ଚିଙ୍ଗିରିପାସରେ ଝାଡାବାନ୍ତିରେ ଜଣେ ମୃତ, ୩ ଗୁରୁତର

0 54

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତ ଅଧିନ ଚିଙ୍ଗିରିପାସ ଗ୍ରାମରେ ଝାଡାବାନ୍ତି ରୋଗର ପ୍ରକୋପ ବଢିବାରେ ଲାଗିଥିବା ଜଣାପଡିଛି । ଯେଉଁଥିରେ ଆକ୍ରାନ୍ତ ହୋଇ ଜଣକର ମୃତ୍ୟୁ ହୋଇଥିବା ସହିତ ତିନି ଗୁରୁତର ହୋଇଥିବା ଘଟଣାର ସୂଚନା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।
ସୂଚନା ଅନୁସାରେ ଗ୍ରାମର ଜନୈକ ବୃଦ୍ଧ ଶ୍ରୀପତୀ ମାଝୀ(୬୨) ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବେଳେ ଗ୍ରାମର ସୁଆଇ ଦେଇ ମାଝୀ(୫୦),ବୃନ୍ଦି ମାଝୀ(୩୫) ଏବଂ ରାମ ମାଝୀ(୫୦) ନାମକ ତିନିଜଣ ଗୁରୁତର ଥିବାବେଳେ ଅନେକ ଆକ୍ରାନ୍ତ ଥିବା ସୂଚନା ଦେଇଛନ୍ତି ଗ୍ରାମର ୱାର୍ଡ ମେମ୍ବର ପମ୍ପୁର ନାଏକ । ଏହି ସୂଚନା ପାଇଲା ପରେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ନିତିଶ ଝାଙ୍କ ନେତୃତ୍ୱରେ ଏକ ଟିମ୍‌ ପ୍ରଭାବିତ ଗ୍ରାମକୁ ଯାଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ ଥୁଆମୂଳ ରାମପୁର ଭଳି ଆଦିବାସୀ ଅଧ୍ୟୁଷିତ ବଣପାହାଡ ଘେରା ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ସବୁବେଳେ ଅବହେଳିତ ଅବସ୍ଥାରେ ରହିଆସିଛି । ଦୁର୍ଗମ ଅଞ୍ଚଳରେ ଏହି ସମସ୍ୟା ନକହିବା ଭଲ । ବକ୍ସାଇଟ ଖଣିତଳେ ଥିବା ଏହି ଅଞ୍ଚଳର ଅଡ୍ରୀ,ଗୋପୀନାଥପୁର ଏବଂ ମାଳିଗାଁ ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଅଡ୍ରୀ ଠାରେ ଏକ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ପରିଚାଳିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ଏଥିସହିତ ବକ୍ସାଇଟ ଖଣିର ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଏହି ଅଞ୍ଚଳର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଉତ୍କଳ ଆଲୁମିନା କମ୍ପାନୀ ପକ୍ଷରୁ ଭ୍ରାମ୍ୟମାଣ ଚିକିତ୍ସା ସେବା ଯୋଗାଉଥିବାର ସୂଚନା ମିଳୁଛି । ଏହି ସବୁ ପ୍ରଭାବିତ ଅଞ୍ଚଳର ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ଏବଂ ପାନୀୟଜଳ ଯୋଗାଣ ଭଳି ବିଭିନ୍ନ ପାରିପାର୍ଶ୍ୱିକ ବିକାଶ ପାଇଁ କୋଟି କୋଟି ପାଣ୍ଠି ଖର୍ଚ୍ଚ ହେଉଛି । କିନ୍ତୁ ତାହା ବାସ୍ତବରେ କେତେ ସ୍ୱଚ୍ଛତା ରହିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ଏହି ଅଞ୍ଚଳର ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦେଇ ଉତ୍କଳ ଆଲୁମିନା କମ୍ପାନୀ ପକ୍ଷରୁ ବିହିତ ପଦକ୍ଷେପ ନେବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

hiranchal ad1
Leave A Reply

Your email address will not be published.

4 + 17 =