ଦଶପଲ୍ଲା : ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ସରକାର ଡିଣ୍ଡିମ ପିଟୁଥିଲାବେଳେ, ସ୍ୱାସ୍ଥ୍ୟକେନ୍ଦ୍ରରେ ଭିତିଭୂମି ବିକାଶ ସାଙ୍ଗକୁ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ନିଯୁକ୍ତି କରାଯାଉଛି । ହେଲେ ବର୍ଷବର୍ଷ ଧରି ଦଶପଲ୍ଲା ବ୍ଲକର ସୀମାନ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁଜାମେଣ୍ଢିରେ ଡାକ୍ତର ଓ ଆବଶ୍ୟକ ସଂଖ୍ୟକ କର୍ମଚାରୀ ପଦବି ଖାଲି ପଡ଼ିଥିବା ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟସେବା ପାଇଁ ଖାଲି ଯେ ଜୁନାମେଣ୍ଢି ପଞ୍ଚାୟତ ନୁହେଁ ପଡୋଶୀ ଦୁଡା ପଞ୍ଚାୟତ ସମେତ କନ୍ଧମାଳ, ବୌଦ୍ଧ ଜିଲ୍ଲାର ସୀମନ୍ତ ବଣି, ପ୍ରଧନପଡା, ମୁଣ୍ଡୁଳା, ବାରିଙ୍ଗି, ବଦଲା ଏବଂ ଆମ୍ବଲମ୍ବା ଭଳି ଗ୍ରାମର ହଜାର ହଜାର ଜନସାଧାରଣ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚି ହେଉଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଦୀର୍ଘ ବର୍ଷ ତଳେ ଜଣେ ଏମ୍ବିବିଏସ୍ ଡାକ୍ତରଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥିଲା । ନାମକୁ ମାତ୍ର କିଛିଦିନ କାର୍ଯ୍ୟ କରିବା ପରେ ବିଭିନ୍ନ ଆଳ ଦେଖାଇ ପଳାଇଗଲେ । ସେହିଭଳି ସ୍ୱାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ନଥିବା ହେତୁ ବାଣୀଗୋଛା ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରର ଦାୟିତ୍ୱ ଦିଆଯାଇଛି ହେଲେ, ବଣ ପାହାଡ ଘେରା ଆଦିବାସୀ ଗ୍ରାମର, ଜନସାଧାରଣ, ବିଭିନ୍ନ ସମୟରେ ରୋଗାକ୍ରାନ୍ତ ହେଲେ ଉପଯୁକ୍ତ ଚିକିତ୍ସା ସେବା ପାଇପାରୁନାହାନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସର୍ବସାଧାରଣରେ ଦାବି ହେଉଛି ।