ଗୋଟିଏ ଦିନରେ ତିନୋଟି ଅଗ୍ନିକାଣ୍ଡ, ଲୋକେ ଛାନିଆ

0 72

ସମ୍ବଲପୁର: ବର୍ତ୍ତମାନ ଘରୁ ବାହାରିବା କ୍ଷଣି ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଆକାଶରୁ ଅଗ୍ନିବର୍ଷା ହେଲା ପରି ଲାଗୁଛି । ସବୁଆଡେ ଏଭଳି ପରିସ୍ଥିତିରେ ଏଠି ଗୋଟିଏ ଦିନରେ ତିନୋଟି ଅଗ୍ନିକାଣ୍ଡ ଫଳରେ ଜନସାଧାରଣଙ୍କ ମନରେ ଛନକା ପଶିଯାଇଛି । ଏ ବିଷୟରେ ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ମାର୍ଗସ୍ଥିତ ଏକ ଅଳଙ୍କାର ଦୋକାନରୁ ହଠାତ ପ୍ରବଳ ଧୁଆଁ ବାହାରିବା ଦେଖି ସେଠାରେ ଲୋକେ ଜମା ହୋଇଥିଲେ । ଦୋକାନ ଭିତରେ ବିଜୁଳି ସର୍ଟ ସାର୍କିଟ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିଲା । ସୂଚନା ପାଇ ଅଗ୍ନିଶମ ଦଳ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ନିଆଁ ଲିଭାଇବା ସହିତ ସ୍ଥିତି ଉପରେ ଆୟତ୍ତ ଆଣିଥିଲେ । ସେହିପରି ସ୍ଥାନୀୟ ଫାଟକ ଅଞ୍ଚଳରେ ମଧ୍ୟ ବିଜୁଳି ସର୍ଟ ସାର୍କିଟ ଯୋଗୁଁ ନିଆଁ ଲାଗିଯିବାରୁ ତିନୋଟି ଦୋକାନ ପୋଡ଼ି ସ୍ୱାହା ହୋଇଯାଇଥିଲା । ଅନ୍ୟପଟେ ମହାନଗର ନିଗମ ଅନ୍ତର୍ଗତ ମାନେଶ୍ୱର ଠାରେ ଜନବସତି ପାଖ ଏକ ବାଉଁଶ ବୁଦାରେ ହଠାତ ନିଆଁ ଲାଗିଯିବାରୁ ତାହା ପ୍ରଚଣ୍ଡ ବେଗରେ ଜଳି ଉଠିଥିଲା । ଏହାଫଳରେ ପ୍ରାୟ ୩୦/୪୦ ଫୁଟ ଉଚ୍ଚ ପର୍ଯ୍ୟନ୍ତ ନିଆଁ ହୁଲା ଉଠୁଥିବା ଦେଖି ଆଖପାଖ ଅଞ୍ଚଳର ଲୋକମାନେ ଛାନିଆ ହୋଇଯାଇଥିଲେ, ଅବଶ୍ୟ ଖବର ପାଇବା ମାତ୍ରେ ସେଠାରେ ଅଗ୍ନିଶମ ଦଳ ପହଞ୍ଚି ନିଆଁ ଲିଭାଇବା ସହିତ ଆତଙ୍କିତ ଜନସାଧାରଣଙ୍କୁ ଆଶ୍ୱସ୍ତ କରିଥିଲେ । ଏହିପରି ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକାଦିନକେ ତିନୋଟି ଅଗ୍ନିକାଣ୍ଡ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।

hiranchal ad1
Leave A Reply

Your email address will not be published.

one × three =