ମାଉସୀ ବାହାଘରକୁ ଯାଇ ଦୁଷ୍କର୍ମର ଶିକାର ହେଲେ ନାବାଳିକା, ୨ ଗିରଫ

0 470

ଦଶପଲ୍ଲା : ମାଉସୀର ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିବା ୧୧ ବର୍ଷିୟା ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ବାଜା ବଜାଇବାକୁ ଆସିଥିବା ୨ଜଣ ବାଜାବାଲା ଏଭଳି ଜଂଘନ୍ୟକାଣ୍ଡ କରିଥିବା ଅଭିଯୋଗ ହୋଇଛି । ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ଅଞ୍ଚଳର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁଯାୟୀ, ନିଜ ପରିବାର ସହ ଜଣେ ନାବାଳିକା ମାଉସୀଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିବାବେଳେ ସମସ୍ତେ କାର୍ଯ୍ୟବ୍ୟସ୍ତ ଥିବା ସମୟରେ ନାବାଳିକା ଜଣକ ପରିସ୍ରା ପାଇଁ ବାହାରକୁ ଆସିଥିଲେ । ଏହି ସମୟରେ ୨ ଜଣ ବାଜାବାଲା ତାଙ୍କୁ ଉଠାଇନେଇ ଦୁଷ୍କର୍ମ କରିଥିଲେ । ସେ ନିଜ ମା’ଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ । ଘରକୁ ଆସି ଏ ସମ୍ପର୍କରେ ପରିବାର ପକ୍ଷରୁ ବାଣୀଗୋଛା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି । ସେମାନେ ହେଲେ ସ୍ଥାନୀୟ ଜାମୁସାହି ଗ୍ରାମର ତ୍ରିଲୋଚନ ବେହେରାଙ୍କ ପୁଅ ଶାନ୍ତିପନି ବେହେରା ଓରଫ୍‌ ଟୁନା ଓ ବୌଦ୍ଧ ଜିଲ୍ଲା ଅରଖପଦର ଗ୍ରାମର କରୁ ନାୟକଙ୍କ ପୁଅ ଶ୍ରୀକାନ୍ତ ନାୟକ । ଏପଟେ ନାବାଳିକାଙ୍କ ରକ୍ତସ୍ରାବ ହେଉଥିବା ବେଳେ ତାଙ୍କୁ ଚିକିତ୍ସା କରାଯାଉଛି । ନାବାଳିକାଙ୍କୁ ଦଶପଲ୍ଲା ଥାନାର ଜଣେ ମହିଳା ସବ୍‌ଇନ୍ସପେକ୍ଟରଙ୍କ ନିକଟରେ ହାଜର କରାଯାଇ ବୟାନ ରେକର୍ଡ କରାଯିବା ପରେ ଆଜି କୋର୍ଟରେ ବୟାନ ରେକର୍ଡ କରାଯିବ ବୋଲି ଥାନା ଅଧିକାରୀ ମୁକେଶ କୁମାର ବେହେରା କହିଛନ୍ତି ।

hiranchal ad1
Leave A Reply

Your email address will not be published.

17 + ten =