ନୟାଗଡ଼ ବନଖଣ୍ଡରେ ଚାଲିଛି ଅବାଧ ବନ୍ୟଜନ୍ତୁ ଶିକାର, ନିଘୋଡ ନିଦ୍ରାରେ ବନବିଭାଗ

0 252

ଦଶପଲ୍ଲା : ବିପଦରେ ବନ୍ୟପ୍ରାଣୀ, ଦିନକୁ ଦିନ ନୟାଗଡ଼ ଜିଲ୍ଲାରେ ବଢିଚାଲିଛି ବନ୍ୟପ୍ରାଣୀଙ୍କ ଶିକାର । ନିଦାବିଷ୍ଣୁ ପାଲଟିଛି ବନ ବିଭାଗ । ପ୍ରାପ୍ତ ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ ତାର ସଂଯୋଗ କରି ଅବାଧରେ ବନ୍ୟଜନ୍ତୁ ଶିକାର କରୁଛନ୍ତି ଶିକାରୀମାନେ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କେବଳ ବନ୍ୟଜନ୍ତୁ ନୁହେଁ, ଅସାବଧାନତାବଶତଃ ମଣିଷମାନେ ବି ଏହାର ଶିକାର ହୋଇଥିବାର ପ୍ରମାଣ ବି ରହିଛି । ଓଡ଼ଗାଁ ବନାଞ୍ଚଳ ଅଧୀନରେ ଥିବା ବାଣ୍ଠପୁର–ଧବଳେଇ ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଶିକାରୀମାନେ ବିଦ୍ୟୁତ ତାର ସଂଯୋଗ କରି ଏକ ବାରହା ସମେତ ଏକ କୁଟୁରା ଶିକାର କରିଥିବା ଜଣାପଡିଛି । ବନବିଭାଗ ପକ୍ଷରୁ ପେଟ୍ରୋଲିଂ କରୁଥିବା ଦେଖି ଶିକାରୀମାନେ ଛତ୍ରଭଙ୍ଗ ଦେଇଥିଲେ । ବନକର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ ତାରରେ ମୃତ୍ୟୁବରଣ କରିଥିବା ବାରହା ସମେତ ଏକ କୁଟୁରାକୁ ଉଦ୍ଧାର କରିବା ସହ ବ୍ୟବହୃତ ହୋଇଥିବା ବିଦ୍ୟୁତ ତାରକୁ ଜବତ କରିଥିଲେ । ପରେ ମୃତ ବାରହା ଓ କୁଟୁରାର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ପ୍ରାଣୀ ଚିକିତ୍ସାଧିକାରୀଙ୍କ ସହଯୋଗରେ ଶବ ବ୍ୟବଚ୍ଛେଦ କରାଯାଇ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଥିବା ସୂଚନା ମିଳିଅଛି । ମୃତ ବାରହାଟିର ଆନୁମାନିକ ବୟସ ୨ ବର୍ଷ ହୋଇଥିବାବେଳେ କୁଟୁରାଟିର ୯ ମାସ ବୋଲି ବନାଞ୍ଚଳ ଅଧିକାରୀ ଆଶିଷ କୁମାର କଅଁର ସୂଚନା ଦେଇଛନ୍ତି । ଗତ କିଛି ବର୍ଷ ହେଲା ଓଡ଼ଗାଁ ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ କ୍ରମାଗତ ଭାବରେ ଏଭଳି ଘଟଣାମାନ ଲୋକଲୋଚନକୁ ଆସୁଥିବାବେଳେ କୌଣସି ଠାରେ କିନ୍ତୁ ଅପରାଧି ଧରା ପଡୁ ନଥିବାରୁ ସର୍ବସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଜନ୍ତୁ ଶିକାର ରୋକିବା ପାଇଁ ବନ ବିଭାଗ ଓ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ନିୟମିତ ପେଟ୍ରୋଲିଂ ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ଏହା ସହିତ ବନ୍ୟଜନ୍ତୁଙ୍କ ସ୍ଥିତି ନେଇ ଆଶଙ୍କା ପ୍ରକାଶ ପାଇଛି । ଖୁବ ଶ୍ରୀଘ୍ର ଉକ୍ତ ମାମଲାରେ ସମ୍ପୃକ୍ତ ଥିବା ଶିକାରୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନାଞ୍ଚଳ ଅଧିକାରୀ କହିଛନ୍ତି ।

hiranchal ad1
Leave A Reply

Your email address will not be published.

six − four =