ଧର୍ମ ସଶକ୍ତିକରଣ ବଳରେ ରାଷ୍ଟ୍ର ନିର୍ମାଣ ପାଇଁ ଆହ୍ୱାନ

0 160

ସମ୍ବଲପୁର:ରାଧା ଶ୍ରୀନିବାସ ଟ୍ରଷ୍ଟ ଆନୁକୂଲ୍ୟରେ “ରାଷ୍ଟ୍ରୀୟ ଚେତନା, ସୁରକ୍ଷା ଓ ବିକାଶ” ବିଷୟରେ ଶ୍ରୀନିବାସ ସ୍ମୃତି ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ତାଙ୍କର ଅଭିଭାଷଣରେ ସ୍ୱର୍ଗତ ଶ୍ରୀନିବାସ ଅଗ୍ରୱାଲଙ୍କ ପ୍ରତି ସ୍ମୃତି ଚାରଣ କରିଥିଲେ । ଧର୍ମ ଓ ସଂସ୍କୃତି ସଶକ୍ତିକରଣ ବଳରେ ରାଷ୍ଟ୍ର ନିର୍ମାଣ ଆଗେଇ ନେବା ପାଇଁ ଆହ୍ୱାନ ସହିତ ଜଣେ ବାଗ୍ମୀ ବକ୍ତା, ପ୍ରବୁଦ୍ଧ ସାଂସଦ, ସମ୍ପାଦକ, ଲେଖକ ଓ ଫିଲ୍ମ ନିର୍ମାତା ରୂପେ ପରିଚିତ ତରୁଣ ବିଜୟ ମୁଖ୍ୟ ବକ୍ତା ରୂପେ ଆମନ୍ତ୍ରିତ ରହି ‘ବର୍ତ୍ତମାନ ପରିସ୍ଥିତିରେ ଜାତୀୟ ଚେତନାର ଜାଗରଣ’ ବିଷୟରେ ନିଜ ବକ୍ତବ୍ୟ ପ୍ରସ୍ତୁତ କରିଥିଲେ । ସେ ନିଜ ଅଭିଭାଷଣରେ କହିଲେ ଯେ ଭାରତର ଆତ୍ମା ହେଉଛି ଧର୍ମ କେନ୍ଦ୍ରିକ, ଏଣୁ ଧର୍ମରକ୍ଷାର୍ଥ ପାଇଁ ନିଜର ସର୍ବସ୍ୱ ତ୍ୟାଗ ଓ ବଳିଦାନ ପାଇଁ ସଦୈବ ସମର୍ପିତ ରହିଥିବା ବ୍ୟକ୍ତିବିଶେଷ ହିଁ ଚିରସ୍ମରଣୀୟ ହୋଇ ରହନ୍ତି । ପରଦୁଖ ପ୍ରତି ସମବେଦନା ରହିଥିଲେ ହିଁ ସମାଜସେବା କରିହୁଏ ଓ ସ୍ୱ: ଶ୍ରୀନିବାସ ଅଗ୍ରୱାଲ ଏହାର ଜୀବନ୍ତ ମୂର୍ତ୍ତି ଥିଲେ, ବୋଲି ସେ କହିଛନ୍ତି । ସ୍ଥାନୀୟ ଜିଲ୍ଲା ପ୍ରେକ୍ଷାଲୟ ‘ତପସ୍ୱିନୀ’ରେ ରାଧା ଶ୍ରୀନିବାସ ଟ୍ରଷ୍ଟ ପକ୍ଷରୁ “ରାଷ୍ଟ୍ରୀୟ ଚେତନା, ସୁରକ୍ଷା ଓ ବିକାଶ” ବିଷୟବସ୍ତୁ ଉପରେ ଶ୍ରୀନିବାସ ସ୍ମୃତି ବକ୍ତୃତାମାଳା ଆୟୋଜିତ ହୋଇଥିଲା । ଏହି ଅବସରରେ ରାଞ୍ଚି ସ୍ଥିତ ବନବାସୀ କଲ୍ୟାଣ ଆଶ୍ରମର ରାଷ୍ଟ୍ରୀୟ ଉପସଭାପତି ସତ୍ୟନ୍ଦ୍ର ସିଂହ ଅନ୍ୟତମ ମୁଖ୍ୟ ବକ୍ତା ରୂପେ ଆମନ୍ତ୍ରିତ ରହିଥିଲେ । ରାଷ୍ଟ୍ରୀୟ ସୁରକ୍ଷା ଓ ବିକାଶରେ ବନବାସୀଙ୍କ ଭୂମିକା ଉପରେ ଆଲୋକପାତ କରି ସେ କହିଲେ ଦେଶରେ ୧୨ କୋଟିରୁ ଅଧିକ ବନବାସୀ ରହୁଛନ୍ତି ଓ ସେମାନଙ୍କ ମନରେ ରାଷ୍ଟ୍ରୀୟ ଭାବନା ଓତଃପ୍ରୋତ ଭାବେ ରହିଛି । ରାମାୟଣ ଓ ମହାଭାରତ କାଳରୁ ମୋଗଲ ଓ ଇଂରେଜମାନଙ୍କ ଶାସନକାଳରେ ମଧ୍ୟ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିଲା ଓ ଆଜି ସୁଦ୍ଧା ରହିଆସିଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସାମିଲ ରହି ସେ ସ୍ୱ: ଅଗ୍ରୱାଲଙ୍କ ବିଷୟରେ ଏକ ସଂକ୍ଷିପ୍ତ ଭାଷଣ ପ୍ରସ୍ତୁତ କରିଥିଲେ । ଏହି ପ୍ରବୁଦ୍ଧ ସଭାରେ ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପଶ୍ଚିମ ପ୍ରାନ୍ତ ସଂଘ ଚାଳକ ବିପିନ ବିହାରୀ ନନ୍ଦ ଆମନ୍ତ୍ରିତ ରହି ନିଜ ବକ୍ତବ୍ୟରେ ସ୍ୱ: ଅଗ୍ରୱାଲଙ୍କ ପ୍ରତି ତାଙ୍କର ବ୍ୟକ୍ତିଗତ ଅନୁଭୂତିରୁ କିଛି ସ୍ମୃତି ଚାରଣ କରିଥିଲେ । ଆୟୋଜକ ଟ୍ରଷ୍ଟ ଅଧ୍ୟକ୍ଷ ଡା ପୁରୁଷୋତ୍ତମ ଅଗ୍ରୱାଲ ଟ୍ରଷ୍ଟର ଇତିହାସ, କାର୍ଯ୍ୟ ପ୍ରଣାଳୀ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ । ତାଙ୍କ ନେତୃତ୍ୱରେ ଆମନ୍ତ୍ରିତ ଅତିଥିମାନଙ୍କୁ ଅଙ୍ଗବସ୍ତ୍ର ଓ ସ୍ମୃତି ଚିହ୍ନ ସହିତ ସମ୍ମାନିତ କରାଯାଇଥିଲା । ଏହି ଅଞ୍ଚଳରେ ସମାଜ ସେବା କ୍ଷେତ୍ରରେ ସକ୍ରିୟ କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ମଧ୍ୟ ଉକ୍ତ ଅବସରରେ ସମ୍ମାନୀତ କରାଯାଇଥିଲା । ରାଷ୍ଟ୍ରଗୀତ ବନ୍ଦେ ମାତରଂମର ସାମୁହିକ ଗାୟନ ସହିତ ସଭା ସାଙ୍ଗ ହୋଇଥିଲା ।

hiranchal ad1
Leave A Reply

Your email address will not be published.

three − 3 =