ପୁରୀ : ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପବିତ୍ର ଝୁଲଣ ଯାତ୍ରା । ୭ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ପାଇଁ ଶ୍ରୀମନ୍ଦିର ସହ ପୁରୀର ମଠବାଡି ଗୁଡିକ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି । ବିଶେଷ କରି ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡିକରେ ଶହ ଶହ ବର୍ଷ ଧରି ଏହି ଝୁଲଣ ଉତ୍ସବ ବେଶ୍ ଆନନ୍ଦ ଉତ୍ସାହର ସହ ପାଳନ କରାଯାଏ । ମଠବାଡି ଗୁଡିକ ଜରି ଜମ୍ୱୁରା, ସୋଲ ଓ ବିଭିନ୍ନ ରଂଗୀନ କାଗଜରେ ଝୁଲଣ କୁଞ୍ଜ ନିର୍ମାଣ କରି ରାଧାକୃଷ୍ଣଙ୍କ ଦୋଳି ଖେଳର ଆୟୋଜନ କରାଯାଇଛି ।
ସେହିପରି ଝୁଲଣ ଯାତ୍ରା ଅବସରରେ ପ୍ରତ୍ୟେକ ଦିନ ମଠବାଡି ଗୁଡିକରେ ଭଜନ, କିର୍ତ୍ତନ, ଓଡିଶୀ, ପାଲା, ନୃତ୍ୟ ସଂଗୀତ ଇତ୍ୟାଦି ଅନୁଷ୍ଠିତ ହୋଇଥାଏ । ଅନ୍ୟପଟେ ଶ୍ରୀମନ୍ଦିରର ମୁକ୍ତିମଣ୍ଡପ ନିକଟରେ ଝୁଲଣ କୁଞ୍ଜ ତିଆରି କରାଯାଇଥିବା ବେଳେ ସେଥିରେ ଲକ୍ଷ୍ମୀ, ସରସ୍ୱତୀ ଓ ମଦନମୋହନ ଚଳନ୍ତି ପ୍ରତିମାଙ୍କୁ ଅଣାଯାଇ ଝୁଲଣ ଉତ୍ସବ ପାଳନ କରାଯାଉଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ପାଳିତ ହେଉଥିବା ଅନେକ ଯାତ୍ରା ମାନଙ୍କ ମଧ୍ୟରୁ ଝୁଲଣ ଯାତ୍ରା ଅନ୍ୟତମ । ଏହି ଝୁଲଣ ଯାତ୍ରା ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରୁ ଆରମ୍ଭ ହୋଇ ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥିରେ ଶେଷ ହେବ ।
ମହାପ୍ରଭୁଙ୍କ ଏହି ଝୁଲଣ ଯାତ୍ରା ଦେଖିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ବେଶ୍ ଗହଳି ଲାଗିଛି । ସେହିପରି ମଠବାଡି ଗୁଡିକରେ ସନ୍ଧ୍ୟାରେ ଝୁଲଣ ଯାତ୍ରା ପାଳନ କରାଯାଉ ଥିବା ବେଳେ ମଠ ଗୁଡ଼ିକ ଆକର୍ଷଣୀୟ ଢଙ୍ଗ ସଜାଯାଇଛି । ଭଜନ କୀର୍ତ୍ତନରେ ଶ୍ରୀକ୍ଷେତ୍ରର ପରିବେଶ ଭକ୍ତମୟ ହୋଇ ଉଠିଛି ।
Sign in
Sign in
Recover your password.
A password will be e-mailed to you.