ଭୂତ ଖାଇଗଲା ଭତ୍ତା ଟଙ୍କା, ସରକାରୀ କର୍ମଚାରୀଙ୍କ ଗୁମର ଖୋଲିଲେ ଆଉ ଜଣେ ସରକାରୀ କର୍ମଚାରୀ

0 422

ବାଲିଗୁଡ଼ା: ଭୂତ ଖାଇଗଲା ଭତ୍ତା ଟଙ୍କା । ଶେଷରେ ଅର୍ଥଲୋଭୀ ସରକାରୀ କର୍ମଚାରୀ ମୃତ୍ୟୁବରଣ କରିଥିବା ଲୋକଙ୍କୁ ମଧ୍ୟ ଛାଡ଼ିଲେନି । ମୃତ ଲୋକଙ୍କୁ ଜୀବିତ ଦର୍ଶାଇ ବର୍ଷବର୍ଷ ଧରି ଭତ୍ତା ଟଙ୍କା ଖାଇଗଲେ । ହେଲେ ଏହି ସରକାରୀ ବାବୁଙ୍କ ଗୁମର ଖୋଲିଛନ୍ତି ଆଉ ଜଣେ ସରକାରୀ ବାବୁ । ଆଜ୍ଞା ହଁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ତୁମୁଡ଼ିବନ୍ଧ ବ୍ଲକ୍‌ ଅନ୍ତର୍ଗତ କୁର୍ତ୍ତମଗଡ଼ ଗ୍ରାମ ପଞ୍ଚାୟତରୁ । ସୂଚନା ପ୍ରକାରେ ଗତ କିଛି ବର୍ଷ ଧରି କୁର୍ତ୍ତମଗଡ଼ ଗ୍ରାମ ପଞ୍ଚାୟତରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ନାମରେ ଭତ୍ତା ଟଙ୍କା ଉଠାଇ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ଆତ୍ମସାତ କରିଆସୁଥିବା ଅଭିଯୋଗ କରିଛନ୍ତି ବର୍ତ୍ତମାନ ସମୟରେ ଥିବା ସରପଞ୍ଚ ଓ ଅଞ୍ଚଳର ଜନସାଧାରଣ । ଅଭିଯୋଗ ପ୍ରକାରେ କୁର୍ତ୍ତମଗଡ଼ ଗ୍ରାମ ପଞ୍ଚାୟତରେ ବର୍ତ୍ତମାନ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଯାଞ୍ଚ୍‌ କରିବା ପରେ ସତ ସାମ୍ନାକୁ ଆସିଛି । ପ୍ରଥମ ପର୍ଯ୍ୟାୟରେ ୨୫ରୁ ଉର୍ଦ୍ଧ୍ୱ ଭତ୍ତା କାର୍ଡ ଜବତ କରିବା ସହ ୩୩ହଜାର(୩୩୦୦୦/-) ଟଙ୍କା ତୁମୁଡ଼ିବନ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଫେରସ୍ତ ଦେଇଥିବା ଜଣାପଡ଼ିଛି । ଦୀର୍ଘ ବର୍ଷ ଧରି ତତ୍କାଳୀନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏଭଳି ସରକାରୀ ଅର୍ଥ ହରିଲୁଟ୍‌ କରି ଚାଲିଥିବାବେଳେ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଘଟଣାରେ ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ତାଲିକାରେ ଅନ୍ତର୍ଭୁକ୍ତ କରାଇବା ପାଇଁ କୁର୍ତ୍ତମଗଡ଼ ସରପଞ୍ଚ ଏବଂ ଗ୍ରାମବାସୀ ତୁମୁଡ଼ିବନ୍ଧ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବା ସହ ଏଭଳି ହୀନ ମାନସିକଧାରୀ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

ten + 4 =