍ତ ପାଣି ସେଠାରେ ଜମୁଥିବା କାରଣରୁ ପାୱାର ହାଉସ ଛକ କୁତ୍ରିମ ବନ୍ଧ ସୃଷ୍ଟି ହୋଇ ଅଳିଆ ଆବର୍ଜନା ପାଣି ଲୋକମାନଙ୍କ ଘରେ ପଶି ଯିବା ଫଳରେ ଅଞ୍ଚଳର ଲୋକେ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଥିବା ଦେଖିବାକୁ ମିଳିଛି । ସୂଚନା ଥାଉ ଯେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରୁ ମାତ୍ର ଅଳ୍ପ କିଛି ଦୂରରେ ଜଳ ନିଷ୍କାସନ ନିମନ୍ତେ ଡ୍ରେନେଜ୍‌ର ଏହିପରି ଅବ୍ୟବସ୍ଥା ଥିବାବେଳେ ଅନ୍ୟ ଅଞ୍ଚଳର ଡ୍ରେନେଜ ବ୍ୟବସ୍ଥା କିପରି ଥିବ ତାହା ଏ ଦୃଶ୍ୟ ଦେଖି ଅନୁମାନ କଲେ ବୁଝିହେବ । ଡ୍ରେନ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ସହରର ଡ୍ରେନ ଗୁଡ଼ିକ ଉପଯୁକ୍ତ ଯୋଜନା ଅନୁସାରେ ନିର୍ମାଣ ଓ ମରାମତି କରିବା ସହିତ ସଫା କରାଗଲେ ଏହି ପରି ଆଗକୁ ଆଉ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ବେଳେ ଅତିଶୀଘ୍ର ସମସ୍ୟାର ସମାଧାନ ନହେଲେ ଭବିଷ୍ୟତରେ ବଡଧରଣର ଆନ୍ଦୋଳନ ସହ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ସାହି ବାସିନ୍ଦା ।

hiranchal ad1
Leave A Reply

Your email address will not be published.

nine − three =