ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଖୁବଶୀଘ୍ର ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର

0 90

ପୁରୀ : ସେବାୟତ ପିଲାଙ୍କ ପାଇଁ ଆଦର୍ଶ ଗୁରୁକୁଳ ନେଇ ଏମ୍‌ଓୟୁ ଓ ସୋସାଇଟି ଗଠନକୁ ଅନୁମତି ମିଳିଛି । ସେବାୟତ ଆବାସ ଯୋଜନା ମଧ୍ୟ ଖୁବଶୀଘ୍ର ଆରମ୍ଭ ହେବ । ପୂର୍ବ ଲ୍ୟାଣ୍ଡ ସବ କମିଟି ବୈଠକର ନିଷ୍ପତିକୁ ମୋହର ମରାଯାଇଛି । ଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ଖୁବଶୀଘ୍ର ଖୋଲା ହେବ । ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ମଧ୍ୟ ସମୀକ୍ଷା କରାଯାଇଛି ।
ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନସିଂହାସନ ସଂପୂର୍ଣ୍ଣ ସୁରକ୍ଷିତ ରହିଛି । କେବଳ ରତ୍ନସିଂହାସନ ପଛ ପାର୍ଶ୍ୱରୁ ଲାଇମ ପ୍ଲାଷ୍ଟର ଖଣ୍ଡ ଖସିଛି । ଏଏସଆଇ ଏହାର ଅନୁଧ୍ୟାନ କରିଛି । ଆସନ୍ତା ବର୍ଷ ରଥଯାତ୍ରା ସମୟରେ ପୁନଃ ପ୍ଲାଷ୍ଟରିଙ୍ଗ କାର୍ଯ୍ୟ କରାଯିବ । ଗତ କିଛି ମାସ ଧରି ପରିଚାଳନା କମିଟି ବୈଠକରେ ଯୋଗଦେଇନଥିବା ଏଏସଆଇ ଆଲୋଚନାରେ ଅଂଶଗ୍ରହଣ କରି ଏହା କହିଛି । ତେବେ ଭିତର ରତ୍ନଭଣ୍ଡାର ମରାମତି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ଚିଠି ଲେଖାଯାଇନଥିବା ସ୍ପଷ୍ଟ କରିଛନ୍ତି ଏଏସଆଇ ସୁପରିଟେଡେଣ୍ଟ ଅରୁଣ ମଲ୍ଲିକ । ନୀଳାଦ୍ରି ଭକ୍ତ ନିବାସରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ପରିଚାଳନା କମିଟି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଚଳିତବର୍ଷ ସ୍ନାନଯାତ୍ରା ଓ ରଥଯାତ୍ରାର ସମୀକ୍ଷା କରାଯାଇ ଆସନ୍ତାବର୍ଷ କିଭଳି କୌଣସି ସେବାୟତ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ନରହିବେ ସେ ନେଇ ପ୍ରସ୍ତାବ ଆସିଛି । ଛତିଶା ନିଯୋଗ ସହ ଏନେଇ ଖୁବଶୀଘ୍ର ଆଲୋଚନା କରାଯିବ । ଦୀର୍ଘ ଅଢେଇ ବର୍ଷ ହେବ ବନ୍ଦ ରହିଥିବା ଗୁଣ୍ଡିଚା ମନ୍ଦିରର ମରାମତି କାର୍ଯ୍ୟ ସରିବା ପରେ ଖୁବଶୀଘ୍ର ଏହା ଭକ୍ତଙ୍କ ପାଇଁ ଖୋଲାଯିବ । ତେବେ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପ ଓ ରୋଷଘର ଭିତରକୁ ଭକ୍ତ ଶ୍ରଦ୍ଧାଳୁ ଯାଇପାରିବେ ନାହିଁ ।
ଶ୍ରୀମନ୍ଦିର ସେବାୟତ ପରିବାରର ବିଦ୍ୟାର୍ଥୀଙ୍କ ପାଇଁ ଆଦର୍ଶ ଗୁରୁକୁଳ ନିମନ୍ତେ ଗଠିତ ହୋଇଥିବା ସୋସାଇଟି ଓ ଏମ୍‌ଓୟୁ ସମ୍ପର୍କରେ ପରିଚାଳନା କମିଟିରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ମାଟିତୋଟାରେ ଏଥିପାଇଁ ୧୪ ଏକରରରୁ ଅଧିକ ଜମି ଚିହ୍ନଟ ହୋଇଛି । ବିର୍ଲା ଏଜୁକେସନ ସୋସାଇଟି ସହ ଏମ୍‌ଓୟୁ କରାଯାଇ ଖୁବଶୀଘ୍ର ଏହା ଆରମ୍ଭ ହେବ । ଶ୍ରୀମନ୍ଦିର ଭକ୍ତ ନିବାସରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଏମଓୟୁ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ଗୁରୁକୁଳ ଏମଓୟୁ ସର୍ତ୍ତାବଳୀ ଓ ଚିଠା ଏମଓୟୁକୁ ପରିଚାଳନା କମିଟି ମୋହର ମାରିଛି ।
ଗୁରୁକୁଳ ନିର୍ମାଣ ନିମନ୍ତେ ସୁପ୍ରିମକୋର୍ଟ ପକ୍ଷରୁ ୬ କୋଟି ୧୯ ଲକ୍ଷ ୮୯ ହଜାର ୨୦୨ ଟଙ୍କା ଶ୍ରୀମନ୍ଦିର ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି । ଗୁରୁକୁଳ ନିର୍ମାଣର ବାକି ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏହି ଗୁରୁକୁଳ ନିର୍ମାଣରେ ରାଜ୍ୟ ସରକାର ଅବଢ଼ା ଯୋଜନାରୁ ୨୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ ଅଟକଳ କରିଛନ୍ତି ।ବୈଠକରେ ସେବାୟତ ବାସଗୃହ ଯୋଜନାକୁ ମଧ୍ୟ ମୋହର ଲାଗିଛି । ହରଚଣ୍ଡି ସାହି ଓ ମାଟିମଣ୍ଡପ ସାହି ମୌଜାରେ ୫ ଏକରରୁ ଅଧିକ ଜମି ଚିହ୍ନଟ ହୋଇ ହରଚଣ୍ଡି ସାହି ମୌଜାରେ ଜମି ମାପଚୁପ ଓ ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଖୁବଶୀଘ୍ର ଏହା ଆରମ୍ଭ ହୋଇ ପ୍ରାଥମିକ ଭାବେ ୪୦୦ ବାସହୀନ ଓ ଗରିବ ସେବାୟତଙ୍କୁ ବାସଗୃହ ଯୋଗାଇଦିଆଯିବ ।
ପରିଚାଳନା କମିଟିର ବୈଠକ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ଏଏସଆଇକୁ ଏଯାବତ ଚିଠି ନଲେଖିବା ରତ୍ନଭଣ୍ଡାର ଅସୁରକ୍ଷିତ ଥିବା ସନ୍ଦେହକୁ ଆହୁରି ଦ୍ୱିଗୁଣିତ କରିଛି । ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ,ଜିଲ୍ଲାପାଳ,ଏସପି,ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

14 − 5 =