ଲଗାଣ ବର୍ଷାରେ ଧୋଇଗଲା ରାସ୍ତା, ଚାରିଗୋଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ

0 102

ଦଶପଲ୍ଲା : ସପ୍ତାହେ ଧରି ଲାଗିରହିଥିବା ଲଗାଣ ବର୍ଷାରେ ଦଶପଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷତି ଘଟିଥିବା ବେଳେ ଏବେ ଦଶପଲ୍ଲା ବ୍ଲକ୍‌ର ଫାଲପାଜୁ ଓ ଦୁଡ଼ା ମୁଖ୍ୟରାସ୍ତା ଧୋଇ ହୋଇ ଯାଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଦର୍ଦ୍ଦଶା ବୃଦ୍ଧି ପାଇଛି । ଗାଁକୁ ଭଲ ରାସ୍ତା ଖଣ୍ଡେ ନଥିବା ବେଳେ ୩ ବର୍ଷ ତଳେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏହି ରାସ୍ତାଟି ନିର୍ମାଣ ହୋଇଥିଲା । ଏପଟେ ଗତ ୭ ତାରିଖ ଦିନ ଲଗାଣ ବର୍ଷା ହେତୁ ଏହି ରାସ୍ତାରେ ଏକ ଘାଇ ସୃଷ୍ଟି ହୋଇଛି । ଯାହାକୁ ନେଇ ଦୁଡ଼ା, କଳସାଖମଣ, ନୂଆଗାଁ ଏବଂ ଚଡେୟାପଲ୍ଲୀ ପଞ୍ଚାୟତର କୁରୁଡ଼ାଙ୍ଗି, ଜରକିବାଡ଼ି, ଦୁଡ଼ା, ମିଟିଗାଡୁ, ଭାଲିଆପଦର, ଜୁରାଗଣ୍ଡା ଏବଂ ସୁନ୍ଦୁରୁକୁମ୍ପା ଭଳି ୧୦ରୁ ଉର୍ଦ୍ଧ୍ୱ ଗ୍ରାମ ମଧ୍ୟରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇପଡ଼ିଛି । ଏହି ରାସ୍ତା ଦେଇ ଗ୍ରାମବାସୀ ଯାତାୟାତ କରିବା କି ଛାତ୍ରଛାତ୍ରୀମାନେ ଦୈନିକ ବିଦ୍ୟାଳୟକୁ ଯିବାଆସିବା ସଂପୂର୍ଣ୍ଣ ଭାବରେ ବାଧାପ୍ରାପ୍ତ ହୋଇଛି । ବଡ଼କଥା ହେଉଛି ଦୁଡ଼ାରେ ଥିବା ୟୁଜିଏମ୍‌ଇ ବିଦ୍ୟାଳୟକୁ ରାଜ୍ୟ ସରକାର କିଛି ମାସ ତଳେ ଫାଇଭ୍‌ -ଟିରେ ସାମିଲ ପରେ ରୂପାନ୍ତରଣ କରିଥିବା ବେଳେ ଏହି ବିଦ୍ୟାଳୟକୁ ଏବେ ଯାତାୟାତ ବିଚ୍ଛିନ୍ନ ହୋଇପଡ଼ିଛି । ଶିକ୍ଷକମାନେ ବାଣୀଗୋଛା ସମେତ ବିଭିନ୍ନ ସ୍ଥାନରୁ ଉକ୍ତ ବିଦ୍ୟାଳୟକୁ ଯାଆଆସ କରୁଥିବା ବେଳେ ରାସ୍ତା ନଥିବା ହେତୁ ଶିକ୍ଷକଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ଦୟନୀୟ ଅବସ୍ଥାରେ ଯାତାୟତ କରୁଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏପଟେ ଗାଁକୁ ସାଇକେଲ୍‌ କିମ୍ବା ଗାଡ଼ିଟିଏ ଯାଇ ପାରୁନଥିବା ହେତୁ ଜରୁରୀକାଳିନ ପରିସ୍ଥିତିରେ ଯାଆଆସ କରିବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବା ନିଶ୍ଚିତ ହୋଇପଡ଼ିଛି । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଜଗନ୍ନାଥ ସୁବୁଦ୍ଧିଙ୍କ କହିବା ଅନୁଯାୟୀ, ତଦନ୍ତ କରାଯିବା ସହ ଏହାର ଫଟୋ ଏସ୍‌ଆର୍‌ସିଙ୍କୁ ପଠାଯାଇଛି । ଆସନ୍ତାକାଲି ଏହାର ଚିଠି ଆସିଯିବ । ଯାହାକୁ ନେଇ ଖୁବ୍‌ଶୀଘ୍ର ୩ ମିଟର ଓସାରରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯିବା ପରେ ୧୦ରୁ ୧୫ ଦିନ ପରେ ଏହାର ସ୍ଥାୟୀ ପ୍ରତିକାର କରାଯିବ ବୋଲି ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

one × 4 =