ଗଞ୍ଜାମ :ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦଳିତ ନେତା ତଥା ପୂର୍ବତନ ସାଂସଦ ଏବଂ ମନ୍ତ୍ରୀ ସ୍ୱର୍ଗତ ପଦ୍ମଶ୍ରୀ ମୋହନ ନାୟକଙ୍କ ୩୮ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବ୍ରହ୍ମପୁର ସବରେଜିଷ୍ଟାର କାର୍ଯ୍ୟାଳୟ ଛକ ଠାରେ ଥିବା ସ୍ୱର୍ଗତ ମୋହନ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ତତ୍ ସଙ୍ଗେ ଧାନମେରା ସାହି ଗାନ୍ଧୀ ମଣ୍ଡପ ଠାରେ ସ୍ୱର୍ଗତ ମୋହନ ନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରାଯିବା ସହ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନବୀନ ପତ୍ରିକାର ସମ୍ପାଦକ ରବି ରଥ ନିଜ ବକ୍ତବ୍ୟରେ କହିଥିଲେ ଯେ, ସ୍ୱର୍ଗତ ମୋହନ ନାୟକ ଜଣେ ଦଳିତ ନିଷ୍ପେସିତ ଜନତାର ପ୍ରାଣକର୍ତ୍ତା ଏବଂ ଜଣେ ତ୍ୟାଗୀ ପୁରୁଷ ଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ଅନୀଲ କୁମାର ନାୟକ, ସୁକାନ୍ତ ମୁଖି,ବାନାମ୍ବର ନାୟକ, ଚିନ୍ତାମଣି ନାୟକ, ମନୋରଞ୍ଜନ ଲିମାଇ, ରାଜେଶ ନାୟକ, ବିଶ୍ୱନାଥ ଘଡେଇ, ପ୍ରଭାକର ନାୟକ, ଜନାର୍ଦ୍ଦନ ଘଡେଇ, ବାବୁରାଓ ଘଡେଇ ଓ ଫାଲଗୁନ ମାଧେଇ ଉପସ୍ଥିତ ରହି ସ୍ୱର୍ଗତ ମୋହନ ନାୟକଙ୍କ ସ୍ମୃତି ଚାରଣ କରିଥିଲେ ।