ବାଲିଗୁଡ଼ା ଦଣ୍ଡଯାତ୍ରାର ୧୦୦ ବର୍ଷ ପୂର୍ତ୍ତି,୧୦ରେ ଅଷ୍ଟଶମ୍ଭୁ ମିଳନ

0 227

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଦଣ୍ଡଯାତ୍ରାକୁ ଚଳିତ ବର୍ଷ ୧୦୦ ବର୍ଷ ପୁରିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏପ୍ରିଲ ୦୧ ତାରିଖ ଠାରୁ୧୩ ତାରିଖ ପର୍ଯ୍ୟନ୍ତ ମା’ କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଅଛି । କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ଯାତ୍ରା ବନ୍ଦ ରହିଥିଲା । ଦୀର୍ଘ ଦୁଇବର୍ଷ ପରେ ପୁଣି ଅଞ୍ଚଳବାସୀ ଦଣ୍ଡଯାତ୍ରାକୁ ଉପଭୋଗ କରିବାର ସୁଯୋଗ ପାଇଛନ୍ତି । ଏହି ପରିପ୍ରେକ୍ଷୀରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୩ ତମ ବାର୍ଷିକ ଅଷ୍ଟଶମ୍ଭୁ ମିଳନ ସମାରୋହ ଏପ୍ରିଲ ୧୦ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ । ଏଥିରେ ବାଲିଗୁଡା, ବାରଖମା, ବାଟଗୁଡା, ରେବିଙ୍ଗିଆ, ଋତୁଙ୍ଗିଆ, ମେଲସିକିଆ, କତେରିଭଟ୍ଟା ଓ ଡାକା ଗ୍ରାମର ଆଠଟି ଦଣ୍ଡଦଳ ଯୋଗଦେବାର ପଞ୍ଚୁଦଣ୍ଡ ପରିଚାଳନା ସମିତି ପକ୍ଷରୁ ନିଷ୍ପତ୍ତି ହୋଇଛି । ଏ ନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଛି । ଏଣୁ ସମଗ୍ର ବାଲିଗୁଡା ଅଞ୍ଚଳ ବାସୀଙ୍କୁ ଏପ୍ରିଲ ୦୧ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସମଗ୍ର ସହରରେ ଅଣ୍ଡା, ମାଛ, ମାଂସ, ଶୁଖୁଆ ପ୍ରଭୃତି ଆମିଷ ଦ୍ରବ୍ୟ ଅନୁଷ୍ଠାନରେ ବିକ୍ରି ଓ ସେବନ ବନ୍ଦ କରି ସହଯୋଗ କରିବା ସହ ମା’ କାଳୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ସମିତି ପକ୍ଷରୁ ଅଞ୍ଚଳବାସୀଙ୍କୁ ଅନୁରୋଧ କରାଯାଇଛି । ଅଷ୍ଟଦଣ୍ଡ ମିଳନର କାର୍ଯ୍ୟସୂଚୀ ପ୍ରକାରେ ୧୦ ତାରିଖ ରବିବାର ସକାଳ ୮ ଘଣ୍ଟା ସମୟରେ ମା’ ପାଟ୍ଟଖଣ୍ଡା ମନ୍ଦିରରେ ୮ ଦଣ୍ଡ ଦଳଙ୍କୁ ବରଣ କରାଯିବ । ଦିବା ଘ.୧୧.୩୦ମି ସମୟରେ ସହରର ମୁଖ୍ୟ ରାସ୍ତାରେ ଧୂଳିଦଣ୍ଡ , ଅପରାହ୍ନ ଘ.୪.୩୦ମି. ରେ ବସ୍‌ ଷ୍ଟାଣ୍ଡ୍‌ ନିକଟ ପୋଖରୀରେ ପାଣିଦଣ୍ଡ ,ସନ୍ଧ୍ୟା ୦୫ ଘଟିକାରେ ସବୁଠାରୁ ବିଶେଷ ଆକର୍ଷଣ ବଜାର ଛକରେ ଅଷ୍ଟଦଣ୍ଡଙ୍କ ମହା ମିଳନ କାର୍ଯ୍ୟକ୍ରମ ରହିଛି । ରାତ୍ର ୧୧ ଘଟିକାରେ ଅଗ୍ନିଦଣ୍ଡ ପଟୁଆର ସହ ନିଜନିଜ ସ୍ଥାନରେ ଦଣ୍ଡଥଳ ପହଁଚି ଦଣ୍ଡବିଧାନ କରିବେ ଏବଂ ୧୧ ତାରିଖ ସୋମବାର ଦିନ ସକାଳ ୮ ଘଟିକାରେ ଯାତ୍ରା ସମାପନ ହେବ । ଦୀର୍ଘ ଦୁଇବର୍ଷ ପରେ ଏହି ସୁଯୋଗ ପାଇଥିବାରୁ ଅଷ୍ଟଶମ୍ଭୁ ମିଳନ ଦେଖିବା ପାଇଁ ଅଞ୍ଚଳବାସୀ ବେସ୍‌ ଉତ୍ସାହିତ ଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

ten − ten =