ଦୁଇବର୍ଷ ହେଲା ରାସ୍ତା ଉପରେ ନର୍ଦ୍ଦମା ପାଣି, କଲୋନୀବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

0 118

ନବରଙ୍ଗପୁର: ନବରଙ୍ଗପୁର ସହରର ଷୋହଳ ନମ୍ବର ୱାର୍ଡରେ ଦୀର୍ଘ ଦୁଇ ବର୍ଷ ହେଲା ରାସ୍ତା ଉପରେ ନର୍ଦ୍ଦମା ପାଣି ବୋହି ଯାଉଛି । ଜିଲ୍ଲା ସଦର ମହକୁମାର ଏପରି ଅବସ୍ଥା ଦେଖି ଗାଁ ଗହଳିର ସ୍ଥିତି ଅନୁମାନ କରି ହେଉଥିବ । ଗାନ୍ଧୀନଗର ଛକ ଠାରୁ ଇନ୍ଦିରା କଲୋନୀ ଦେଇ ଇଛବତୀଗୁଡା ଯିବା ରାସ୍ତା ଉପରେ ଏହି ନର୍ଦ୍ଦମା ପାଣି ଆଜକୁ ପ୍ରାୟ ଦୁଇ ବର୍ଷ ହେଲା ବୋହି ଯାଉଛି । ଦୁଇ ବର୍ଷ ପୂର୍ବେ ଶ୍ରୀ ନିଗମାନନ୍ଦ ଆଶ୍ରମ ସାହି ଭିତରୁ ନାଳ ତିଆରି କରି ଏହି ମୁଖ୍ୟ ରାସ୍ତା ଉପରେ ଛାଡି ଦିଆଗଲା । ସେହି ଦିନ ଠାରୁ ଆଜି ଯାଏଁ ଅନେକ ଥର ମୁନିସିପଲଟି ଅଫିସ ରେ ସାହି ବାସିନ୍ଦା ଲିଖିତ ଆକାରେ ଦୁଇଥର ଓ କଥିତରେ ଅନେକ ଥର ଅଭିଯୋଗ କରିଛନ୍ତି । କିନ୍ତୁ ଏହାର ପ୍ରତିକାର କରିବା ପାଇଁ କାହାର ଆଗ୍ରହ ନାହିଁ । ଗତ ନଭେମ୍ବର ୨୦୨୧ ରେ ହୀରାଞ୍ଚଳ ଖବରକାଗଜରେ ଏ ବିଷୟରେ ଖବର ପ୍ରଚାର ହେବା ପରେ ମୁନିସିପାଲିଟୀର ଏଇଓ ଜେଇମାନେ ଆସି ପାଖରେ ଥିବା ଏକ ବ୍ୟକ୍ତିଙ୍କ ଖାଲି ସ୍ଥଳରେ ମାଟି ହୁଡ଼ା କରି ନର୍ଦ୍ଦମା ପାଣିକୁ ଜମା କରିଦେଲେ । ଆଉ ପ୍ରତିଶ୍ରୁତି ଦେଇ ଗଲେ କି ଦୁଇ ସପ୍ତାହ ମଧ୍ୟରେ ରାସ୍ତା ଓ ନାଳ କାମ ଆରମ୍ଭ କରାଯିବ । ଏହାର ଦୁଇ ଦିନ ପରେ ନର୍ଦ୍ଦମା ପାଣି ସେହି ଖାଲି ସ୍ଥାନରେ ଗାଡିଆ ପରି ଜମା ହୋଇ ପୁଣି କଂକ୍ରିଟ ରାସ୍ତା ଉପରେ ଆଜି ଯାଏଁ ବୋହି ଯାଉଛି । ଏଠାରେ ଏକ ଅସ୍ୱାସ୍ଥ୍ୟକର ଓ ପୁତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହୋଇଛି । ସ୍କୁଲ କଲେଜ ଛାତ୍ରଛାତ୍ରୀ, ଆଶ୍ରମକୁ ସକାଳ ଓ ସନ୍ଧ୍ୟା ବେଳେ ଖାଲି ପାଦରେ ଯିବା ଭକ୍ତମାନେ କଲୋନୀ ବାସିନ୍ଦା ଓ ଅନ୍ୟ ସମସ୍ତ ବ୍ୟକ୍ତି ଏହାର କୁପ୍ରଭାବର ଶିକାର ହେଉଛନ୍ତି । ଅନେକ ଦିନ ଧରି ଏପରି ସମସ୍ୟାର ସମାଧାନ ନ ହୋଇପାରି ଥିବାରୁ କଲୋନୀ ବାସିନ୍ଦା ଆଗାମୀ ୨୪ ତାରିଖରେ ହେବାକୁ ଥିବା ମୁନିସିପଳିଟି ନିର୍ବାଚନରେ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ୱ ଭୋଟର ଥିବା ଏହି କଲୋନୀର ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି । ଶାସକ ଦଳ ଏହାକୁ ଦେଖି ଅଣଦେଖା କରୁଥିବା ବେଳେ ବିରୋଧୀ ଦଳ ଏହାର ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି । ଶ୍ରୀ ନିଗମାନନ୍ଦ ଆଶ୍ରମ ସଭାପତି ନାରାୟଣ ପଣ୍ଡା ଏ ବିଷୟରେ ଗଭୀର କ୍ଷୋଭ ପ୍ରକାଶ କରି କହିଛନ୍ତି, ତୁରନ୍ତ ନାଳ ତିଆରି କରି ଏହି ନର୍କ ଯନ୍ତ୍ରଣାରୁ ଲୋକଙ୍କୁ ଉଦ୍ଧାର କରାଯାଉ । ଏପରି ଅଣଦେଖା କରିବା ସମାଜ ପାଇଁ ଘୋର ବିପଦ । କଲୋନୀ ସଭାପତି ଦଣ୍ଡପାଣି ପାଢ଼ୀ ମର୍ମାହତ ହୋଇ କହିଛନ୍ତି ବାରମ୍ୱାର ମୁନିସିପଲଟୀ ଅଫିସ, ନେତା ମାନଙ୍କ ପାଖକୁ ଧାଇଁ ଧାଇଁ ଅମେ ଅତିଷ୍ଠ ହୋଇ ପଡ଼ୁଛୁ । ଆମ କଥା ଶୁଣି , ଏଠାର ଦୂରବସ୍ଥା ଦେଖି ସମସ୍ତେ ଅଣଦେଖା କରୁଛନ୍ତି ।

hiranchal ad1
Leave A Reply

Your email address will not be published.

5 × 5 =